କରୋନା ସଂକ୍ରମଣ ବୃଦ୍ଧି କାରଣ ଖୋଜିବ କେନ୍ଦ୍ରୀୟ ଦଳ, ଫୋକସ୍‌ରେ ଓଡ଼ିଶାର ୧୦ ଜିଲା

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ସ୍ବତନ୍ତ୍ର କେନ୍ଦ୍ରୀୟ ଦଳ ଶନିବାର ୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗସ୍ତ କରିଛନ୍ତି। ଅପରପକ୍ଷରେ ଉଚ୍ଚଶକ୍ତି ସମ୍ପନ୍ନ କେନ୍ଦ୍ରୀୟ ଦଳ ପଞ୍ଜାବ ଓ ମହାରାଷ୍ଟ୍ର ଗସ୍ତ କରିଛନ୍ତି। କେନ୍ଦ୍ରୀୟ ଦଳ ସଂକ୍ରମଣ ବୃଦ୍ଧିର କାରଣ ଖୋଜିବେ ବୋଲି କୁହାଯାଇଛି। କେନ୍ଦ୍ରୀୟ ଦଳ ଗସ୍ତ କରିଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ହେଉଛନ୍ତି ହରିୟାଣା, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଗୋଆ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ ଓ ପୁଡୁଚେରୀ। ଏହି ଅଞ୍ଚଳର ମୋଟ ୬୩ଟି ଜିଲାରେ ସର୍ବାଧିକ ସଂକ୍ରମଣ ରେକର୍ଡ କରାଯାଇଥିବାରୁ ସଂକ୍ରମଣ ବୃଦ୍ଧି ନିୟନ୍ତ୍ରଣ ପାଇଁ ପରୀକ୍ଷା, ଯାଞ୍ଚକୁ ତ୍ବରାନ୍ବିତ କରିବା ସହ ଚିକିତ୍ସା ବ୍ୟବସ୍ଥା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବା ପାଇଁ ସେମାନଙ୍କ ମାଧ୍ୟମରେ କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାନୁଯାୟୀ, ଦିଲ୍ଲୀର ୯ ଜିଲା ସମେତ ହରିୟାଣାର ୧୫, ଓଡ଼ିଶାର ୧୦, ଆନ୍ଧ୍ରପ୍ରଦେଶର ୧୦, ହିମାଚଳ ପ୍ରଦେଶର ୯, ଉତ୍ତରାଖଣ୍ଡର ୭, ଗୋଆର ୨ ଓ ଚଣ୍ଡିଗଡ଼ର ଗୋଟିଏ ଜିଲା ଅନ୍ତର୍ଭୁକ୍ତ। ଏହି ଅଞ୍ଚଳଗୁଡ଼ିକୁ ନେଇ ସରକାରଙ୍କ ଚିନ୍ତା ବଢ଼ିଯାଇଥିବା କେନ୍ଦ୍ରୀୟ ଦଳ କହିଛନ୍ତି। ସମ୍ପୃକ୍ତ ୬୩ଟି ଜିଲାରେ ଆରଟି-ପିସିଆର ପରୀକ୍ଷା ବଢ଼ାଇବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ସଂକ୍ରମିତଙ୍କ ସମ୍ପର୍କରେ ଆସିଥିବା ଅନ୍ୟୂନ ୨୦ଜଣଙ୍କୁ ପରୀକ୍ଷା କରାଇବା ଓ ସଙ୍ଗରୋଧରେ ରଖିବା ପାଇଁ ନିର୍ଦେଶ ଦିଆଯାଇଛି। ଏଥିସହିତ ଟିକାକରଣକୁ ତ୍ବରାନ୍ବିତ କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।

Comments are closed.