କରୋନା ଅପଡେଟ – ସୁସ୍ଥ ହେଲେଣି ୨୪, ସଂକ୍ରମିତ ୩୩୨

ସମାଜ ପୋର୍ଟାଲ ଡେସ୍କ: ଭାରତରେ କରୋନା ଭୂତାଣୁ ବା କୋଭିଡ଼୍-୧୯ ଜନିତ ସଂକ୍ରମଣ ସଂଖ୍ୟା ୩୦୩କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରେ ୪୧ ଜଣ ବିଦେଶୀ ନାଗରିକ ଅଛନ୍ତି। ମୋଟ ପଜିଟିଭ୍ ମାମଲା ମଧ୍ୟରୁ ୨୪ ଜଣ ସୁସ୍ଥ ହେବା ପରେ ଘରକୁ ଛାଡ଼ି ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଦେଶର ବିମାନ ବନ୍ଦରଗୁଡ଼ିକରେ ୧୪ ଲକ୍ଷ ୯୦ ହଜାର ଯାତ୍ରୀଙ୍କର ସ୍କ୍ରିନିଂ କରାଯାଇଥିବା ଜଣାପଡ଼ିଛି।
ଫେରିଲେ ୨୬୩ ଭାରତୀୟ
ଏୟାର୍ ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନରେ ୨୬୩ ଜଣ ଭାରତୀୟ ରୋମ୍ରୁ ଆସି ଆଜି ସକାଳେ ଦିଲ୍ଲୀରେ ପହଞ୍ଚିଛନ୍ତି। ସ୍ଥାନାନ୍ତରିତ ହୋଇ ଆସିଥିବା ଏହି ସମସ୍ତ ଲୋକଙ୍କୁ ନୂଆଦିଲ୍ଲୀର ଛାୱଲାସ୍ଥିତି ଆଇ.ଟି.ବି.ପି. କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରଖାଯାଇଛି। ଗତକାଲି ଏୟାର୍ ଇଣ୍ଡିଆର ଏହି ୭୮୭ ଡ୍ରିମ୍ଲାଇନର୍ ବିମାନକୁ ରୋମ୍ ପଠାଯାଇଥିଲା। କରୋନା ସଂକ୍ରମଣର ବ୍ୟାପକତା ଦୃଷ୍ଟିରୁ ସେଠାରେ ଥିବା ଭାରତୀୟମାନଙ୍କୁ ଏହି ବିମାନ ମାଧ୍ୟରେ ସ୍ଥାନାନ୍ତରିତ କରି ଅଣାଯାଇଛି।
ଇଟାଲୀରେ ଗୋଟିଏ ଦିନରେ ରେକର୍ଡ଼ ମୃତ୍ୟୁ
ବିଶ୍ୱବ୍ୟାପୀ କୋଭିଡ଼୍-୧୯ ସଂକ୍ରମଣରେ ମୃତ୍ୟୁସଂଖ୍ୟା ୧୨ ହଜାର ୭୨୫ରେ ପହଞ୍ଚିଛି। ଅନ୍ୟପକ୍ଷରେ ଇଟାଲୀରେ ଗୋଟିଏ ଦିନରେ ରେକର୍ଡ଼ ସଂଖ୍ୟକ ୮୦୦ ଲୋକଙ୍କର ମୃତ୍ୟୁ ଘଟିଛି। ଫ୍ରାନ୍ସରେ ଏହି ସଂଖ୍ୟା ୧୧୨ରୁ ୫୬୨କୁ ବୃଦ୍ଧି ପାଇଛି। ପୁଲିସ୍ ଅଧିକାରୀମାନେ କହିଛନ୍ତି, ଲୋକମାନଙ୍କୁ ସେମାନଙ୍କ ଘରେ ରହିବାପାଇଁ ସରକାରଙ୍କ ପକ୍ଷରୁ ହେଲିକପ୍ଟର ଓ ଡ୍ରୋନ୍ ମୁତୟନ କରାଯାଇଛି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାରେ ଏହି ସଂଖ୍ୟା ୧ ହଜାର ଅତିକ୍ରମ କରିଛି, ଯେଉଁଠାରେ କି ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଓ ସାମାଜିକ ଦୂରତା ରକ୍ଷା କରିବା କଷ୍ଟକର ହୋଇପଡ଼ିଛି। କଙ୍ଗୋ, ଫିନ୍ଲ୍ୟାଣ୍ଡ, ଲିଥୁଆନିଆ ଏବଂ ମରିସସରେ ଗତକାଲି କରୋନା ସଂକ୍ରମଣରେ ଜଣେ ଲେଖାଏଁ ଲୋକଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେହିପରି ଲାଟିନ୍ ଆମେରିକା, ବୋଲିଭିଆରେ ନାଗରିକମାନଙ୍କୁ ଆଜିଠାରୁ ଘରେ ରହିବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ କଲମ୍ବିଆରେ ଆସନ୍ତା ମଙ୍ଗଳବାରଠାରୁ ଲୋକମାନଙ୍କୁ ଘରେ ରହିବାକୁ ବାଧ୍ୟତାମୂଳକ କରାଯିବ।
ରାଜସ୍ଥାନ ସଂପୂର୍ଣ୍ଣ ଲକ୍ଡାଉନ୍
ରାଜସ୍ଥାନରେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଲକ୍ଡାଉନ୍ ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିର୍ଦ୍ଦେଶ ଦେଇଛନ୍ତି। କେତେକ ଅତ୍ୟାବଶ୍ୟକ ସେବା ବ୍ୟତୀତ ସମସ୍ତ ସରକାରୀ ଓ ବେସରକାରୀ ଅଫିିସ୍, ମଲ, ଦୋକାନ, କାରଖାନା ଏବଂ ଯାତ୍ରୀବାହୀ ପରିବହନ ସେବା ଏହି ଲକ୍ଡାଉନ୍ ସମୟରେ ବନ୍ଦ ରହିବ। ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ପରିସରଭୁକ୍ତ ପରିବାରଗୁଡ଼ିକୁ ଆସନ୍ତା ମେ ମାସ ପର୍ଯ୍ୟନ୍ତ ମାଗଣାରେ ଗହମ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଲକ୍ ଡାଉନ୍ ସମୟରେ କୌଣସି କର୍ମଚାରୀଙ୍କୁ କାର୍ଯ୍ୟରୁ ବାହାର ନ କରିବା ଏବଂ ସେହିସମୟ ପାଇଁ ସବୈତନିକ ଛୁଟି ମଂଜୁର ପାଇଁ କାରଖାନା ମାଲିକମାନଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ଗେହଲଟ କହିଛନ୍ତି କରୋନା ଭୂତାଣୁ ସଂକ୍ରମଣରୁ ଜନସାଧାରଣଙ୍କ ଜୀବନ ରକ୍ଷା କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।
ଟେଷ୍ଟିଂ କିଟ୍ ପାଇଁ ମୋଦୀଙ୍କ ଆହ୍ୱାନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ-୧୯ ଟେଷ୍ଟିଂ କିଟ୍ ଯୁଦ୍ଧକାଳୀନ ଭିତ୍ତିରେ ଉତ୍ପାଦନ କରିବାପାଇଁ ବିଭିନ୍ନ ଫାର୍ମା କମ୍ପାନିଗୁଡ଼ିକୁ ଆହ୍ୱାନ କରିଛନ୍ତି। କରୋନା ଭୂତାଣୁ, କୋଭିଡ-୧୯ର ସଂକ୍ରମଣକୁ ଦୃଷ୍ଟିରେ ରଖି ଗତକାଲି ପ୍ରଧାନମନ୍ତ୍ରୀ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବିଭିନ୍ନ ଫାର୍ମା କମ୍ପାନିଗୁଡ଼ିକର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର