୩୦ ଦେଶକୁ ବ୍ୟାପିଲାଣି କରୋନା ସଂକ୍ରମଣ – ୯ଟିରେ ସ୍ଥିତି ଉଦବେଗଜନକ

- ୧୨ ହଜାର ସଂକ୍ରମିତ ଏବେ ସୁସ୍ଥ

ସମାଜ ପୋର୍ଟାଲ ଡେସ୍କ: ୨୦୧୯ ଡିସେମ୍ବରରୁ କାୟା ବିସ୍ତାର କରିଥିବା କରୋନା ଭୁତାଣୁ ସଂକ୍ରମଣ ଇତି ମଧ୍ୟରେ ୩୦ଟି ଦେଶକୁ ବ୍ୟାପି ସାରିଥିବା ବେଳେ ୯ଟି ଦେଶରେ ସ୍ଥିତି ଉଦବେଗଜନକ ରହିଛି। ଚୀନ ଏବଂ ଦକ୍ଷିଣ କୋରିଆରେ ନୂଆ ସଂକ୍ରମଣ ଜନିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଇଉରୋପ ଏବଂ ପୂର୍ବ ମଧ୍ୟ ପ୍ରାଚ୍ୟରେ ଏହି ଭୁତାଣୁ ସଂକ୍ରମଣ ଆରମ୍ଭ ହୋଇଛି। କୋଭିଡ-୧୯ ନାମରେ ପରିଚିତ ଏହି ସଂକ୍ରମଣରେ ଇଂଲଣ୍ଡରେ ୧୩ ଜଣ ସଂକ୍ରମିତ ହୋଇଥିବା ବେଳେ ଗତ ସପ୍ତାହରେ ଡାଇମଣ୍ଡ ପ୍ରିନସେସ ଜାହାଜ କର୍ମଚାରୀଙ୍କ ମଧ୍ୟରୁ ୪ ଜଣଙ୍କୁ ସଂକ୍ରମଣ ହୋଇଥିବା ଜଣାପଡିଥିଲା।

କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା କେବଳ ଚୀନରେ ୨ହଜାର ୬୬୩ ହୋଇଥିବା ବେଳେ ମୃତ୍ୟୁ ହାର ୨ ପ୍ରତିଶତରେ ପହଞ୍ଚିଛି। ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ମହାମାରୀ ଘୋଷଣା କରିବାକୁ ପ୍ରତ୍ୟାଖାନ କରିଛି। ସର୍ବଶେଷ ସୂଚନା ଅନୁଯାୟୀ ଚୀନରେ ସଂକ୍ରାମିତଙ୍କ ସଂଖ୍ୟା ବୃଦ୍ଧି ପାଇଁ ୭୭ ହଜାର ୬୫୮ରେ ପହଂଚି ଥିବାବେଳେ ହୁବେଇ ଅଂଚଳରେ ଅଧିକ ଲୋକ ଏହି କରୋନା ଭୁତାଣୁର ସଂକ୍ରମିତ ହୋଇଛନ୍ତି। ଚୀନର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନାରେ କୁହାଯାଇଛି ଯେ ଏ ପର୍ଯ୍ୟନ୍ତ ୧୨ ହଜାର ସଂକ୍ରମିତଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଛି ଓ ଏବେ ସେମାନେ ସଂକ୍ରମଣ ମୁକ୍ତ। ତେବେ ଗତକାଲି ଅର୍ଥାତ ମଙ୍ଗଳବାର ଦିନ ଚୀନରେ ୫୦୮ଟି ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ବେଳେ ୭୧ ଜଣଙ୍କର ମୃତ୍ୟୁ ଘଟିଛି ଓ ସେମାନଙ୍କ ମଧ୍ୟରୁ ୬୮ ଜଣ ଊହାନର ବୋଲି ସ୍ପଷ୍ଟ ହୋଇଛି।

ଦକ୍ଷିଣ କୋରିଆ – ମୃତ୍ୟୁ ସଂଖ୍ୟା ୧୦
ଚୀନ ପରେ ଦକ୍ଷିଣ କୋରିଆରେ କରୋନା ସଂକ୍ରମଣ ସଂଖ୍ୟା ୮୯୩ରେ ପହଂଚି ଥିବା ବେଳେ ଗତ କାଲି କେବଳ ୬୦ଟି ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। କିନ୍ତୁ ସେଠାରେ ୮ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ରହିଛି। ସେଠାକାର ସ୍ୱାସ୍ଥ୍ୟ କର୍ମୀମାନେ କହିଛନ୍ତି ଯେ ଡେଗ ଅଂଚଳରେ ପ୍ରାୟ ୨୮ ହଜାର ଲୋକଙ୍କ ରକ୍ତ ନମୁନା ପରୀକ୍ଷା କରାଯିବ।

