କରୋନା ଜାତୀୟ ବିପତ୍ତି ଘୋଷିତ – ଭାରତରେ ମୃତ୍ୟୁ ସଂଖ୍ୟା ୩

- ମୃତକ ପରିବାରକୁ ୪ଲକ୍ଷ ସହାୟତା - ପଦ୍ମ ସମ୍ମାନ ପ୍ରଦାନ ଉତ୍ସବ ସ୍ଥଗିତ - ନେପାଳ, ଭୁଟାନ, ବାଂଲାଦେଶ, ମ୍ୟାଁମାର ସୀମା ସିଲ୍‌ - ଦିନକରେ ଇଟାଲୀରେ ୭୬, ଇରାନ୍‌ରେ ୯୭ ମୃତ

ନୂଆଦିଲ୍ଲୀ: ଭାରତରେ ‘କରୋନା’ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ବଢ଼ିଚାଲିଛି। ଶନିବାର ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୮୪ ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୩ ହୋଇଛି। ପୂର୍ବରୁ ବେଙ୍ଗାଲୁରୁ ଓ ଦିଲ୍ଲୀରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶନିବାର ମହାରାଷ୍ଟ୍ରରେ ଜଣେ ୭୧ ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ସମ୍ପୃକ୍ତ ବ୍ୟକ୍ତି ସାଉଦି ଆରବରୁ ଫେରି ଚିକିତ୍ସାଧୀନ ଥିଲେ। ତାଙ୍କ ଘର ବୁଲଧାନା ଜିଲାରେ। ସେ ଉଚ୍ଚ ରକ୍ତଚାପ ଓ ବହୁମୁତ୍ର ରୋଗରେ ମଧ୍ୟ ପୀଡ଼ିତ ଥିଲେ ବୋଲି ଡାକ୍ତରଖାନା ସୂତ୍ରାରୁ ପ୍ରକାଶ। ସଂକ୍ରମିତ ୮୪ ଜଣଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୪ହଜାର ଲୋକଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା ସରକାରୀ ଭାବେ କୁହାଯାଇଛି। ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ କେନ୍ଦ୍ର ସରକାର କରୋନା ସଂକ୍ରମଣକୁ ‘ଜାତୀୟ ବିପତ୍ତି’ ଭାବେ ଘୋଷଣା କରିଛନ୍ତି। ଏହି ଅନୁସାରେ ମୃତକଙ୍କ ପିଛା ୪ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ରାଶି ପ୍ରଦାନ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ପ୍ରତି ରାଜ୍ୟର ବିପର୍ୟ୍ୟୟ ମୁକାବିଲା ପାଣ୍ଠି (ଏସ୍‌ଡିଆରଏଫ୍‌)ରୁ ଏହି ଏକକାଳୀନ ସହାୟତା ପ୍ରଦାନ କରାଯିବ। ଏଥିସହିତ ସଂକ୍ରମିତଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

ଅପରପକ୍ଷରେ ଆଇଟିବିପି ତତ୍ତ୍ବାବଧାନରେ ଥିବା ୧୧୨ ଜଣ ଉହାନ ଫେରନ୍ତାଙ୍କୁ ଶନିବାର ଡାକ୍ତରଖାନାରୁ ଛାଡ଼ କରାଯାଇଛି। ଆଫ୍ରିକୀୟ ରାଷ୍ଟ୍ର ରୁଆଣ୍ଡାରେ ଜଣେ ଭାରତୀୟ ସଂକ୍ରମିତ ହୋଇଥିବା ଖବର ମିଳିଛି। ଇଟାଲୀର ମିଲାନ୍‌ଠାରେ ଥିବା ଭାରତୀୟ ଛାତ୍ରଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି। ଲକ୍ଷ୍ନୌରେ ଜଣେ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାବେଳେ କେରଳରେ ଏକ ସନ୍ଦିଗ୍ଧ ଆମେରିକୀୟ ଦମ୍ପତିଙ୍କୁ ଅଟକ ରଖାଯାଇଛି। ମହାରାଷ୍ଟ୍ରରେ ଆଉ ଦୁଇ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଭାରତୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ମୋଟ ୧୨ଲକ୍ଷ ସନ୍ଦିଗ୍ଧଙ୍କୁ ଯାଞ୍ଚ କରାଗଲାଣି। ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୧୮୦୦ ଛୁଇଁବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାକୁ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି। ଟ୍ରମ୍ପ ପ୍ରଶାସନ ପକ୍ଷରୁ କରୋନା ମୁକାବିଲା ପାଇଁ ୫୦ବିଲିୟନ ଡଲାର ମଞ୍ଜୁର କରାଯାଇଛି। ଇରାନ୍‌ରେ ଆଉ ୯୭ ମୃତ୍ୟୁ ସହିତ ମୋଟ ଜୀବନହାନି ସଂଖ୍ୟା ୬୧୧ରେ ପହଞ୍ଚିଛି। ଇରାନ ମୋଟ ୧୨ହଜାର ୭୩୦ ସଂକ୍ରମିତ ହୋଇଛନ୍ତି। ଚୀନ୍‌ରୁ ଆରମ୍ଭ ହୋଇଥିବା ଏହି ଭୂତାଣୁଜନିତ ମହାମାରୀ ଯୋଗୁଁ ସାରା ବିଶ୍ବରେ ସଂକ୍ରମିତଙ୍କ ସଂଖ୍ୟା ଇତିମଧ୍ୟରେ ଦେଢ଼ ଲକ୍ଷ ଅତିକ୍ରମ କରିଛି ଓ ମୃତ୍ୟୁ ସଂଖ୍ୟା ୫୩୦୦ ଛୁଇଁଛି। ଚୀନ୍‌ରେ ଏହାର ପ୍ରଭାବ ହ୍ରାସ ପାଇଥିବା ଲକ୍ଷ୍ୟ କରାଯାଇଛି। ଦିନକରେ (ଶନିବାର) କରୋନା ଭୂତାଣୁ ଦ୍ବାରା ଇଟାଲୀରେ ୭୬ ଓ ଇରାନ୍‌ରେ ୯୭ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। କରୋନା ଯୋଗୁଁ ଇଟାଲୀରେ ମୋଟ୍‌ ମୃତ୍ୟୁସଂଖ୍ୟା ୧୪୪୧ରେ ପହଞ୍ଚିଥିବାବେଳେ ଇରାନ୍‌ରେ ୬୧୧ ଛୁଇଁଛି। ଡେନମାର୍କ ଓ ନ୍ୟୁୟର୍କ ସିଟିରେ ଆଜି ପ୍ରଥମ କରୋନା ମୃତ୍ୟୁ ଦେଖାଦେଇଛି।