ଜରୁରୀକାଳୀନ ଔଷଧ ଏବଂ ମେଡିକାଲ୍ ସରଞ୍ଜାମ ଉତ୍ପାଦନ ପାଇଁ ୧୪ ହଜାର କୋଟି ଟଙ୍କା ମଞ୍ଜୁରି ପ୍ରଦାନ କରିଛନ୍ତି। କୋଭିଡ଼୍-୧୯ର ମୁକାବିଲାପାଇଁ ଔଷଧ କମ୍ପାନୀଗୁଡ଼ିକର ପ୍ରସ୍ତୁତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ। ଭାରତରେ ସମସ୍ତ ପ୍ରକାର ଆବଶ୍ୟକୀୟ ଫାର୍ମା ସାମଗ୍ରୀ ମହଜୁଦ ରହିଛି ଏବଂ ଏଥିଲାଗି ବ୍ୟସ୍ତ ହେବାର କୌଣସି କାରଣ ନାହିଁ ବୋଲି କମ୍ପାନିଗୁଡ଼ିକ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ସୁନିଶ୍ଚିତ କରାଯାଇଛି। କୋଭିଡ୍-୧୯କୁ ନିୟନ୍ତ୍ରଣ କରିବା ଲାଗି ସରକାରଙ୍କ ସହିତ ମିଶି କାର୍ଯ୍ୟ କରିବେ ବୋଲି କମ୍ପାନିଗୁଡ଼ିକ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦିଆଯାଇଛି।
ବୈଷୟିକ କମିଟି ଗଠିତ
ଦେଶରେ କୋଭିଡ଼୍-୧୯ର ମୁକାବିଲା ଏବଂ ନିୟନ୍ତ୍ରଣ ପାଇଁ ସରକାର ଜନସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଷୟିକ କମିଟି ଗଠନ କରିଛନ୍ତି। ନୀତି ଆୟୋଗର ସଭ୍ୟ ଡକ୍ଟର ଭି.କେ. ପାଲ୍ଙ୍କ ନେତୃତ୍ୱରେ ଏହି ୨୧ ଜଣିଆ କମିଟି ଗଠନ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦନ ଏବଂ ଭାରତୀୟ ଡାକ୍ତରୀ ଗବେଷଣା ପରିଷଦର ମହାନିର୍ଦ୍ଦେଶକଙ୍କୁ ଏହାର ସହ-ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି।
କରୋନା ସଂକ୍ରମଣର ବ୍ୟାପକତାକୁ ରୋକିବାପାଇଁ ଇଟାଲୀର ଲୋମ୍ବାଡ଼ି ପ୍ରଦେଶରେ ଅନେକ କଠୋର କଟକଣା ଲାଗୁ କରାଯାଇଛି। ଗତକାଲି ଘୋଷଣା କରାଯାଇଥିବା ଏହି ନୂଆ କଟକଣା ଅନୁସାରେ ବ୍ୟକ୍ତିଗତ ଭାବେ ତଥା ବାହାରେ କ୍ରୀନା ଓ ଶାରୀରିକ ବ୍ୟାୟାମ ଆଦି କାର୍ଯ୍ୟକଳାପକୁ ବନ୍ଦ୍ କରାଯାଇଛି। ଗତକାଲି ଇଟାଲୀରେ କରୋନା ଭୂତାଣୁ ସଂକ୍ରମଣରେ ମୃତ୍ୟୁସଂଖ୍ୟା ୮୦୦ ଅତିକ୍ରମ କରିଥିବାବେଳେ ମୋଟ ମୃତ୍ୟୁସଂଖ୍ୟା ୪ ହଜାର ୮୨୫ରେ ପହଞ୍ଚିଛି, ଯାହାକି ବିଶ୍ୱରେ ସର୍ବାଧିକ। ତେବେ ଦେଶର ଏହି ଲୋମ୍ବାର୍ଡ଼ି ପ୍ରଦେଶ ସର୍ବାଧିକ ପ୍ରଭାବିତ ହୋଇଛି, ଯେଉଁଠାରେ ୩ ହଜାର ୯୫ ଜଣଙ୍କର ମୃତ୍ୟୁ ଘଟିଛି।
