ରାଜଧାନୀରେ କରୋନା ପରୀକ୍ଷା ଏମିତି! : ସରକାରୀ ପଜିଟିଭ, ଘରୋଇ ନେଗେଟିଭ

ଭୁବନେଶ୍ୱର : ରାଜଧାନୀରେ ଅଥୟ କଲାଣି କରୋନା ସ୍ଥିତି। ବଢ଼ୁଥିବା ଗତିକୁ ଦେଖି ଚିନ୍ତାରେ ବିଏମ୍‍ସି ପ୍ରଶାସନ। ଏଥିଲାଗି ସରକାରଙ୍କ ପକ୍ଷରୁ ଘରକୁ ଘର ବୁଲି ଯାଞ୍ଚ କରାଯାଉଛି। ବିବିଧ ବ୍ୟବସ୍ଥା ସତ୍ତ୍ବେ କେଉଁଠି ନା କେଉଁଠି ତ୍ରୁଟି ରହୁଛି, ଯାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ରାଜଧାନୀରେ କରୋନା ପରୀକ୍ଷାରେ ତ୍ରୁଟି ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି ଦମ୍ପତି। ସରକାରଙ୍କ ପକ୍ଷରୁ ହୋଇଥିବା କରୋନା ପରୀକ୍ଷା ପଜିଟିଭ୍‍ ଆସିଥିଲା। ହେଲେ ଘରୋଇ ପରୀକ୍ଷାଗାରରେ ପରୀକ୍ଷା ପରେ ରିପୋର୍ଟ ନେଗେଟିଭ୍‍ ଆସିଲା। ଏଭଳି ଘଟଣା ଘଟିଛି ନୂଆପଲ୍ଲୀ ଥାନା ଅଧୀନ ଗଣପତିନଗର ବସ୍ତିରେ। କରୋନା ପଜିଟିଭ୍‍ ଓ ନେଗେଟିଭ୍‍ ଖେଳ ଭିତରେ ସାମାଜିକ ବାସନ୍ଦର ଶିକାର ଆଡ଼କୁ ଗତି କରୁଛନ୍ତି ପୂରା ପରିବାର। ଏହାସହ ଗର୍ଭବତୀ ଝିଅଙ୍କୁ ନେଇ ପରିବାର ମାନସିକ ଯନ୍ତ୍ରଣା ଭୋଗୁଥିବା ଅଭିଯୋଗ କରିଛନ୍ତି।

ଗଣପତିନଗର ବସ୍ତିର ରମେଶ ସାହୁଙ୍କ ଅଭିଯୋଗ ଅନୁସାରେ ତାଙ୍କ ବିବାହିତ ଝିଅ ଗର୍ଭବତୀ ଥିବାରୁ ଗଞ୍ଜାମ ବୁଗୁଡ଼ାରୁ ଗତ ୧୬ ତାରିଖରେ ଆସିଥିଲେ। ହଟ୍‍ସ୍ପଟ୍‍ ଜିଲାରୁ ଆସିଥିବାରୁ ଆଶା ଓ ଅଙ୍ଗନବାଡ଼ି ଦିଦି ପହଞ୍ଚି ତାଙ୍କ ଝିଅର ସ୍ୱାବ୍‍ ପରୀକ୍ଷା ଲାଗି କହିଥିଲେ। ନୂଆପଲ୍ଲୀ ଥାନା ଅଞ୍ଚଳରେ ଥିବା କସ୍ତୁରୀ ସ୍କୁଲରେ ଝିଅଙ୍କ ସ୍ୱାବ୍‍ ପରୀକ୍ଷା ସଂଗ୍ରହ କରାଯାଇଥିଲା। ୨୧ ତାରିଖ ରାତିରେ ସ୍ୱାବ୍‍ ରିପୋର୍ଟ ପଜିଟିଭ୍‍ ଆସିବା ସହ ପରଦିନ ଅର୍ଥାତ୍‍ ୨୨ ତାରିଖ ସକାଳୁ ତାଙ୍କ ଝିଅଙ୍କୁ କୋଭିଡ଼ ହସ୍ପିଟାଲ ଆଣିବା ଲାଗି ତାଙ୍କୁ ଫୋନ୍‍ ମାଧ୍ୟମରେ କୁହାଯାଇଥିଲା। ୨୨ ତାରିଖ ସକାଳୁ ତାଙ୍କ ଝିଅଙ୍କୁ କୋଭିଡ଼ ହସ୍ପିଟାଲ ନେବା ଲାଗି ଆସିଥିବା କର୍ମଚାରୀଙ୍କୁ ରମେଶ ରିପୋର୍ଟ ମାଗିଥିଲେ। ରିପୋର୍ଟ ନ ଦେଖାଇବାରୁ ତାଙ୍କର ସନ୍ଦେହ ହୋଇଥିଲା। ଏହାସହ ପରୀକ୍ଷାରେ ତ୍ରୁଟି ଥିବା କର୍ମଚାରୀଙ୍କୁ କହିବା ସହ ଝିଅ ୮ମାସର ଗର୍ଭବତୀ ଥିବାରୁ ଉଭୟ ଦମ୍ପତି ହସ୍ପିଟାଲ ଛାଡ଼ିନଥିଲେ। ଆଉ ଥରେ ରିପୋର୍ଟ ଘରୋଇ ହସ୍ପିଟାଲରେ ଯାଞ୍ଚ କରିବାକୁ କହିବା ସହ ରିପୋର୍ଟ ଆସିବା ପରେ ସେମାନଙ୍କୁ ଜଣାଇ ଦେବେ ବୋଲି କହିଥିଲେ।

