କରୋନା ଅପଡେଟ – ଦଣ୍ଡିତ ହେବେ ଗୁଜବକାରୀ

ଭୁବନେଶ୍ବର: ବିଶ୍ବବ୍ୟାପୀ କରୋନା ମହାମାରୀର ରୂପ ନେଉଥିବା ବେଳେ ରାଜ୍ୟ ସରକାର ଏହାର ମୁକାବିଲା ପାଇଁ ବ୍ୟାପକ ସଚେତନତା ଉପରେ ଗୁରୁତ୍ବ ଦେଉଛନ୍ତି। ବ୍ୟକ୍ତିଗତ ସ୍ତରରେ ସ୍ବାସ୍ଥ୍ୟ ସଚେତନତା ସହ ସାମାଜିକ ସ୍ତରରେ ଏନେଇ ଜନଜାଗରଣ ଓ ଦାୟିତ୍ବବୋଧ ସୃଷ୍ଟି ନେଇ ରବିବାର ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ତରଫରୁ ପ୍ରଥମ ଦଫାରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରି ପରାମର୍ଶ ଲୋଡ଼ିଛନ୍ତି। ସରକାରୀ ଆକଳନ ଅନୁଯାୟୀ ଆଗାମୀ ତିନିଦିନ କରୋନା ସଂକ୍ରମଣ ଦୃଷ୍ଟିରୁ ବେଶ୍‌ ସମ୍ବେଦନଶୀଳ ଅଟେ। ଏଣୁ ରେଳ, ବିମାନ ଓ ବସ୍ ଯୋଗେ ରାଜ୍ୟ ବାହାରୁ ଆସୁଥିବା ସମସ୍ତ ଯାତ୍ରୀ, ପର୍ୟ୍ୟଟକ ଓ ବ୍ୟକ୍ତିବିଶେଷଙ୍କ ଉପରେ ସରକାରଙ୍କର ତୀକ୍ଷ୍ଣ ନଜର ରହିବ। ସମ୍ପୃକ୍ତ ବ୍ୟକ୍ତିମାନଙ୍କର ସମ୍ପର୍କୀୟମାନେ ବିଶେଷ ସତର୍କତା ଅବଲମ୍ବନ କରିବେ। ସମସ୍ତ ଧାର୍ମିକ ଅନୁଷ୍ଠାନଗୁଡ଼ିକରେ ଜନସମାଗମ ଉପରେ କଟକଣା ଜାରି କରାଯାଇଛି। ଶ୍ରୀମନ୍ଦିରରେ ମଧ୍ୟ ଶ୍ରଦ୍ଧାଳୁଙ୍କ ସମାଗମ ଉପରେ ଅଙ୍କୁଶ ଲାଗିଛି। କରୋନାର ବ୍ୟାପକତା ଦୃଷ୍ଟିରୁ ଆସନ୍ତା ୬ ମାସ ପର୍ୟ୍ୟନ୍ତ ମୁକାବିଲା ପ୍ରସ୍ତୁତି ଜାରି ରଖିବାକୁ ନିର୍ଦେଶ ଦିଆଯାଇ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରିସ୍ଥିତିର ମୁକାବିଲା ନେଇ ଆଜି ଏକ ସ୍ବତନ୍ତ୍ର ନିୟନ୍ତ୍ରଣ କକ୍ଷ ଖୋଲାଯାଇ ଚାରି ଜଣ ଆଇଏଏସ୍‌ ଅଧିକାରୀଙ୍କୁ ଏହାର ଦାୟିତ୍ବ ଦିଆଯାଇଛି। ସେମାନେ ହେଲେ ପାଟିଲ ଆଶିଷ ଈଶ୍ୱର, ଦିବାକର ଟି. ଏସ, ସୋମେଶ କୁମାର ଉପାଧ୍ୟାୟ ଓ ଅନ୍ୱେଷ ରେଡ୍ଡୀ। ଅନ୍ୟ ପକ୍ଷରେ ରାଜ୍ୟର ବିଭିନ୍ନ ଅଗ୍ରଣୀ ଘରୋଇ ଡ଼ାକ୍ତରଖାନା ଗୁଡ଼ିକରେ କରୋନା ପ୍ରଭାବିତ ରୋଗୀଙ୍କୁ ଜରୁରୀକାଳୀନ ସେବା ଉପଲବ୍ଧ କରାଇବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି। ଘରୋଇ ଡ଼ାକ୍ତରଖାନା କର୍ତ୍ତୃପକ୍ଷମାନଙ୍କୁ ଆବଶ୍ୟକ ସହଯୋଗ ଯୋଗାଇଦେବା ନେଇ ସୋମବାର ସରକାରଙ୍କ ପକ୍ଷରୁ କୁହାଯିବ। ସ୍ଥିତିକୁ ପରଖିବା ସହ ଆବଶ୍ୟକସ୍ଥଳେ ପଦକ୍ଷେପ ନେବା ପାଇଁ ମହାମାରୀ ରୋଗ ଆଇନ-୧୮୯୭ ଆଧାରରେ ରାଜ୍ୟ ସରକାର କୋଭିଡ୍-୧୯, ୨୦୨୦ ଅଧିନିୟମ ଦ୍ବାରା ପ୍ରାଧିକୃତ ସରକାରୀ ଅଧିକାରୀମାନଙ୍କୁ ବିଶେଷ କ୍ଷମତା ଦିଆଯାଇଛି। କରୋନାକୁ ନେଇ ବିଭିନ୍ନ ଗଣମାଧ୍ୟମ, ସୋସିଆଲ ମିଡିଆ ତଥା ସାଧାରଣରେ ପ୍ରକାଶ ପାଉଥିବା ବିଭିନ୍ନ ସୂଚନା ଅନେକ ସମୟରେ ବିଭ୍ରାନ୍ତି ସୃଷ୍ଟି କରୁଥିବା ସରକାରଙ୍କ ଦୃଷ୍ଟିଗୋଚର ହୋଇଛି।

