ଫେବୃଆରୀ ପାଇଁ କରୋନା ନିର୍ଦ୍ଦେଶାବଳୀ ଜାରି କଲେ ରାଜ୍ୟ ସରକାର

- ଫେବୃଆରୀ ୧ରୁ ଖୋଲିବ ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ର

ରାଜ୍ୟ ସରକାର ଜାରି କଲେ କରୋନା ପାଇଁ ଫେବୃଆରୀ ନିର୍ଦ୍ଦେଶାବଳୀ। ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ ଏଣିକି ଜିଲ୍ଲାପାଳ ଓ ମୁନିସିପାଲିଟି କମିଶନର କଣ୍ଟେନମେଣ୍ଟ ଜୋନ ନିର୍ଦ୍ଧାରଣ କରିବେ। କଣ୍ଟେନମେଣ୍ଟ ଜୋନରେ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ମାନିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସାମାଜିକ, ଧାର୍ମିକ, ରାଜନୈତିକ, କ୍ରୀଡା, ମନୋରଞ୍ଜନ, ଶୈଖିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସର୍ତ୍ତମୂଳକ ଭାବେ ସର୍ବାଧିକ ୫୦୦ ଜଣଙ୍କୁ ଏକତ୍ର ହେବାକୁ ଏଥିରେ ଅନୁମତି ଦିଆଯାଇଛି। ନିବୁଜ କୋଠରୀ କିମ୍ବା ହଲରେ ନିର୍ଦ୍ଧାରିତ ସଂଖ୍ୟାର ୫୦ ପ୍ରତିଶତ ଲୋକ ଏକତ୍ର ହୋଇପାରିବେ। ଖୋଲା ସ୍ଥାନରେ ସାମାଜିକ ଦୂରତା ରକ୍ଷା ହେବା ଭଳି ଲୋକ ସଂଖ୍ୟାକୁ ଅନୁମତି ମିଳିବ।

ଫେବୃଆରୀ ନିର୍ଦ୍ଦେଶାବଳୀରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା, ହାତ ଧୁଆ ଓ ଥର୍ମାଲ ସ୍କାନିଂ ବାଧ୍ୟତାମୂଳକ କରାଯାଇଥିବା ବେଳେ ସଭାସ୍ମତି ଏବଂ ଉତ୍ସବ ପାଇଁ ଜିଲ୍ଲାପାଳ ଓ ମୁନିସିପାଲିଟି କମିଶନରଙ୍କ ଠାରୁ ଆଗୁଆ ଅନୁମତି ନେବାକୁ କୁହାଯାଇଛି। ମେଡିକାଲ କଲେଜଗୁଡିକ ପାଇଁ ସାମାଜିକ ଦୂରତା ପାଳନ ପୂର୍ବଭଳି ଅପରିବର୍ତ୍ତିତ ରହିଛି। ପ୍ରାଥମିକ ବିଦ୍ୟାଳୟ ଖୋଲିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ମହାବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେବା ପାଇଁ କୁହାଯାଇଛି।

ରାଜ୍ୟରେ ଥିବା ଇଞ୍ଜିନିଅରିଂ ଓ ବୈଷୟିକ କଲେଜ ଏବଂ ହଷ୍ଟେଲ ଖୋଲିବା ପାଇଁ ବୈଷୟିକ ଶିକ୍ଷା ବିଭାଗ ନିଷ୍ପତ୍ତି ନେବ ବୋଲି ନିର୍ଦ୍ଦେଶାବଳୀରେ ସୂଚନା ଦିଆଯାଛି ତେବେ ପୂର୍ବଭଳି ପରୀକ୍ଷା, ମୂଲ୍ୟାୟନ ଓ ପ୍ରଶାସନିକ କାର୍ଯ୍ୟ ପୂର୍ବଭଳି ଜାରି ରହିବ। ଅନଲାଇନ ଓ ଦୂର ନିରନ୍ତର ଶିକ୍ଷା ମଧ୍ୟ ଆଗ ଭଳି ଜାରି ରହିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଫେବୃଆରୀ ୧ରୁ ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ର ଖୋଲିବ। ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଥିଏଟର ଓ ସିନେମା ହଲ ଖୋଲିବାକୁ ଅନୁମତି ମିଳିବ ବୋଲି ଜଣାପଡିଛି।

Comments are closed.