ଇଟାଲୀ – ମୃତ୍ୟୁ ସଂଖ୍ୟା ୭
ଇଟାଲୀରେ ୨୨୯ ଜଣ ଏହି ଭୁତାଣୁର ଆକ୍ରାନ୍ତ ହୋଇଥିବା ବେଳେ ୭ ଜଣଙ୍କ ମୃତ୍ୟୁ ଘଟିଛି। ସଂକ୍ରମଣ ରୋକିବା ପାଇଁ ସେଠାକାର ସରକାର ୧୧ଟି ପ୍ରମୁଖ ସହର ଉପରେ କଡା ନଜର ରଖିଛନ୍ତି ଓ ବିଭିନ୍ନ ସ୍ଥାନରେ ମଧ୍ୟ କର୍ଫ୍ୟୁ ଜାରି କରାଯାଇଛି।

ଇରାନ – ମୃତ୍ୟୁ ସଂଖ୍ୟା ୧୫
ଇରାକ ସମେତ କୁଏତ, ବାହାରିନ, ଓମାନ ଏବଂ ଆଫଗାନିସ୍ତାନରେ ଏହି ଭୁତାଣୁ ପ୍ରଥମ ଥର ପାଇଁ ବ୍ୟାପିଛି। ସୂଚନା ଅନୁଯାୟୀ କ୍ଵମ ସହରରେ କୋଭିଡ-୧୯ ସଂକ୍ରମଣରେ ଏକା ଥରକେ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି କିନ୍ତୁ ସରକାରୀ ଭାବେ ଏହା ସ୍ପଷ୍ଟ କରାଯାଇନାହିଁ।

ହଂକଂ – ମୃତ୍ୟୁ ସଂଖ୍ୟା ୨
ହଂକଂରେ ୬୯ ଜଣ କରୋନା ଭୁତାଣୁରେ ଆକ୍ରାନ୍ତ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି ତେବେ ସେଠାକାର ସରକାର ଚୀନରୁ ଆସୁଥିବା ପର୍ଯ୍ୟଟକ ଓ ଅନ୍ୟମାନଙ୍କ ଉପରେ କଟକଣା ଜାରି କରିଛନ୍ତି। ଗତ କାଲି ସ୍ଥାନୀୟ ପ୍ରଶାସନର ଘୋଷଣା ଅନୁଯାୟୀ, କିଛି ଅଂଚଳର ଲୋକଙ୍କୁ ସ୍ଥାନାନ୍ତର କରାଯିବାର ସମ୍ଭାବନା ରହିଛି।

ଫ୍ରାନ୍ସ – ମୃତ୍ୟୁ ସଂଖ୍ୟା ୨
କରୋନା ଭାଇରସରେ ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସେଠାକାର ସ୍ୱାସ୍ଥ୍ୟ ମନ୍ତ୍ରୀ ଘୋଷଣା କରିଛନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ପୂର୍ବରୁ ଜଣେ ୮୦ ବର୍ଷୀୟ ଚୀନ ପର୍ଯ୍ୟଟକ ସଂକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଥିଲେ।

ଜାପାନ – ମୃତ୍ୟୁ ସଂଖ୍ୟା ୧
ଜାପାନରେ କରୋନା ସଂକ୍ରମଣ ସଂଖ୍ୟା ୧୫୯ରେ ସ୍ଥିର ରହିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଡାଇମଣ୍ଡ ପ୍ରିନସେସ ଜାହାଜରେ ଥିବା କର୍ମଚାରୀ ଓ ଯାତ୍ରୀଙ୍କୁ ଠିକ ସମୟରେ ସହାୟତା ନ କରିବାରୁ ସେଥିରେ ଥିବା ୬୯୧ ଜଣଙ୍କୁ ଏହି ଭୁତାଣୁ ସଂକ୍ରମଣ ହୋଇଥିବା ବେଳେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି।

ଫିଲିପାଇନ୍ସ – ମୃତ୍ୟୁ ସଂଖ୍ୟା ୧
ଚୀନ ବାହାରେ ଗତ ମାସରେ ଫିଲିପାଇନ୍ସରେ କରୋନା ଯୋଗୁ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ୪୪ ବର୍ଷୀୟ ହୁଆନର ଜଣେ ଅଧିବାସୀ ଫିଲିପାଇନ୍ସରେ ଏହି ସଂକ୍ରମଣର ଶିକାର ହେବ ପରେ ମୃତ୍ୟୁମୁଖରେ ପଡ଼ିଥିଲେ।

ତାଇୱାନ – ମୃତ୍ୟୁ ସଂଖ୍ୟା ୧
ଜାନୁଆରୀ ୨୧ରେ ଜଣେ ୫୦ ବର୍ଷ ବୟସ୍କ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହୁଆନରେ ଶିକ୍ଷୟିତ୍ରୀ ଥିଲେ ଓ କରୋନା ପୀଡିତ ହେବା ପରେ ନିଜ ଦେଶକୁ ଫେରିଆସିଥିଲେ। ପରେ ସେଠାରେ ୩୦ ଜଣଙ୍କୁ ଏହି ସଂକ୍ରମଣ ହୋଇଥିବା ରକ୍ତ ନମୁନା ପରୀକ୍ଷାରୁ ଜଣାପଡିଛି।

Comments are closed.