ଏହି ପରିପ୍ରେକ୍ଷୀରେ କେବଳ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର), ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହେଉଥିବା ପରାମର୍ଶକୁ ମାନିବା ପାଇଁ ଲୋକଙ୍କୁ ଅନୁରୋଧ କରାଯାଇଛି। ପ୍ରତ୍ୟେକ ପରିବାରରେ ବସନ୍ତ, ହାଡ଼ଫୁଟି ଓ ମିଳିମିଳା ଭଳି ରୋଗୀଙ୍କ କ୍ଷେତ୍ରରେ ଯେଉଁଭଳି ସତର୍କତା ଅବଲମ୍ବନ କରାଯାଏ, କରୋନା ପାଇଁ ମଧ୍ୟ ଅନୁରୂପ ବ୍ୟବସ୍ଥାର ଆବଶ୍ୟକତା ରହିଛି ବୋଲି ସରକାର କହିଛନ୍ତି। କରୋନା ପାଇଁ କୌଣସି ନିର୍ଦିଷ୍ଟ ନିଦାନ ନଥିବା ହେତୁ କେବଳ ସାବଧାନତା ଓ ସଚେତନତା ଦ୍ବାରା ହିଁ ଏହାକୁ ରୋକିବା ସମ୍ଭବ। ସାମାଜିକ ଗଣମାଧ୍ୟମରେ ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆବଶ୍ୟକସ୍ଥଳେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ସ୍ବାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ସପିଂ ମଲ୍ ଠାରୁ ଆରମ୍ଭ କରି ବ୍ୟବସାୟ କେନ୍ଦ୍ରଗୁଡ଼ିକରେ ଭିଡ଼ ହ୍ରାସ କରିବା ପାଇଁ କୁହାଯାଇଛି। କଟକ ଓ ଭୁବନେଶ୍ବରରେ ଏହା ଉପରେ ନଜର ରଖିବା ପାଇଁ ପୁଲିସ କମିଶନରଙ୍କୁ ନିର୍ଦେଶ ଦିଆଯାଇଛି।

କରୋନା ଅଧିନିୟମ-୨୦୨୦ରେ ଭିତ୍ତିଭୂମି ବିକାଶ ଓ କ୍ଷତିପୂରଣ ସହାୟତା ବ୍ୟବସ୍ଥା ରହିଛି। ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏନେଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ରାଜ୍ୟ ସରକାର ସମସ୍ତ ଜିଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି। କରୋନା ଏକ ମହାମାରୀ ଦୃଷ୍ଟିରୁ କରୋନା ଅଧିନିୟମ (ମହାମାରୀ ରୋଗ ଆଇନ-୧୮୯୭) ଅନୁଯାୟୀ ଆଇପିସିର ଧାରା ୧୮୮ ଅନୁସାରେ ଆଇନ୍ ଖିଲାପକାରୀଙ୍କୁ ଗିରଫ କରାଯିବା ସହ ୬ ମାସ କାରାଦଣ୍ଡ ସହ ୧ ହଜାର ଟଙ୍କାର ଜୋରିମାନା ବ୍ୟବସ୍ଥା ରହିଛି। ଆବଶ୍ୟକସ୍ଥଳେ ମହାମାରୀକୁ ରୋକିବା ନେଇ ବ୍ୟକ୍ତିବିଶେଷ ଠାରୁ ଆରମ୍ଭ କରି ସ୍ଥଳବିଶେଷରେ ଗ୍ରାମାଞ୍ଚଳ ଓ ସହରକୁ ମଧ୍ୟ ଏକଘରିଆ କରି ରଖାଯିବା ନେଇ ଏହି ଆଇନ୍‌ରେ ବ୍ୟବସ୍ଥା ରହିଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ କୁହାଯାଇଛି। ଏପରି ଏକ ଘଡ଼ିସନ୍ଦି ମୁହୂର୍ତ୍ତରେ ଗଣମାଧ୍ୟମ ଏକ ସକାରାତ୍ମକ ଓ ଗଠନମୂଳକ ଭୂମିକା ଗ୍ରହଣ କରିବା ପାଇଁ ସରକାର ନିବେଦନ କରିଛନ୍ତି। ରବିବାର ଅନୁଷ୍ଠିତ ବୈଠକରେ ୫-ଟି ସଚିବ ଭି.କେ ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟର ସ୍ବତନ୍ତ୍ର ସଚିବ ଡି.ଏସ୍‌ କୁଟ୍ଟେ, ରାଜ୍ୟ ସରକାରଙ୍କ ମିଡିଆ ପରାମର୍ଶଦାତା ମାନସ ରଞ୍ଜନ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.