ବାୟୁରେ ବ୍ୟାପୁଛି କରୋନା – ସିଡିସି

ୱାଶିଂଟନ: କରୋନା ଭୂତାଣୁ ବାୟୁ ମାଧ୍ୟମରେ ବ୍ୟାପିବା ନେଇ ପ୍ରକାଶିତ ତଥ୍ୟକୁ ଆମେରିକାର ରୋଗ ନିୟନ୍ତ୍ରଣ ଓ ପ୍ରତିକାର କେନ୍ଦ୍ର (ସିଡିସି) ସ୍ବୀକାର କରିଛି। କରୋନା ଭୂତାଣୁ ‘ସାର୍ସ-ସିଓଭି-୨’ ସଂକ୍ରମଣ ସଂକ୍ରାନ୍ତ ସର୍ବସାଧାରଣଙ୍କ ନିମନ୍ତେ ଉଦ୍ଦିଷ୍ଟ ମାର୍ଗଦର୍ଶିକାରେ ମଧ୍ୟ ‘ସିଡିସି’ ଏ ତଥ୍ୟ ସାମିଲ କରିଛି। ୨୦୨୧ ମେ ୭ ତାରିଖ ସୁଦ୍ଧା ‘ସିଡିସି’ ଉକ୍ତ ନିୟମାବଳୀରେ ୩ଟି ନୂଆ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଅନ୍ତର୍ଭୁକ୍ତ କରିଛି। ସେଥିରୁ ଗୋଟିଏରେ ଉଲ୍ଲେଖ ଅଛି ଯେ, ‘ସାର୍ସ-ସିଓଭି-୨’ ବାୟୁଦ୍ବାରା ବ୍ୟାପୀପାରୁଛି। ସଂକ୍ରମଣ ଉତ୍ସ ବା ଆକ୍ରାନ୍ତ ବ୍ୟକ୍ତିଙ୍କ ପ୍ରଶ୍ବାସ ବାୟୁ, କାଶ ଓ ଛିଙ୍କରେ ବାହାରୁ ଥିବା ଭୂତାଣୁ ବାୟୁମଣ୍ଡଳରେ ମିଶିଯାଇ ଘଟଣାସ୍ଥଳରୁ ୬ ଫୁଟ୍‌ରୁ ଅଧିକ ଦୂରରେ ଥିବା ବ୍ୟକ୍ତିଙ୍କୁ ସଂକ୍ରମିତ କରୁଛି।

‘ସିଡିସି’ କହିଛି ଯେ, କୌଣସି ଆକ୍ରାନ୍ତ ବ୍ୟକ୍ତି ଗୋଟିଏ କୋଠରୀରେ ୧୫ ମିନିଟ୍‌ରୁ ଅଧିକ ସମୟ ରହିଲେ ସେ କୋଠରୀରେ ଅସୁମାରି ଭୂତାଣୁ ଭରିହୋଇ ଯାଆନ୍ତି। ସେହି ସମୟରେ ଛଅ ଫୁଟ୍‌ ଦୂରରେ ଥିବା ଯଦି କୌଣସି ସୁସ୍ଥ ବ୍ୟକ୍ତି ଉକ୍ତ କୋଠରୀର ବାୟୁକୁ ଶ୍ବାସକ୍ରିୟାରେ ନେଲେ ସେ ମଧ୍ୟ କୋଭିଡ୍‌-୧୯ ସଂକ୍ରମିତ ହୋଇଯିବେ।

Comments are closed.