କରୋନା ଚିନ୍ତା : ବଢୁଛି ସଂକ୍ରମଣ, ଅଧାରୁ ଅଧିକ ଆରୋଗ୍ୟ

ଭୁବନେଶ୍ବର : ଓଡ଼ିଶାରେ କରୋନା ସଂକ୍ରମଣ ଗତି ହୁ ହୁ ହୋଇ ବଢୁଛି । ତେବେ ସଂକ୍ରମିତଙ୍କ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ କିଛି ଦିନ ହେଲା ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟ ପକ୍ଷରେ କରୋନା ମହାମାରୀର ଭୟାନକ ପ୍ରଭାବ ନ ଥିବାରୁ ଗତ ୮ଦିନ ମଧ୍ୟରେ ଜଣେ ହେଲେ ବି ସଂକ୍ରମିତଙ୍କ ମୃତ୍ୟୁ ହୋଇନାହିଁ । ଶନିବାର ୯୬ଜଣ ସଂକ୍ରମିତ ହୋଇଥିବାବେଳେ ୭୩ଜଣ ସୁସ୍ଥ ହୋଇଛନ୍ତି ।
ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୧,୪୭,୪୯୦ ଟି କୋଭିଡ୍‌-୧୯ ନମୁନା  ପରୀକ୍ଷା କରାଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୮୧୯ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୭୬୦ ରହିଛି । ୧୧୬୩ ଜଣ ହସ୍‌ପିଟାଲ୍‌ ଆଇସୋଲେସନ୍‌ରେ ଅଛନ୍ତି । ତେବେ ରାଜ୍ୟ ବିଭିନ୍ନ କୋଭିଡ୍‌ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିବା ମୋଟ ରୋଗୀଙ୍କ ମଧ୍ୟରୁ ଶନିବାର ସୁଦ୍ଧା ୧୦୫୦ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି । ତେବେ ସଂକ୍ରମିତଙ୍କ ମଧ୍ୟରୁ ଅଧାରୁ ଅଧିକ ଆରୋଗ୍ୟ ଲାଭ କରିଥିବାରୁ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣ ରହିଥିବା କୁହାଯାଉଛି। ଆଜି ସୁଦ୍ଧା ୭ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି।
କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କ୍ୱାରାଣ୍ଟାଇନ୍‌ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୧୬,୬୪୮ ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛି। ଏଥିରେ ମୋଟ ୭,୪୦,୬୮୮ ଶଯ୍ୟାର ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.