ଜନତା କର୍ଫ୍ୟୁ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, କରୋନା ଭୂତାଣୁ ବିରୋଧରେ ସଂଗ୍ରାମ ପାଇଁ ପାଳିତ ହେଉଥିବା ଜନତା କର୍ଫ୍ୟୁ ସମୟରେ ବିଶିଷ୍ଟ ବ୍ୟକ୍ତିମାନେ ନିଜେ ଘରେ ରହିବା ସହ ଲୋକମାନଙ୍କୁ ଘରେ ରହିବାକୁ ଉତ୍ସାହିତ କରୁଛନ୍ତି। ଏହି କର୍ଫ୍ୟୁ ପ୍ରତି ବିପୁଳ ଜନ ସମର୍ଥନ ମିଳିଛି। ଏକ ଟ୍ୱିଟ୍ରେ ପ୍ରଧାନମନ୍ତ୍ରୀ କହିଛନ୍ତି, କରୋନା ବିରୋଧୀ ଲଢ଼େଇରେ ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ମୂଲ୍ୟବାନ୍ ସୈନିକର ଦାୟିତ୍ୱ ତୁଲାଉଛନ୍ତି। ସେମାନଙ୍କର ସତର୍କତା ଓ ସଚେତନତା ଲକ୍ଷ ଲକ୍ଷ ଜୀବନ ବଞ୍ଚାଇବାରେ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ସାମାଜିକ ବ୍ୟବଧାନ ରକ୍ଷା ଓ ଡିଜିଟାଲ୍ ପେମେଣ୍ଟ ଦ୍ୱାରା ଆମେ ବର୍ତ୍ତମାନ ପରିସ୍ଥିତିର ମୁକାବିଲା କରିବାର ସମୟ ଆସିଛି। ଲୋକେ ଏହାକୁ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଭାରତବାସୀ ଏକାଠି ରହିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ମିଳିତ ଭାବେ କରୋନା ଭୂତାଣୁର ମୁକାବିଲା ପାଇଁ ସଂଗ୍ରାମ କରିବାକୁ ଆଗେଇ ଆସିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଦେଶର ବିଭିନ୍ନ ସହରରେ କାମ କରୁଥିବା ଭାରତୀୟମାନେ ଏବେ ଯିଏ ଯେଉଁଠି ଅଛନ୍ତି, ସେଠାରେ ରହିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିବେଦନ କରିଛନ୍ତି। କରୋନା ଭୂତାଣୁ ସଂକ୍ରମଣ ଭୟରେ ସେମାନେ ଛାନିଆ ହୋଇ ପ୍ରାଣ ବିକଳରେ ବସ୍, ଟ୍ରେନ୍ ଧରି ତରତରରେ ଘରକୁ ନ ଆସିବାକୁ ସେ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରବାସରେ ଥିବା ଲୋକମାନେ ଏବେ ଘରମୁହାଁ ହେଲେ ନିଜର ସ୍ୱାସ୍ଥ୍ୟ ତଥା ସେମାନଙ୍କର ପରିବାର ପ୍ରତି ବିପଦ ସୃଷ୍ଟି ହୋଇପାରେ। ଦେଶର ବିଭିନ୍ନ ବଡ଼ ବଡ଼ ସହରରେ ରହୁଥିବା ଲୋକମାନେ କରୋନା ଭୟରେ ଛାନିଆରେ ଗାଁ ମୁହାଁ ହେଉଥିବା ଖବର ମିଳିବା ପରେ ପ୍ରଧାନମନ୍ତ୍ରୀ ଟ୍ୱିଟର୍ ଯୋଗେ ଏହି ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଯିଏ ଯେଉଁଠି ଅଛନ୍ତି, ସେଠାରେ ସତର୍କତାର ସହ କିଛିଦିନ ଚଳନ୍ତୁ ଏବଂ ଜନଗହଳିପୂର୍ଣ୍ଣ ସ୍ଥାନକୁ ବର୍ଜନ କରନ୍ତୁ।
