କୋଭିଡ-୧୯ ସମ୍ପର୍କରେ ସଦ୍ୟତମ ସୂଚନା

ନୂଆଦିଲ୍ଲୀ :  ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୋଭିଡ-୧୯ ସମ୍ପର୍କରେ ସଦ୍ୟତମ ସୂଚନା ଅନୁସାରେ, ଭାରତରେ ଏବେ ସୁଦ୍ଧା କୋଭିଡ-୧୯ରେ ୧୯,୯୮୪ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ସାରିଛି। ଏମାନଙ୍କ ମଧ୍ୟରୁ ୧୯.୩୬ ପ୍ରତିଶତ ହାରରେ ୩୮୭୦ ଜଣ ଲୋକ ସୁସ୍ଥ ହୋଇ ହସ୍ପିଟାଲରୁ ଛାଡ଼ ପାଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୫୦ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ମହାମାରୀ ନିୟନ୍ତ୍ରଣ ଆଇନ,୧୮୯୭ ଅନ୍ତର୍ଗତ ଡାକ୍ତରମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ଏକ ଅଧ୍ୟାଦେଶ ଜାରି କରିବା ଲାଗି ମଧ୍ୟ କେନ୍ଦ୍ର କ୍ୟାବିନେଟ ସୁପାରିସ କରିଛନ୍ତି । ସମସ୍ତ ରାଜ୍ୟରେ ରାପିଡ ଆଣ୍ଟିବଡି ଟେଷ୍ଟ ଉପଯୋଗ କରିବା ପାଇଁ ଏକ ନିୟମ ଆଇସିଏମଆର ପକ୍ଷରୁ ଜାରି କରାଯାଇଛି। ଏହା ମଧ୍ୟ ଦୋହରା ଯାଇଛି ଯେ ରାପିଡ ଆଣ୍ଟି ବଡି ଟେଷ୍ଟ କେବଳ ନିରୀକ୍ଷଣ ସୁବିଧା ଭାବେ ଉପଯୋଗ କରାଯିବ। ଭାରତ ସରକାରଙ୍କ ପକ୍ଷରୁ ଏକ ଟେଲିଫୋନ ସର୍ବକ୍ଷେଣ କରାଯିବ ଯେଉଁଠି ନାଗରିକମାନଙ୍କୁ ଏନଆଇସି ଜରିଆରେ ୧୯୨୧ ଫୋନ ନମ୍ବରରେ ଯୋଗାଯୋଗ କରାଯିବ। ଏହା ଏକ ମୌଳିକ ସର୍ବେକ୍ଷଣ। କୋଭିଡ-୧୯ ଲକ୍ଷଣର ଉପସ୍ଥିତି ଏବଂ ସଂକ୍ରମଣ ସଂକ୍ରାନ୍ତରେ ଉପଯୁକ୍ତ ମତାମତ ଦେବା ନିମନ୍ତେ ସମସ୍ତ ନାଗରିକମାନଙ୍କୁ ଅନୁରୋଧ କରାଯାଇଛି ।

