କରୋନା ଭୟ : ସ୍ବତନ୍ତ୍ର ବିମାନରେ ବିଦେଶରୁ ଫେରିଲେ ସୁପର ଧନୀଙ୍କ ସନ୍ତାନ

ଦୁଇ ଝିଅଙ୍କ ଭାରତ ଫେରନ୍ତା ଖର୍ଚ୍ଚ ୯୦ ଲକ୍ଷ ଟଙ୍କା

ଭୁବନେଶ୍ବର : କରୋନା ଭୟରୁ କେହି ବାଦ ପଡ଼ି ନାହାନ୍ତି । ଧନୀ-ଗରିବ ସମସ୍ତେ କରୋନା ଭୟରେ ଆକ୍ତାମାକ୍ତା । ତେଣୁ ବିଦେଶରେ ପଢ଼ୁଥିବା ପିଲାମାନଙ୍କୁ ଘରକୁ ଫେରାଇ ଆଣିବାକୁ ସ୍ବତନ୍ତ୍ର ଚାଟାର୍ଡ଼ ବିମାନର ସହାୟତା ନେଇଛନ୍ତି କିଛି ସୁପର ଧନୀ । କେନ୍ଦ୍ର ସରକାର ମାର୍ଚ୍ଚ ୨୧ ତାରିଖରେ ଆନ୍ତର୍ଜାତିକ ଉଡ଼ାଣ ବନ୍ଦ କଟକଣା କରିବା ପୂର୍ବରୁ ସପ୍ତାହକ ମଧ୍ୟରେ ୧୦୨ଟି ଚାଟାର୍ଡ଼ ବିମାନରେ ଧନୀ ଘରର ବିଦେଶ ପଢ଼ୁଆ ପିଲାମାନେ ଦେଶକୁ ଫେରିଛନ୍ତି । ଫ୍ରାନ୍ସ, ଜର୍ମାନୀ, ସ୍ବିଜରଲାଣ୍ଡ, ଇଂଲଣ୍ଡ ଆଦି ଦେଶରୁ ଘରୋଇ ବିମାନରେ ପିଲାମାନଙ୍କୁ ଫେରାଇ ଆଣିଛନ୍ତି ଏହି ଧନୀ ବ୍ୟକ୍ତିମାନେ।

ଫାଲ୍କନ୍ ୨୦୦୦, ବାମ୍ବେର୍ଡ଼ିୟର ଚାଲେଞ୍ଜର ଓ ହକର ବିଜନେସ୍ ଏୟାରକ୍ରାଫ୍ଟଗୁଡ଼ିକ ଏଥିପାଇଁ ବିଶେଷ ବ୍ୟବହାର ହୋଇଛି। ଏକ ସୂତ୍ର ଅନୁସାରେ, ୧୬ ମାର୍ଚ୍ଚରେ ଫାଲ୍କନ୍ ୨୦୦୦ ଚାଟାର୍ଡ଼ ଜେଟରେ ମୁମ୍ବାଇ ଆସିଥିବା ଦୁଇ ଝିଅଙ୍କୁ ଲଣ୍ଡନରୁ ଆଣିବା ପାଇଁ ଏକ ଧନାଢ଼୍ୟ ପରିବାର ୯୦ ଲକ୍ଷ ଟଙ୍କା ବ୍ୟୟ କରିଛନ୍ତି । ଦୁଇ ଝିଅ ଇଂଲଣ୍ଡର ଦୁଇ ଭିନ୍ନ ଭିନ୍ନ ବିଶ୍ବବିଦ୍ୟାଳୟରେ ପଢ଼ନ୍ତି ।

ଉବେର ଅଫ୍ ସ୍କାଏ କୁହାଯାଉଥିବା ଦିଲ୍ଲୀର ଏୟାର ଟ୍ୟାକ୍ସି ବାଣିଜ୍ୟିକ ସଂସ୍ଥା ଜେଟସେଟ୍-ଗୋ କମ୍ପାନୀର ମୁଖ୍ୟ କନିକା ଟେକ୍ରିୱାଲ ‘ଆଜ୍ ତକ୍’କୁ ଦେଇଥିବା ସୂଚନା ଅନୁସାରେ କେବଳ ବିଦେଶରୁ ନୁହେଁ, ଦେଶର ଭିନ୍ନ ଭିନ୍ନ ସହରରୁ ନିଜର ସନ୍ତାନସନ୍ତତି ଓ ବୃଦ୍ଧ ପିତାମାତାଙ୍କୁ ମଧ୍ୟ ଘରୋଇ ଚାଟାର୍ଡ଼ ବିମାନରେ ଲକ୍ଡ଼ାଉନ୍ ପୂର୍ବରୁ ସ୍ଥାନାନ୍ତର କରାଯାଇଛି। ଅଧିକାଂଶ କ୍ଷେତ୍ରରେ ସର୍ବାଧିକ ୩ ଜଣ ଯାତ୍ରୀ ଗୋଟିଏ ଗୋଟିଏ ବିମାନରେ ଯାତ୍ରା କରିଥିବା ଦେଖାଯାଇଛି ।

Comments are closed.