କରୋନା ମୁକାବିଲା ଲାଗି କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବାବେଳେ ଆସନ୍ତା ଏପ୍ରିଲ ୩ରେ ହେବାକୁ ଥିବା ସମ୍ମାନଜନକ ପଦ୍ମ ପୁରସ୍କାର ପ୍ରଦାନ ଉତ୍ସବକୁ ସ୍ଥଗିତ ରଖିଛନ୍ତି। ପରବର୍ତ୍ତୀ ସମୟରେ ସାନି ତାରିଖ ଘୋଷଣା କରାଯିବ ବୋଲି ଶନିବାର ଏକ ବିଜ୍ଞପ୍ତିରେ କୁହାଯାଇଛି। ଭାରତ ସରକାରଙ୍କ ପକ୍ଷରୁ ପଦକ୍ଷେପ ସ୍ବରୂପ ନେପାଳ, ଭୁଟାନ, ବାଂଲାଦେଶ ଓ ମ୍ୟାଁମାରର ସ୍ଥଳପଥର ପ୍ରବେଶ ସୀମାକୁ ବନ୍ଦ କରାଯାଇଛି। ଯାତ୍ରୀମାନଙ୍କ ଯାତାୟାତ ଉପରେ କଟକଣା ଆଜି ମଧ୍ୟରାତ୍ରିରୁ ଲଗାଯାଇଛି। ୧୬ତାରିଖଠାରୁ ଏହି କଟକଣା ଭାରତ-ପାକିସ୍ତାନ ସୀମା ପ୍ରବେଶ ପଥରେ ଲାଗୁ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଗୋଆ ଓ ମହାରାଷ୍ଟ୍ରରେ ପବ୍‌, କ୍ୟାସିନୋ, ସୁଇମିଙ୍ଗଫୁଲ ଓ ମଲ୍ଟିପ୍ଲେକ୍ସ ଗୁଡ଼ିକୁ ଆସନ୍ତା ୩୧ ପର୍ୟ୍ୟନ୍ତ ବନ୍ଦ କରିଦିଆଯାଇଛି। ବିହାରର ସମସ୍ତିପୁରରେ କରୋନା ସଂକ୍ରମଣ ଆଶଙ୍କାରେ ୧୪୪ଧାରା ଜାରି କରାଯାଇଥିବାବେଳେ ପଞ୍ଚାୟତ ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଉତ୍ତରପ୍ରଦେଶର ସନ୍ଥକବୀର ନଗରରେ ଜଣେ ଚୀନ୍‌ ଫେରନ୍ତା କରୋନା ସନ୍ଦିଗ୍ଧ ସ୍ବାସ୍ଥ୍ୟପରୀକ୍ଷା ପାଇଁ ହସ୍ପିଟାଲରେ ପହଞ୍ଚିବା ପରେ ସଂକ୍ରମଣ ଆଶଙ୍କାରେ ଡାକ୍ତର ଜଣକ ଚୌକି ଛାଡି ଚାଲିଯିବା ଭଳି ଘଟଣା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କରମର୍ଦ୍ଦନ ପରିବର୍ତ୍ତେ ବିଶ୍ବନେତାଙ୍କ ମଧ୍ୟରେ ଆରମ୍ଭ ‘ନମସ୍ତେ’ ପ୍ରକ୍ରିୟା। ଭାରତର ଏହି ପ୍ରାଚୀନ ବିଚାରଧାରାକୁ ଏବେ କରୋନା ମୁକାବିଲା ଲାଗି ସମସ୍ତେ ଆପଣେଇଛନ୍ତି। ବ୍ରିଟେନ୍‌ ଯୁବରାଜଙ୍କଠାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପର୍ୟ୍ୟନ୍ତ ସମସ୍ତେ ପରସ୍ପର ଅଭିବାଦନ ଲାଗି ନମସ୍କାର ମୁଦ୍ରା ଗ୍ରହଣ କରିଛନ୍ତି।

Comments are closed.