ସେହିପରି କୋଭିଡ-୧୯ ମୁକାବିଲା ଲାଗି ଲକଡାଉନ କଟକଣାରୁ ଅଧିକ କୃଷି ଓ ଜଙ୍ଗଲଜାତ ଉତ୍ପାଦ, ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟପୁସ୍ତକ ଦୋକାନ ଏବଂ ବିଦ୍ୟୁତ ପଙ୍ଖା ଦୋକାନକୁ ବାଦ ଦିଆଗଲା । ସଂଶୋଧିତ ଗାଇଡଲାଇନ ଅନୁଯାୟୀ କେତେକ କାର୍ଯ୍ୟକଳାପ ଉପରୁ ଲକଡାଉନ କଟକଣା ଛାଡ଼ କରିବା ନିମନ୍ତେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ହଟସ୍ପଟ/ଅବରୋଧ ଅଞ୍ଚଳକୁ ବାଦ ଦେଲେ ଉପରୋକ୍ତ ସାମଗ୍ରୀ କାରବାର ଉପରେ କଟକଣା କୋହଳ କରାଯିବ। ଏହି କାର୍ୟ୍ୟକଳାପକୁ ଏସବୁ ନିଷିଦ୍ଧ ଅଞ୍ଚଳରେ ଅନୁମତି ଦିଆଯିବ ନାହିଁ।
ଅନ୍ୟପକ୍ଷରେ କୋଭିଡ-୧୯ ଲକଡାଉନ କଟକଣାରୁ ସହରାଞ୍ଚଳରେ ବରିଷ୍ଠ ନାଗରିକଙ୍କୁ ଘରୋଇ ଯତ୍ନ ପ୍ରଦାନକାରୀ, ପ୍ରିପେଡ ମୋବାଇଲ ରିଚାର୍ଜ ସୁବିଧା, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟକୁ ଛାଡ଼ ଦିଆଯିବାକୁ ନିଷ୍ପତ୍ତି ହୋଇଛି। କୋଭିଡ-୧୯ ମୁକାବିଲା ପାଇଁ ଜାରି ହୋଇଥିବା ଦେଶବ୍ୟାପୀ ଲକଡାଉନରୁ କେତେକ କାର୍ଯ୍ୟକଳାପକୁ ଛାଡ଼ କରିବା ନିମନ୍ତେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସଂଶୋଧିତ ଗାଇଡଲାଇନ ଜାରି କରାଯାଇଛି। ଉପରୋକ୍ତ ଆଦେଶ ଅନୁଯାୟୀ, ନିର୍ଦ୍ଦିଷ୍ଟ ସେବା ଓ କାର୍ୟ୍ୟକଳାପକୁ କଟକଣାରୁ ଛାଡ଼ କରିବା ନିମନ୍ତେ ଅନେକ ଜାଣିବାକୁ ଚାହିଁଥିଲେ। ଏମଏଚଏ ପକ୍ଷରୁ ବର୍ତ୍ତମାନ ସ୍ପଷ୍ଟିକରଣ ଜାରି କରାଯାଇଛି ଏବଂ କେତେକ ସେବା ଉପରେ କଟକଣା କୋହଳ କରାଯାଇଛି।
ସେହିପରି ଆଇଏମଏର ଡାକ୍ତର ଓ ବରିଷ୍ଠ ପ୍ରତିନିଧିଙ୍କ ସହିତ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଆଲୋଚନା କରିଛନ୍ତି । କୋଭିଡ-୧୯ ଲଢ଼େଇରେ ସେମାନଙ୍କ ସୁରକ୍ଷା ପାଇଁ  ଆଶ୍ବାସନା ଦେଲେ । କୋଭିଡ-୧୯ ମୁକାବିଲା କ୍ଷେତ୍ରରେ ଡାକ୍ତର ସମୁଦାୟ ବର୍ତ୍ତମାନ ସୁଦ୍ଧା ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରି ଆସୁଛନ୍ତି। ଆଗକୁ ମଧ୍ୟ ସେମାନେ ସମର୍ପିତ ଭାବେ ଏହି କାର୍ୟ୍ୟ ଜାରି ରଖିବେ ବୋଲି ଗୃହ ମନ୍ତ୍ରୀ ବିଶ୍ବାସ ପ୍ରକଟ କରିଥିଲେ। ଏଥିପାଇଁ ଗୃହ ମନ୍ତ୍ରୀ ସମସ୍ତ ଡାକ୍ତରମାନଙ୍କୁ ପ୍ରଶଂସା କରିଥିଲେ। କୋଭିଡ-୧୯ ଭଳି ପ୍ରାଣଘାତି ରୋଗ କବଳରୁ ଲୋକମାନଙ୍କୁ ସୁରକ୍ଷିତ ରଖିବା ଲାଗି ଡାକ୍ତରମାନଙ୍କ ବଳିଦାନକୁ ସେ ଉଚ୍ଚ ପ୍ରଶଂସା କରିଥିଲେ।
ସ୍ବାସ୍ଥ୍ୟସେବା ପେସାଦାର, ମେଡ଼ିକାଲ କର୍ମଚାରୀ ଏବଂ ଅଗ୍ରଣୀ କର୍ମକର୍ତ୍ତାଙ୍କ ବିରୋଧରେ ହେଉଥିବା ହିଂସା ନିରାକରଣ ନିମନ୍ତେ ଯଥେଷ୍ଟ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ସ୍ବାସ୍ଥ୍ୟସେବା ପେସାଦାର, ମେଡ଼ିକାଲ କର୍ମଚାରୀ ଏବଂ ଅଗ୍ରଣୀ କର୍ମକର୍ତ୍ତାଙ୍କ ବିରୋଧରେ ହେଉଥିବା ହିଂସା ନିରାକରଣ ନିମନ୍ତେ ଯଥେଷ୍ଟ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ଲାଗି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ ନିର୍ଦ୍ଦେଶ ଦିଆଯାଇଛି। ଏମାନଙ୍କ ସେବା କାର୍ୟ୍ୟରେ ବାଧକ ସୃଷ୍ଟି କରୁଥିବା ଲୋକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦ୍ଦେଶରେ କୁହାଯାଇଛି।

Comments are closed.