କରୋନା ଗତି ତୀବ୍ର :୧୪୮ ଦିନରେ ପ୍ରଥମ ୫ ଲକ୍ଷ, ଦ୍ବିତୀୟ ୫ ଲକ୍ଷ ମାତ୍ର ୨୦ ଦିନରେ

  • ଦେଶରେ କରୋନାର ପ୍ରଥମ ମାମଲା ୩୦ ଜାନୁଆରୀରେ ଆସିଥିଲା । ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷରେ ପହଞ୍ଚିବାକୁ ଲାଗିଥିଲା ୧୪୮ ଦିନ, ମାତ୍ର ଆଉ ୫ ଲକ୍ଷ ମାତ୍ର ୨୦ ଦିନରେ 

  • ଲକ୍ଡ଼ାଉନ ଢ଼ିଲା କରାଯିବା, ପ୍ରବାସୀ ଶ୍ରମିକମାନଙ୍କ ପଳାୟନ, ସ୍ବତନ୍ତ୍ର ଟ୍ରେନ୍ ଚଳଚଳ, ମଦ ଦୋକାନ ଖୋଲିବା ଓ କଟକଣାକୁ ନ ମାନିବା ଯୋଗୁ ବଢ଼ିଛି କରୋନା ସଂକ୍ରମଣ ଗତି 

ଦେଶରେ କରୋନା ସଂକ୍ରମଣ ଗତି ତୀବ୍ର ହୋଇଛି । ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିଛି । ଆଉ ଏହି ସଂଖ୍ୟା ଛୁଇଁବା ପାଇଁ କରୋନା ନେଇଛି ମାତ୍ର ୫ ମାସ ୧୬ ଦିନ । ଆମ ଦେଶରେ ପ୍ରଥମ କରୋନା ସଂକ୍ରମଣ ମାମଲା ୩୦ ଜାନୁଆରୀରେ କେରଳରେ ରିପୋର୍ଟ ହୋଇଥିଲା । ଏହାପରେ ୨ ଫେବ୍ରୁଆରୀ ମଧ୍ୟରେ କେରଳରେ ୩ଜଣ କରୋନା ସଂକ୍ରମିତ ହୋଇଥିଲେ । ଏମାନେ ସମସ୍ତେ ଚୀନର ଉହାନ ସହରରୁ ଫେରିଥିଲେ । ଏହାପରେ ପ୍ରାୟ ୧ ମାସ ପର୍ଯ୍ୟନ୍ତ ଦେଶରେ କରୋନାର କୌଣସି ନୂଆ ସଂକ୍ରମଣ ରିପୋର୍ଟ ହୋଇ ନ ଥିଲା। ମାତ୍ର ମାର୍ଚ ୨ ତାରିଖ ପରେ ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା ।  ଏହାପରେ ମାର୍ଚ ମାସରୁ ଆରମ୍ଭ ହୋଇଥିଲା ଲକ୍ଡ଼ାଉନ । ପ୍ରାୟ ୧୦ ସପ୍ତାହ ଲକ୍ଡ଼ାଉନ ଚାଲିଲା, ଏହା ସତ୍ବେ କରୋନା ଏବେ ଅନିୟନ୍ତ୍ରିତ । ଦେଶର ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷରୁ ଅଧିକ ।
ଗ୍ରାଫ୍ ସୌଜନ୍ୟ: ଦୈନିକ ଭାସ୍କର

ଅକ୍ସଫୋର୍ଡ଼ ବିଶ୍ବବିଦ୍ୟାଳୟ ସାରା ବିଶ୍ବର କରୋନା ସଂକ୍ରମଣ ସମ୍ପର୍କରେ ଅଧ୍ୟୟନ କରୁଛି । ବିଶ୍ବବିଦ୍ୟାଳୟ ପକ୍ଷରୁ କୋଭିଡ଼-୧୯ ଗଭର୍ଣମେଣ୍ଟ ରେସ୍ପନ୍ସ ଟ୍ରାକର ନିର୍ମାଣ କରିଛି । ଏହି ଟ୍ରାକରରେ ୧୭ ଅଲଗା ଅଲଗା ପଦ୍ଧତି ଆଧାରରେ ରେଟିଂ ମଧ୍ୟ କରାଯାଉଛି । ଏହି ରେଟିଂ ଅନୁସାରେ ଭାରତରେ ଲକ୍ଡ଼ାଉନରେ ଯେତେ କଟକଣା ଓ କଠୋରତା ରହିଥିଲା ତାହା ବିଶ୍ବର ଅନ୍ୟ କୌଣସି ଦେଶ ଏପରି କଠୋର ଲକଡ଼ାଉନ ପଦ୍ଧତି ଆପଣେଇ ନାହାନ୍ତି । ଖାସ ଏହି କାରଣରୁ ଲକଡ଼ାଉନ ସମୟରେ କରୋନାର ଗତି ଅତ୍ୟନ୍ତ ମନ୍ଥର ଓ ସଂକ୍ରମଣ ଗତି ଅତ୍ୟନ୍ତ ନିମ୍ନ ରହିଥିଲା । ଯେବେଠାରୁ ଲକଡ଼ାଉନରୁ ଦେଶ ଅନଲକ-୧ ଦିଗକୁ ଗତିକଲା ସେବେଠାରୁ ଦେଶରେ ସଂକ୍ରମଣର ଗତି ତୀବ୍ର ହୋଇଛି ।