ଯଦି ରିପୋର୍ଟ ପଜିଟିଭ୍‍ ଆସିବ ତା’ ହେଲେ ଫୋନ୍‍ କରି କହିଦେବେ ବୋଲି ରମେଶ ଆସିଥିବା କର୍ମଚାରୀଙ୍କୁ କହିଥିଲେ। ରମେଶ ବିଳମ୍ବ ନ କରି ତୁରନ୍ତ ତାଙ୍କ ଝିଅଙ୍କ ସ୍ୱାବ୍‍ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଯାଞ୍ଚ କରିଥିଲେ। ଆଜି ତାଙ୍କ ଝିଅଙ୍କ ରିପୋର୍ଟ ନେଗେଟିଭ୍‍ ଆସିଛି। ହେଲେ ବସ୍ତିରେ ସମ୍ପୂର୍ଣ୍ଣ ପରିବାରକୁ ବାସନ୍ଦ କରାଯାଇଛି। ଘର ସାମ୍‍ନାରେ ବାଡ଼ ଦେଇ ବନ୍ଦ କରିବା ସାଙ୍ଗକୁ ସେମାନଙ୍କ ସହ କେହି ମିଳାମିଶା କରୁନାହାନ୍ତି। ଦୋକାନରୁ ରାସନ ନେବା ଉପରେ ବସ୍ତି ବାସନ୍ଦ କଟକଣା ଲଗାଇଥିବା ରମେଶ ଅଭିଯୋଗ କରିଛନ୍ତି। ସେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବାବେଳେ ଟଙ୍କା ଯୋଗାଡ଼ କରି ଘରୋଇ ହସ୍ପିଟାଲରେ ଯାଞ୍ଚ କରିଛନ୍ତି। ପରୀକ୍ଷାରେ ଅବହେଳା ଯୋଗୁଁ ଏଭଳି ସମସ୍ୟା ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି, ଯଦି ସରକାରୀ ରିପୋର୍ଟ ଠିକ୍‍ ଥିଲା ତା’ ହେଲେ ତାଙ୍କୁ ହସ୍ପିଟାଲ କ’ଣ ପାଇ ନିଆଗଲା ନାହିଁ। ଘଟଣାର ୩ ଦିନ ବିତିଯାଇଥିଲେ ହେଁ ପରିବାର ଲୋକଙ୍କୁ କ’ଣ ପାଇଁ ଯୋଗାଯୋଗ କରି ରିପୋର୍ଟ ବିଷୟରେ କର୍ତ୍ତୃପକ୍ଷ ବୁଝୁନାହାନ୍ତି।

ଏହି ଗୋଟିଏ ଘଟଣା ନୁହଁ, ଗତ କିଛି ଦିନ ତଳେ ଖଣ୍ଡଗିରି ରୁଦ୍ରନଗରର ଜଣେ ବାସିନ୍ଦା ଏଭଳି ସମାନ ଢଙ୍ଗରେ ପରୀକ୍ଷାରେ ତ୍ରୁଟି ଅଭିଯୋଗ ଆଣିବା ସହ ଭୋଗୁଥିବା ଯନ୍ତ୍ରଣା ବିଷୟରେ ଗଣମାଧ୍ୟମ ସାମ୍ନାରେ ବଖାଣିଥିଲେ। ଏନେଇ ବିଏମ୍‍ସି ଅତିରିକ୍ତ କମିସନର ସୁରଥ ଚନ୍ଦ୍ର ମଲ୍ଲିକ କହିଛନ୍ତି, ଅଭିଯୋଗର ଅନୁଧ୍ୟାନ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ତେବେ ସରକାରୀ ରିପୋର୍ଟକୁ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି।

Comments are closed.