କରୋନା ଅପଡେଟ୍ : ଭାରତରେ ୧୦୭୧ ସଂକ୍ରମିତ, ୨୯ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ : ଭାରତରେ କରୋନା ଭୂତାଣୁ ସଂକ୍ରମଣ ହାର କିଛିଦିନ ମଧ୍ୟରେ ଧିରେ ଧିରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୨ଟି ନୂଆ ମାମଲା ସାମ୍ନାକୁ ଆସିଛି ଓ ୪ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୭୧ରେ ପହଞ୍ଚିଛି।
କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୋମବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, କରୋନା ଭୂତାଣୁ ସଂକ୍ରମଣରେ ଏବେ ସୁଦ୍ଧା ଦେଶରେ ୨୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୦୦ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଅନ୍ୟପକ୍ଷରେ ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ (ଆଇସିଏମଆର) କହିଛି ଯେ ଏବେ ସୁଦ୍ଧା ୩୮,୪୪୨ଟି ନମୂନା ପରୀକ୍ଷା କରାଯାଇଛି। ସେଥିବଧ୍ୟରୁ ରବିବାର ୩,୫୦୧ଟି ନମୂନା ପରୀକ୍ଷା କରାଯାଇଛି। ଗତ ୩ଦିନ ମଧ୍ୟରେ ମୋଟ ୧୩,୦୩୪ଟି ନମୂନା ପରୀକ୍ଷା କରାଯାଇଛି।
ଏବେ କରୋନା ଭୂତାଣୁ ସ୍ଥାନୀୟ ସଂକ୍ରମଣରେ ରହିଛି । ତେବେ ଯଦି ଏହା ଗୋଷ୍ଠୀ ସଂକ୍ରମଣର ରୂପ ନିଏ ତେବେ ପରିସ୍ଥିତି ଉଦବେଗଜନକ ହୋଇପଡିବ।
ଅନ୍ୟପକ୍ଷରେ ଲକ୍‌ଡାଉନ ଯୋଗୁ କରୋନା ସଂକ୍ରମଣ ହାର ହ୍ରାସ ପାଇଛି । ବିଗତ ୪ ଦିନର ତଥ୍ୟକୁ ଧ୍ୟାନ ଦେଲେ ଏହା ଜଣାପଡ଼ୁଛି । ସଂକ୍ରମିତଙ୍କ ସଂଖ୍ୟା ପୂର୍ବାପେକ୍ଷା ବଢିଥିଲେ ହେଁ ଦୈନିକ ସଂକ୍ରମଣ ହାର କମିଛି। ୨୫ ତାରିଖ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୬୫୭ ଥିଲା। ୨୬ ତାରିଖରେ ୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହା ପରେ ୨୭ ତାରିଖରେ ଆକ୍ରାନ୍ତ ସଂଖ୍ୟା ୮୮୬କୁ ବଢ଼ିବା ସହିତ ୧୫୧ ନୂଆ ରୋଗୀ ଚିହ୍ନଟ ହୋଇଥିଲେ । ପରେ ୨୮ ତାରିଖରେ ୧୪୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୯ ତାରିଖରେ ଏହି ସଂଖ୍ୟା ୧୧୦ ରହିଥିଲା । ଗତ ୨୪ ଘଣ୍ଟା ମଧ୍ୟରେ ଏହା ୯୨ରେ ରହିଛି ।

Comments are closed.