କରୋନା ବଦଳାଇଛି ପେସା; ପରିବା ବିକି ପରିବାର ଚଳାଉଛନ୍ତି ଶିକ୍ଷୟିତ୍ରୀ

ଭୁବନେଶ୍ବର: ଜୀବନ ଜିଇଁବାର ଶୈଳୀ କରୋନା ବଦଳାଇ ଦେଇଛି। ଏଭଳି ସଙ୍କଟ ସମୟରେ ରୋଜଗାର କରିବାର ପନ୍ଥା ଅଲଗା ହୋଇଯାଇଛି। ପରିବାର ଚଳାଇବା‌ ପାଇଁ ଅନେକ ମହିଳା ଓ ଯୁବତୀ ରାସ୍ତାକୁ ଓହ୍ଲାଇଛନ୍ତି। ରାଜଧାନୀର ଜଣେ ମହିଳା ପେସାରେ ଶିକ୍ଷୟିତ୍ରୀ ହେଲେ ମଧ୍ୟ କରୋନା ପାଇଁ ରାସ୍ତାକଡ଼ରେ ବସି ପରିବା ବିକ୍ରି କରୁଛନ୍ତି। କୋଭିଡ ଯୋଗୁଁ ବିଦ୍ୟାଳୟ ବନ୍ଦ ହୋଇଯିବାରୁ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଲା। ଋଣ ଶୁଝି ହେଲାନି। ସେଥିପାଇଁ ଭାଇଙ୍କ ସହ ମିଶି ଅପର୍ଣ୍ଣା ସିଂହ ୟୁନିଟ୍‌ ୮ ଡିଏଭି ସ୍କୁଲ ପାଖରେ ଏକ ପରିବା ଦୋକାନ ଦେଇଛନ୍ତି।

ୟୁନିଟ୍‌ ୮ସ୍ଥିତ ଜୟଦୁର୍ଗା ମଣ୍ଡପ ନିକଟରେ ଅର୍ପଣ୍ଣାଙ୍କ ଘର। ପାଠ ପଢ଼ା ଶେଷ ପରେ ସେ ୬ବର୍ଷ ହେବ ଏକ ଘରୋଇ ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଉଥିଲେ। ସ୍କୁଲ ଦରମାରେ ନିଜ ଖର୍ଚ୍ଚ ଉଠାଇବା ସହିତ ପରିବାର ଲୋକଙ୍କୁ ମଧ୍ୟ ସହଯୋଗ କରୁଥିଲେ। ହେଲେ କରୋନା ମହାମାରୀ ଯୋଗୁଁ ସ୍କୁଲ ବନ୍ଦ ରହିଛି। ଦରମା ଠିକ୍‌ ସମୟରେ ମିଳୁନଥିବାରୁ ଚଳିବା କଷ୍ଟକର ହୋଇପଡ଼ିଛି। ଏଥିସହ ଭାଇର ଅଟୋ ଚାଲିବା ବନ୍ଦ ହୋଇଯାଇଥିବାରୁ ପରିବାର ଦୁର୍ଦିନରେ ଗତି କରୁଛନ୍ତି। ଏଥିରୁ ମୁକ୍ତି ପାଇଁ ସେ ରାସ୍ତାକୁ ଓହ୍ଲାଇଥିବା କହିଛନ୍ତି। ଏହି ଦୋକାନରୁ ଯାହା ରୋଜଗାର ହେଉଛି ସେଥିରେ ପରିବାର ଚଳିବା ସହ ଋଣ ପରିଶୋଧ ହେଉଛି। ସ୍କୁଲ ଖୋଲି ନଥିବାରୁ ଅନଲାଇନ କ୍ଲାସ୍‌ ବି କରିବାକୁ ପଡୁଛି। କ୍ଲାସ୍‌ ବେଳେ ଭାଇ ଦୋକାନରେ ବସୁଛନ୍ତି। କ୍ଲାସ୍‌ ଶେଷ ପରେ ସେ ସକାଳେ ଓ ସନ୍ଧ୍ୟାରେ ଦୋକାନକୁ ଆସି ପରିବା ବିକ୍ରି କରୁଛନ୍ତି। ଫାଙ୍କା ସମୟ ମିଳିଲେ ସେଠାରେ ସ୍କୁଲ ପିଲାଙ୍କୁ ହୋମ୍‌ ୱାର୍କ ଦେଉଛନ୍ତି।

ଅପର୍ଣ୍ଣାଙ୍କ କହିବା ଅନୁସାରେ ପରିସ୍ଥିତିରେ ପଡ଼ିଲେ ମଣିଷ ସବୁ କାମ କରିବାକୁ ବାଧ୍ୟ ହୁଏ। ପରିବାର ଚଳାଇବା ପାଇଁ କୌଣସି କାର୍ଯ୍ୟ ଛୋଟ ନୁହେଁ। ଏଭଳି ସଙ୍କଟ ସମୟରେ ଦୋକାନ ବହୁ ସାହାଯ୍ୟ କରିଛି ବୋଲି ସେ କହିଛନ୍ତି।

Comments
Loading...