ଭାରତୀୟ ଭେଷଜ ଗବେଷଣା ପରିଷଦ – ଆଇ.ସି.ଏମ୍.ଆର୍. ଘରୋଇ ଲାବୋରେଟୋରୀଗୁଡ଼ିକ ନିମନ୍ତେ କରୋନା ଭୂତାଣୁ ସଂକ୍ରମଣର ପରୀକ୍ଷା ପାଇଁ ନିର୍ଦ୍ଦେଶାବଳୀ ଘୋଷଣା କରିଛି। ଦେଶରେ ଅଧିକରୁ ଅଧିକ ସଂଖ୍ୟକ ପରୀକ୍ଷାଗାର ସୁବିଧା ଲୋକଙ୍କୁ ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହା କରାଯାଇଛି। ଘରୋଇ ଲାବୋରେଟୋରୀଗୁଡ଼ିକ ଆଇ.ସି.ଏମ୍.ଆର୍. ଅଧୀନରେ କାର୍ଯ୍ୟ କରିବେ। ଆବଶ୍ୟକ ଯୋଗ୍ୟତା ଥିବା ଡାକ୍ତରଙ୍କ ସୁପାରିସକ୍ରମେ ଘରୋଇ ଲାବୋରେଟୋରୀଗୁଡ଼ିକ କରୋନା ଭୂତାଣୁ ସଂକ୍ରମଣର ପରୀକ୍ଷା କରିପାରିବେ। ତେବେ ଏହିସବୁ ଘରୋଇ କେନ୍ଦ୍ରଗୁଡ଼ିକୁ ଆଇ.ସି.ଏମ୍.ଆର୍.ର ପୁଣେ ସ୍ଥିତ ଗବେଷଣାଗାରର ବ୍ୟାବସାୟିକ କିଟ୍ ବ୍ୟବହାର କରିବାକୁ ପଡ଼ିବ। ଏହାଛଡ଼ା ଆଇ.ସି.ଏମ୍.ଆର୍. କରୋନା ସଂକ୍ରମିତ ରୋଗୀମାନଙ୍କ ପରୀକ୍ଷାର ମାନଦଣ୍ଡରେ ମଧ୍ୟ ପରିବର୍ତ୍ତନ କରିଛି।
ସମଗ୍ର ଭାରତ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଜନତା କର୍ଫ୍ୟୁ ପାଳନ କରୁଛି। କରୋନା ଭୂତାଣୁ ସଂକ୍ରମଣକୁ ରୋକିବାପାଇଁ ଜନ ସଚେତନତା ସୃଷ୍ଟି ଏବଂ ସାମାଜିକ ବ୍ୟବଧାନ ରଖିବା ପ୍ରୟାସରେ ଦିଆଯାଇଥିବା ଏହି ଡକରା ପ୍ରତି ବିପୁଳ ସ୍ୱତସ୍ଫୂର୍ତ୍ତ ସମର୍ଥନ ମିଳିଛି। ସାରା ଦେଶର ରାସ୍ତାଘାଟ, ସହର ବଜାର, ଗାଁଗଣ୍ଡାର ରାସ୍ତା ଜନଶୂନ୍ୟ ହୋଇଯାଇଛି। ଲୋକେ ନିଜ ନିଜ ଘରେ ରହିଥିବାବେଳେ ଦୋକାନ ବଜାର ଓ ଗାଡ଼ି ମଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ୍ ରହିଛି। କେବଳ ଅତ୍ୟାବଶ୍ୟକ ସେବାକୁ ଛାଡ଼ିଦେଲେ ଆଉ ସବୁକ୍ଷେତ୍ର ସମ୍ପୂର୍ଣ୍ଣ ନିରବ ହୋଇଯାଇଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ଜନତା କର୍ଫ୍ୟୁ ଆଜି ରାତି ୯ଟା ପର୍ଯ୍ୟନ୍ତ ଚାଲିବ।
