ମଧ୍ୟପ୍ରଦେଶର ୩୨୨ଟି ଗାଁରେ ୯୫୧ ଜଣ କରୋନାରେ ଆକ୍ରାନ୍ତ, ୩୨ ମୃତ

ଭୋପାଳ : ଦେଶର ଅନ୍ୟ ରାଜ୍ୟରୁ ପ୍ରବାସୀ ଶ୍ରମିକଙ୍କ ଆଗମନ ପରେ ମଧ୍ୟପ୍ରଦେଶର କରୋନା ଭୂତାଣୁ ୫୦ଟି ଜିଲ୍ଲାର ୪୬୨ଟି ଗ୍ରାମରେ କାୟା ବିସ୍ତାର କରିଛି ଏବଂ ଏହି ଗ୍ରାମଗୁଡିକରେ ୯୫୧ ଜଣ ଲୋକ ସଂକ୍ରମିତ ହୋଇଥିବା ଜଣାପଡିଛି। ସେଥିମଧ୍ୟରୁ ୩୨ ଜଣ ଲୋକଙ୍କ ମୃତ୍ୟୁ ହୋଇଛି ।
ଗ୍ରାମଗୁଡିକରେ ସ୍ୱାସ୍ଥ୍ୟ ସେବା ସହର ପରି ଭଲ ନୁହେଁ, ତେଣୁ ସେଠାରେ କରୋନାକୁ ନିୟନ୍ତ୍ରଣ କରିବା ସରକାରଙ୍କ ପାଇଁ ଏକ ବଡ ଆହ୍ବାନ ହେବ । ମଧ୍ୟପ୍ରଦେଶ ଜନସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନରୋତ୍ତମ ମିଶ୍ର ଦୁଇ ଦିନ ପୂର୍ବେ ଦାବି କରିଥିଲେ ଯେ, ଭୋପାଳ ସହର ବ୍ୟତୀତ ସମଗ୍ର ମଧ୍ୟପ୍ରଦେଶ କୋଭିଡ -୧୯ ରୋଗରୁ ଆରୋଗ୍ୟ ଲାଭ କରିଛି ।
ମଧ୍ୟପ୍ରଦେଶ ସରକାରଙ୍କ ପଞ୍ଚାୟତ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗର କୋଭିଡ -୧୯ ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ମଧ୍ୟପ୍ରଦେଶର ୪୬୨ଟି ଗ୍ରାମରେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ସଂକ୍ରମିତମାନଙ୍କ ମଧ୍ୟରୁ ୪୭୯ ଜଣ ଶ୍ରମିକ ଏବଂ ୪୭୨ ଜଣ ଅନ୍ୟ ଗ୍ରାମବାସୀ ରହିଛନ୍ତି। ସେଥିମଧ୍ୟରୁ ୩୨ ଜଣଙ୍କର ମୃତ୍ୟୁ ଘଟିଛି। ମେ ମାସ ୨୧ତାରିଖରେ, ଗ୍ରାମରେ ୩୩୬ ଜଣ ଲୋକ ସଂକ୍ରମିତ ହୋଇଥିଲେ, ସେଥିମଧ୍ୟରୁ ୧୩୦ ଜଣ ଶ୍ରମିକ ଏବଂ ଅନ୍ୟ ୨୦୬ ଜଣ ଗ୍ରାମବାସୀ ଥିଲେ। ତେଣୁ, ବିଶ୍ଳେଷଣରୁ ଜଣାପଡିଛି ଯେ, ଗତ ୨୨ ଦିନ ମଧ୍ୟରେ ଗାଁରେ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ତିନି ଗୁଣ ବୃଦ୍ଧି ପାଇଛି।
ରିପୋର୍ଟ ଅନୁଯାୟୀ, କୋଭିଡ -୧୯ ସ୍କ୍ରିନିଂ ପାଇଁ ଗ୍ରାମାଞ୍ଚଳର ୨୯,୮୮୧ ଲୋକଙ୍କ ନମୁନା ସଂଗ୍ରହ କରାଯାଇଛି। ଏଥିମଧ୍ୟରୁ ୨୬,୪୨୨ ଜଣଙ୍କ ମଧ୍ୟରୁ ୯୫୧ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି। ମେ ୨୧ରେ, ରାଜ୍ୟର ୧୮୬ଟି ଗ୍ରାମରେ କରୋନା ରୋଗୀଙ୍କୁ ଦେଖିବାକୁ ମିଳିଥିଲା। ଗତ ୨୨ ଦିନ ମଧ୍ୟରେ ଏହି ସଂକ୍ରମଣ ୪୬୨ଟି ଗ୍ରାମରେ ବ୍ୟାପିଛି। ଏହିପରି ଗତ ୨୨ ଦିନ ମଧ୍ୟରେ ୨୭୬ ଟି ନୂତନ ଗ୍ରାମ କୋରାନା ଭାଇରସ୍ ଅଧୀନରେ ଆସିଥିଲା।

Comments are closed.