ଲକ୍ଷଣ ନାହିଁ କିନ୍ତୁ ସୁପର‌େସ୍ପ୍ରେଡ଼ର

ନୂଆଦିଲ୍ଲୀ: ସମ୍ପ୍ରତି କରୋନା ଭୂତାଣୁ ସଂକ୍ରମଣର ଲକ୍ଷଣରେ ପରିବର୍ତ୍ତନ ହୋଇଥିବା ବୈଜ୍ଞାନିକମାନେ ସୂଚନା ଦେଇଥିବା ବେଳେ କେତେକ ସଂକ୍ରମିତଙ୍କଠାରେ ଲକ୍ଷଣ ପ୍ରକାଶ ପାଉନ ଥିବା ଜଣାପଡିଛି। ଏମିତି ଜଣେ ଲକ୍ଷଣ ନ ଥିବା କରୋନା ସଂକ୍ରମିତ ଏବେ ସୁପର‌େ‌ସ୍ପ୍ରେଡ଼ର ପାଲଟିଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ତାଙ୍କ ଆପାର୍ଟମେଣ୍ଟର ୭୧ ଜଣ କରୋନା ସଂକ୍ରମିତ ‌ହୋଇଥିବା ଚୀନର ରୋଗ ନିୟନ୍ତ୍ରଣ ବିଭାଗ ସୂଚନା ଦେଇଛି।

ସେହି ମହିଳା ଜଣକ ମାର୍ଚ୍ଚ ୧୯ରେ ଆମେରିକାରୁ ଚୀନର ହୋଲଂଗଜିଆଂଗ ସ୍ଥିତ ନିଜ ଘରକୁ ଫେରିଥିଲେ। ଆମେରିକାରୁ ଫେରିବା ପରେ ନିଜ ଆପାର୍ଟମେଣ୍ଟରେ ହୋମ କ୍ୱାରେଣ୍ଟାଇନ୍‌ରେ ଥିଲେ। ନିଜକୁ କରୋନା ସଂକ୍ରମଣରୁ ସୁରକ୍ଷିତ ରଖିବା ଲାଗି ଘରୁ ବାହାରକୁ ବାହାରିବା ବେ‌େ‌ଳ ସବୁ ନିୟମ ପାଳନ କରୁଥିଲେ। ମାସ୍କ ଓ ହାତରେ ଗ୍ଲୋଭସ ପିନ୍ଧିବା ସହିତ ସାମାଜିକ ଦୂରତ୍ୱ ନିୟମ ପାଳନ କରୁଥିଲେ। ଏପରିକି ସେ ଲିଫ୍ଟ ମଧ୍ୟ ଏକାକୀ ବ୍ୟବହାର କରୁଥିଲେ। ଲିଫ୍ଟ ବଟନରୁ ଯେଭଳି ସଂକ୍ରମଣ ନ ବ୍ୟପିବ ସେଥିନେଇ ସେ ନିଜ ପାଖରେ ରଖିଥିବା ଏକ କଣ୍ଟା ସହାୟତାରେ ବଟନ ଦବାଉ ଥିଲେ। ଆମେରିକାରୁ ଫେରିବା ପରେ ପରେ ତାଙ୍କର ସ୍ୱାବ ପରୀକ୍ଷା କରାଯାଇଥି‌ଲେ ମଧ୍ୟ ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଥିଲା। ତଥାପି ସେ କ୍ୱାରେଣ୍ଟାଇନ୍‌ ନିୟମ ପାଳନ କରିଥିଲେ।

କିଛି ଦିନ ପରେ ତାଙ୍କ ଆପାର୍ଟମେଣ୍ଟରେ ଏକ ଭୋଜିର ଆୟୋଜନ ହୋଇଥିଲା। ସେଠାରେ ଜଣେ ବ୍ୟକ୍ତିଙ୍କୁ ହୃଦଘାତ ହୋଇଥିଲା। ତାଙ୍କର ସ୍ୱାବ ପରୀକ୍ଷା କରାଯିବା ପରେ ସେ କରୋନା ସଂକ୍ରମିତ ଥିବା ଜଣାପଡିଥିଲା। ରିପୋର୍ଟ ମିଳିବା ପରେ ଉକ୍ତ ଭୋଜି କାର୍ୟ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତଙ୍କର କରୋନା ପରୀକ୍ଷା ହୋଇଥିଲା। ସେମାନଙ୍କ ମଧ୍ୟରୁ ୭୧ ଜଣଙ୍କ ରିପୋର୍ଟ ପଜିଟିଭ ବାହାରିଥିଲା। ଏହି ଲୋକମାନେ ସମ୍ପୃକ୍ତ ମହିଳାଙ୍କ ସଂସ୍ପର୍ଶରେ ଆସି ନ ଥିଲେ ମଧ୍ୟ ସେ ବ୍ୟବହାର କରିଥିବା ଲିଫ୍ଟର ବିଭିନ୍ନ ସ୍ଥାନକୁ ସ୍ପର୍ଶ କରିଥିଲେ। ପରେ ଉକ୍ତ ଲିଫ୍ଟ ବ୍ୟବହାର କରିଥିବା ଲୋକେ କରୋନା ସଂକ୍ରମିତ ହୋଇଥିବା ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି।

Comments are closed.