ଚଳିତ ମାସ ୧୯ ତାରିଖରେ ପ୍ରଧାନମନ୍ତ୍ରୀ ଜନତା କର୍ଫ୍ୟୁ ପାଳନ ପାଇଁ ଦେଶବାସୀଙ୍କୁ ନିବେଦନ କରିଥିଲେ। ଏଥିସହିତ କରୋନା ବିପତ୍ତିର ଏହି ସଙ୍କଟ କାଳରେ ଡାକ୍ତର, ନର୍ସ, ହସ୍ପିଟାଲ୍ କର୍ମଚାରୀ, ସଫେଇ କର୍ମଚାରୀ, ଏୟାର୍ ଲାଇନ୍ସ୍ କର୍ମଚାରୀ, ସରକାରୀ କର୍ମଚାରୀ, ପୁଲିସ୍, ଗଣମାଧ୍ୟମ, ସାଧାରଣ ପରିବହନ ସହ ସମ୍ପୃକ୍ତ କର୍ମଚାରୀଙ୍କୁ ଏହି କର୍ଫ୍ୟୁରୁ ମୁକ୍ତ ରଖାଯାଇଛି। ଏହିସବୁ ଅତ୍ୟାବଶ୍ୟକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କୁ କୃତଜ୍ଞତା ଜଣାଇବା ଉଦ୍ଦେଶ୍ୟରେ ଆଜି ସନ୍ଧ୍ୟା ୫ଟାବେଳେ ନିଜ ନିଜ ଘର ବାଲ୍କୋନୀରେ ଛିଡ଼ାହୋଇ ଲୋକେ ଘଣ୍ଟଘଣ୍ଟା, ଶଙ୍ଖ ଆଦି ବଜାଇବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି।
ଓଡ଼ିଶାରେ ଆଜି ଜନତା କର୍ଫ୍ୟୁ ପ୍ରତି ବିପୁଳ ସମର୍ଥନ ମିଳିଛି। ରାଜଧାନୀ ଭୁବନେଶ୍ୱର ସହିତ କଟକ, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା, ଅନୁଗୁଳ, ବାଲେଶ୍ୱର ଆଦି ପ୍ରମୁଖ ସହରଗୁଡ଼ିକ ସମ୍ପୂର୍ଣ୍ଣ ବନ୍ଦ୍ ରହିଛି। ଆଜି ମଧ୍ୟ ଓଡ଼ିଶା ସରକାର ୫ଟି ଜିଲ୍ଲାର ୮ ସହରରେ ଲକ୍ଡାଉନ୍ ଘୋଷଣା କରିଥିବାରୁ ସେଠାରେ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ୍ ପାଳନ କରାଯିବ। ସମଗ୍ର ପଶ୍ଚିମବଙ୍ଗରେ ମଧ୍ୟ ଜନତା କର୍ଫ୍ୟୁ ପ୍ରତି ବିପୁଳ ଜନ ସମର୍ଥନ ମିଳିଛି। ରାଜଧାନୀ କୋଲ୍କାତା ସମେତ ରାଜ୍ୟର ସବୁ ବଡ଼ ବଡ଼ ସହର ବନ୍ଦ୍ ରହିଛି। ମେଟ୍ରେ ଓ ରେଳ ଚଳାଚଳ କରୁ ନାହିଁ। ମହରାଷ୍ଟ୍ରରେ ମଧ୍ୟ ଜନତା କର୍ଫ୍ୟୁର ପ୍ରଭାବ ବେଶ୍ ଭଲ ଅନୁଭୂତ ହୋଇଛି। ରାଜଧାନୀ ମୁମ୍ବାଇ ସମେତ ରାଜ୍ୟର ସମସ୍ତ ବଡ଼ ବଡ଼ ସହର ଓ ବଜାର ବନ୍ଦ୍ ରହିଛି। ତାମିଲ୍ନାଡ଼ୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ, ତେଲଙ୍ଗାନା, ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ଆସାମ ଓ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ସମୂହ, ଉତ୍ତର ପ୍ରଦେଶ, ବିହାର, ପଞ୍ଜାବ, ହରିୟାଣା, ରାଜଧାନୀ କ୍ଷେତ୍ର ଦିଲ୍ଲୀ, ଗୁଜୁରାଟ୍, ରାଜସ୍ଥାନ, ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ମଧ୍ୟ ଜନତା କର୍ଫ୍ୟୁର ପ୍ରଭାବ ଦେଖିବାକୁ ମିଳିଛି। ସାରା ଭାରତ କରୋନା ବିରୋଧୀ ସଂଘର୍ଷରେ ସମ୍ପୂର୍ଣ୍ଣ ଏକଜୁଟ୍ ହେବା ଭଳି ମନେହେଉଛି।