ଏସସିବି ମେଡିକାଲରୁ କରୋନା ସନ୍ଦିଗ୍ଧ ଚମ୍ପଟ

କଟକ: କଟକ ଏସସିବି ମେଡିକାଲରୁ ଜଣେ କରୋନା ସନ୍ଦିଗ୍ଧ ଚମ୍ପଟ ମାରିଛନ୍ତି। ଏହି ବ୍ୟକ୍ତି ଜଣକ ଆୟର୍ଲାଣ୍ଡର ନାଗରିକ ବୋଲି ଜଣାପଡ଼ିଛି। ସେ ଭୁବନେଶ୍ଵର ବିମାନବନ୍ଦରରେ ଓହ୍ଲାଇବା ପରେ ତାଙ୍କୁ ଯାଞ୍ଚ କରାଯାଇଥିଲା। ତାଙ୍କ ଶରୀରର ତାପମାତ୍ରା ଅଧିକ ଥିବାରୁ ସେ କରୋନାରେ ଆକ୍ରାନ୍ତ ଥିବା ସନ୍ଦେହରେ ତାଙ୍କୁ ଏସସିବି ମେଡିକାଲକୁ ପଠାଯାଇଥିଲା। ଗୁରୁବାର ରାତିରେ ବିମାନବନ୍ଦରରୁ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରୁ ଆମ୍ବୁଲାନ୍ସରେ ଏସସିବି ମେଡିକାଲକୁ ରେଫର କରାଯାଇଥିଲା। ମାତ୍ର ଏସସିବିରେ ସେ ପହଞ୍ଚିବା ପରେ ସେଠାରୁ ଚମ୍ପଟ ମାରିଥିବା ଜଣାପଡ଼ିଛି। ଦେଶରେ କରୋନା ଭୂତାଣୁ ଆତଙ୍କ ସୃଷ୍ଟି କରିଥିବାବେଳେ ଜଣେ ବିଦେଶୀ କରୋନା ସନ୍ଦିଗ୍ଧ ମେଡିକାଲ ପରିସରରୁ ଚମ୍ପଟ ମାରିବା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ମଙ୍ଗଳାବାଗ ଥାନାରେ ଏତଲା ଦିଆଯାଇଛି।

Comments are closed.