କରୋନା ସଂକ୍ରମଣକୁ ରୋକିବା ନିମନ୍ତେ ପ୍ରଥମେ ୨୨ ମାର୍ଚରେ ଗୋଟିଏ ଦିନ ଜନତା କର୍ଫ୍ୟୁ ଲଗାଯାଇଥିଲା । ଏହାପରେ ୨୫ ମାର୍ଚରୁ ପୁରା ଦେଶକୁ ଲକଡ଼ାଉନ ଘୋଷଣା କରାଯାଇଥିଲା । ପ୍ରଥମ ଲକ୍ଡ଼ାଉନ ୨୫ ମାର୍ଚରୁ ୧୪ ଏପ୍ରିଲ ପର୍ଯ୍ୟନ୍ତ ରହିଥିଲା ଏବଂ ଭାରତର ଏହି ଲକ୍ଡ଼ାଉନକୁ ଅକ୍ସଫୋର୍ଡ଼ ଟ୍ରାକର ୧୦୦ରୁ ୧୦୦ ନମ୍ବର ପ୍ରଦାନ କରିଥିଲା । ଦ୍ବିତୀୟ ପର୍ଯ୍ୟାୟ ଲକ୍ଡ଼ାଉନରେ ଏହି ନମ୍ବର ୯୬.୩, ଲକଡ଼ାଉନ ୩ୟ ପର୍ଯ୍ୟାୟରେ ୮୧.୯କୁ ହ୍ରାସ ପାଇଥିଲା । ୪ର୍ଥ ପର୍ଯ୍ୟାୟରେ ଏହା ୭୯.୧ ପଏଣ୍ଟ  ପାଇଥିବାବେଳେ ଜୁନ୍ ୧ରୁ ୩୦ ପର୍ଯ୍ୟନ୍ତ ଅନଲକ୍-୧ ସମୟରେ ଏହା ୭୬.୩କୁ ଖସି ଆସିଛି ।

ଗ୍ରାଫ ସୌଜନ୍ୟ: ଦୈନିକ ଭାସ୍କର

ଏହାପରେ ୧୫ ଏପ୍ରିଲରୁ ମେ ୩ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଲକ୍ଡ଼ାଉନ ଲଗାଯାଇଥିଲା । ମାତ୍ର ୨୦ ଏପ୍ରିଲ ପରେ ଏଥିରେ କିଛିଟା କୋହଳ କରାଯାଇଥିଲା । ତୃତୀୟ ପର୍ଯ୍ୟାୟ ଲକଡ଼ାଉନ ୪ ମେରୁ ୧୭ ମେ ପର୍ଯ୍ୟନ୍ତ ଓ ୪ର୍ଥ ପର୍ଯ୍ୟାୟ ଲକଡ଼ାଉନ ମେ ୧୮ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଲଗାଯାଇଥିଲା । ଜୁନ ୧ରୁ ଦେଶରେ ଲକ୍ଡ଼ାଉନ ପ୍ରତ୍ୟାହାର କରାଯାଇ ଅନଲକ୍-୧ ଆରମ୍ଭ ହୋଇଥିଲା ।

ଲକ୍ଡ଼ାଉନ ଖୋଲିଲା, କରୋନା ଗତି ବଢ଼ିଲା 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ୨୪ ମାର୍ଚରେ ସାରା ଦେଶକୁ ଲକଡ଼ାଉନ ଘୋଷଣା କରିଥିଲେ ସେତେବେଳେ ତାଙ୍କର ମୁଖ୍ୟ ପ୍ରସଙ୍ଗ ଥିଲା ‘‘ଜାନ ହୈ ତୋ ଜାହାନ ହୈ’’ । ୧୪ ଅପ୍ରେଲ ପରେ ଦ୍ବିତୀୟ ପର୍ଯ୍ୟାୟ ଲକ୍ଡ଼ାଉନ ଘୋଷଣା ସମୟରେ ତାହା ପରିବର୍ତିତ ହୋଇ ‘‘ଜାନ୍ ଭି, ଜାହାନ ଭି’’ ଉପରେ ପର୍ଯ୍ୟବେଶିତ ହୋଇଥିଲା । ଏହାପରେ ଲକ୍ଡ଼ାଉନ ତ ଅବ୍ୟାହତ ଥିଲା, ମାତ୍ର ସେଥିରେ ଥିବା କଟକଣାରେ କୋହଳ କରାଯିବା ଦ୍ବାରା କରୋନା ଗତି ବଢ଼ିବାରେ ଲାଗିଲା ।

