କରୋନା ମୃତ୍ୟୁକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଭବିଷ୍ୟବାଣୀ : ଚୀନ୍‌ ଓ ଇଟାଲୀକୁ ଟପିବ ଆମେରିକା

ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଗତ କିଛିଦିନ ହେଲା ବିଭିନ୍ନ ଦେଶକୁ ଜରୁରୀ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇ ଚାଲିଛି। କରୋନା ସଂକ୍ରମିତଙ୍କୁ ଚିହ୍ନଟ ଓ ସାମାଜିକ ଦୂରତ୍ବ ରକ୍ଷା ପାଇଁ ସଂଗଠନ ସର୍ବଦା ପରାମର୍ଶ ଦେଇ ଆସୁଛି। ତେବେ ଆମେରିକାରେ ଏହାର ଓଲଟା ଦେଖିବାକୁ ମିଳିଛି। ଯଦି ଆପଣ କରୋନା ସଂକ୍ରମିତ ବୋଲି ନିଜକୁ ସନ୍ଦେହ କରୁଛନ୍ତି ତେବେ ଘରେ ରହିବାକୁ ସେଠାକାର ଅଧିକାରୀ କହୁଛନ୍ତି। ସ୍ବାସ୍ଥ୍ୟ ଚିକିତ୍ସା ପାଇଁ ଅତ୍ୟାଧୁନିକ ଚିକିତ୍ସାଳୟ ଥିଲେ ହେଁ ସଂକ୍ରମିତଙ୍କୁ ଡାକ୍ତରଖାନା ନ ଆଣି ଘରେ ଚିକିତ୍ସା କରାଯାଉଛି। ଜନସଂଖ୍ୟା ଅନୁପାତରେ ଦେଶରେ ଅଧିକ ଲ୍ୟାବ୍‌ ଥିଲେ ହେଁ କରୋନା ସଂକ୍ରମିତଙ୍କ ତୁରନ୍ତ ପରୀକ୍ଷଣ କରାଯାଉନାହିଁ। ଚୀନ୍‌ରେ ଏପର୍ଯ୍ୟନ୍ତ ୮୧, ୨୧୮ ସଂକ୍ରମିତଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଚାଲିଥିବାବେଳେ ମୃତକଙ୍କ ସଂଖ୍ୟା ୩,୨୮୧ରେ ପହଞ୍ଚିଛି। ସେହିପରି ଇଟାଲୀରେ ୬୯,୧୭୬ ଜଣ ସଂକ୍ରମିତଙ୍କ ଚିକିତ୍ସା ଚାଲିଥିବାବେଳେ ମୃତକଙ୍କ ସଂଖ୍ୟା ୭୦୦୦ ଡେଇଁଛି। ଖୁବ୍‌ ଶୀଘ୍ର ଆମେରିକା ଏହାକୁ ଅତିକ୍ରମ କରିବାକୁ ଯାଉଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସତର୍କ କରାଇ ଦେଇଛି।
ମାସକ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ବିଟ୍‌ କରି କହିଥିଲେ ଯେ, କରୋନା ଭୂତାଣୁ ସଂକ୍ରମଣରୁ ବର୍ତ୍ତିବା ପାଇଁ ଆମେରିକା ସକ୍ଷମ। ତେବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମନ୍ତବ୍ୟ ପରେ ଏହି ଦେଶର ମୁଖା ଖୋଲି ଯାଇଛି। ଚୀନ୍‌ ଓ ଇଟାଲୀ ପରେ କରୋନାର ଅନ୍ୟତମ କେନ୍ଦ୍ର ଆମେରିକା ହେବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି। ଏହି ଭୂତାଣୁ ସଂକ୍ରମଣକୁ ଆମେରିକା ନିୟନ୍ତ୍ରଣ କରିନେବ ବୋଲି ଟ୍ରମ୍ପ ଦୀର୍ଘ ଦିନରୁ ଆଶ୍ବାସନା ଦେଇ ଆସୁଥିଲେ। ଯେତେବେଳେ ବିଶେଷଜ୍ଞମାନେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପରାମର୍ଶ ଦେଲେ ସେତେବେଳେ ଆମେରିକା ଏହାକୁ ବୁଝିଲା ନାହିଁ। ଟ୍ରମ୍ପ କହିଥିଲେ -ଏହାକୁ ଆମେ ଯାଦୁ ପରି ଉଡ଼ାଇ ଦେବୁ। ଆମେରିକାରେ ଏବେ ୫୪,୯୪୧ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ବ୍ୟତୀତ ଏହି ଭୂତାଣୁ ପ୍ରକୋପରେ ୭୮୪ ଲୋକଙ୍କ ମୃତ୍ୟୁ ଘଟିଛି। ଗତକାଲି ଗୋଟିଏ ଦିନରେ ଦେଶରେ ୧୦୧ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଦୁଇ ସପ୍ତାହ ପୂର୍ବରୁ ଆମେରିକାରେ ମାତ୍ର ୨ ହଜାର ସଂକ୍ରମିତ ଥିଲେ, ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୫୫ ହଜାରକୁ ବୃଦ୍ଧି ପାଇଛି। କେତେ ଦ୍ରୁତ ଗତିରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ଏଥିରୁ ସହଜେ ଅନୁମେୟ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଆମେରିକାକୁ ଚେତାବନୀ ଦେଇ କହିଛି ଯେ ଯଦି ସୁନିୟୋଜିତ ଯୋଜନାନୁଯାୟୀ ପଦକ୍ଷେପ ନିଆ ନଯାଏ ତେବେ ଖୁବ୍‌ ଶ୍ରୀଘ୍ର କରୋନାର କେନ୍ଦ୍ର ଆମେରିକା ପାଲଟିବାକୁ ଯାଉଛି।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପରାମର୍ଶ ଦକ୍ଷିଣ କୋରିଆ, ହଂକଂ ଓ ସିଙ୍ଗାପୁର ପରି ଦେଶକୁ କରୋନା ସହ ଲଢିବା ପାଇଁ ସାମର୍ଥ୍ୟ ଯୋଗାଇଛି। ଫେବୃଆରୀ ମାସ ଆରମ୍ଭରୁ ଏପର୍ଯ୍ୟନ୍ତ ଦକ୍ଷିଣ କୋରିଆ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପରାମର୍ଶକୁ ଗୁରୁତ୍ବ ଦେଇ ଦେଶରେ ସର୍ବାଧିକ ୨୭୪,୦୦୦ ବ୍ୟକ୍ତିଙ୍କ ଭୂତାଣୁ ପରୀକ୍ଷଣ କରିଥିଲା। ଏହି ଅବଧି ମଧ୍ୟରେ ଆମେରିକା ମାତ୍ର ୮୨ ହଜାର ବ୍ୟକ୍ତିଙ୍କ କରୋନା ଭୂତାଣୁ ସଂକ୍ରମଣ ପରୀକ୍ଷା କରିଥିଲା। ବିଶ୍ବରେ ସର୍ବାଧିକ ପରୀକ୍ଷଣ ଭାରତରେ ହେଉଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପ୍ରକାଶ କରିଛି। ଆମ ଦେଶରେ ପ୍ରତି ସପ୍ତାହରେ ୬୦ ରୁ ୭୦ ହଜାର କରୋନା ସଂକ୍ରମିତଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହେଉଛି।

Comments are closed.