ସୁସ୍ଥ ହାର ୭%ରୁ ୬୩%କୁ ବୃଦ୍ଧି

ଲକ୍ଡ଼ାଉନ ଲାଗିବା ଓ ଲକଡ଼ାଉନ ଖୋଲିବା ମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି । ତେବେ ଆଶ୍ବାସନାର ବିଷୟ ହେଉଛି ଏହି ସମୟରେ ସଂକ୍ରମିତଙ୍କ ସୁସ୍ଥ ଅନୁପାତ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି ।

ଲକଡ଼ାଉନ ପୂର୍ବରୁ ଆମ ଦେଶରେ କରୋନା ସଂକ୍ରମିତଙ୍କ ସୁସ୍ଥ ହାର ଥିଲା ମାତ୍ର ୬.୮୬%, ମାତ୍ର ଏବେ ତାହା ବୃଦ୍ଧି ପାଇ ୬୩୫ ଅତିକ୍ରମ କରିଛି । ଲକଡ଼ାଉନ ୧ ସମୟରେ ସୁସ୍ଥ ହାର ୧୧% ଥିବାବେଳେ ଲକଡ଼ାଉନ -୨ ବେଳକୁ ଏହା ୨୭%କୁ ବୃଦ୍ଧି ପାଇଥଇଲା, ଲକଡ଼ାଉନ -୩ରେ ସୁସ୍ଥ ହାର ୩୮% ଅତିକ୍ରମ କରିଥିଲା । ଲକଡ଼ାଉନ-୪ରେ ଏହା ୪୮% ଓ ଅନଲକ୍-୧ରେ ସଂକ୍ରମିତଙ୍କ ସୁସ୍ଥ ହାର ପାଖାପାଖି ୬୦% ହୋଇଥିଲା । ଏବେ ଅବଶ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିଛି, ମାତ୍ର ସୁସ୍ଥ ହାର ମଧ୍ୟ ୬୩%ରେ ପହଞ୍ଚିଛି ।

ଶ୍ରମିକ ସ୍ବତନ୍ତ୍ର ଟ୍ରେନ ଆଉ ପ୍ରବାସୀ ସଂକ୍ରମଣର ମୁଖ୍ୟ ମାଧ୍ୟମ 

ଏକ ରିପୋର୍ଟ ଅନୁସାରେ ଘରମୁହାଁ ପ୍ରବାସୀ ଓ ଶ୍ରମିକ ସ୍ପେସାଲ ଟ୍ରେନ ଦେଶରେ କରୋନା ସଂକ୍ରମଣକୁ ତୀବ୍ର କରିଛନ୍ତି । ୧୯୧୮ ମସିହାରେ ଯେତେବେଳେ ଦେଶରେ ସ୍ପାନିଶ ଫ୍ଲୁ ବ୍ୟାପିଥିଲ, ସେତେବେଳେ ବି ଏହାକୁ ଗତି ବୃଦ୍ଧିରେ ରେଳବାଇର ପ୍ରମୁଖ ଭୂମିକା ଥିଲା । ମେ ୧ ତାରିଖରେ ମୋଦୀ ସରକାର ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରକୁ ଫେରିବା ନିମନ୍ତେ ସ୍ବତନ୍ତ୍ର ଶ୍ରମିକ ଟ୍ରେନ ଚଳାଚଳ ଆରମ୍ଭ କରିଥିଲେ । ପରିଣତିସ୍ବରୂପ କିଛି ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଅଚାନକ ବୃଦ୍ଧି ପାଇଲାା। ଗୋଆ ଏହାର ଅନ୍ୟତମ ଉଦାହରଣ । ଏପ୍ରିଲ ୧୯ ତାରିଖରେ ଗୋଆ କରୋନାମୁକ୍ତ ଘୋଷିତ ହୋଇଥିଲା। ମାତ୍ର ଯେତେବେଳେ ଟ୍ରେନ୍ ଚଳାଚଳ ଆରମ୍ଭ ହେଲା, ସେତେବେଳେ ଗୋଆରେ କରୋନା ସଂକ୍ରମଣ ବୃଦ୍ଧି ପଇଲା । ଖୋଦ ଗୋଆ ସ୍ବାସ୍ଥ୍ୟମନ୍ତ୍ରୀ ଏହା ସ୍ବୀକାର କରିଛନ୍ତି । ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍ ଓ ପ୍ରବାସୀ ଶ୍ରମିକଙ୍କ ନିମନ୍ତେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ଘଟିଥିବା ମତ ଦେଇଛନ୍ତି । ଅନ୍ୟ ରାଜ୍ୟରେ ମଧ୍ୟ ସମାନ ସ୍ଥିତି । ଓଡ଼ିଶା, ତେଲଙ୍ଗାନା, ବିହାର, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଆଦି ସବୁ ରାଜ୍ୟରେ ସମାନ ଅବସ୍ଥା ।

Comments are closed.