ଗାଡିରେ ଏମିତି ଗଲେ କରୋନା ହେବନି!

- ଖୋଲାଖୋଲି ଚାଲିଛି କୋଭିଡ ନିୟମ ଉଲଂଘନ

ବଲାଙ୍ଗିର: ବଲାଙ୍ଗିର ଜିଲାରେ କରୋନା କାୟା ବିସ୍ତାର କରୁଛି। ଏହାକୁ ନେଇ ପ୍ରତିଦିନ ବିଭାଗୀୟ ଅଧିକାରୀ ରିପୋର୍ଟ ପ୍ରଦାନ କରୁଛନ୍ତି। ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ପ୍ରକାଶ ପାଉଛି। କିନ୍ତୁ ଗାଁ ଗାଁରୁ ପ୍ରତିଦିନ ଶ୍ରମିକମାନଙ୍କୁ ବେଶ ଅସହାୟ ଅବସ୍ଥାରେ ଗାଡି ଯୋଗେ ଅଣାଯାଉଛି। ବିଭିନ୍ନ ଠିକା କମ୍ପାନୀ ଦ୍ୱାରା ଶ୍ରମିକ ଅଣାଯାଉଥିବା ବେଳେ କୋଭିଡ ନିୟମ ଆଦୌ ପାଳନ କରାଯାଉନାହିଁ। ଏ ହେଉଛି ବଲାଙ୍ଗିର କଲେଜ ମହିଳା ମହାବିଦ୍ୟାଳୟ ନିକଟରେ ଏକ ଟାଟା ଏସି ଯୋଗେ ଶ୍ରମିକମାନଙ୍କୁ କାମ ପାଇଁ ନିଆଯାଉଥିବାର ଦୃଶ୍ୟ। ସ୍ପଷ୍ଟ ଭାବେ ପ୍ରାୟ ୧୧ ଜଣ ଲୋକଙ୍କୁ ଗଣି ହେଉଛି। ଏହି ଗାଡିରେ ଯେଉଁ ଭଳି ଭାବେ ଯାତ୍ରା କରୁଛନ୍ତି ତାହା ସମ୍ପୁର୍ଣ୍ଣ ବିପଦ ଜନକ ହୋଇଥିବା ବେଳେ ବେଆଇନ ମଧ୍ୟ। ଏହା କୋଭିଡ ଗାଇଡ ଲାଇନକୁ ଉଲଂଘନ କରୁଛି।

ମୁହଁରେ ମାକ୍ସ ନଥିବା ବେଳେ ସାମାଜିକ ଦୂରତା ମଧ୍ୟ ନାହିଁ। ବଲାଙ୍ଗିର ସହରରେ ଖୋଲାଖୋଲି ଭାବେ ପ୍ରତି ଦିନ କେତେ ଯେ ଗାଡି ଶ୍ରମିକ ଚାଲାଣରେ ଲାଗିଛନ୍ତି ତାର କିଛି ହିସାବ ନାହିଁ। ବଲାଙ୍ଗିର ସହରର କଲେଜ ଛକରୁ ବଲାଙ୍ଗିର ମୁଖ୍ୟ ବଜାର ଦେଇ ଅନେକ ଗାଡି ଯାଉନଥିବା ବେଳେ ଏହା କଲେଜ ଛକରୁ ସିଧା ଆଦର୍ଶ ପଡା, ରାଜେନ୍ଦ୍ର ପଡା ଓ ମହିଳା ମହାବିଦ୍ୟାଳୟ ରାସ୍ତା ଦେଇ ଅନ୍ୟତ୍ର ଯାଉଛନ୍ତି। ଟାଉନ ଥାନା ଦେଇ ଗଲେ ଧରାପଡି ଯିବା ଆଳରେ ପ୍ୟାଲେସ ଲାଇନ ରାସ୍ତାକୁ ଅତି ସହଜ ଭାବେ ଶ୍ରମିକ ଚାଲାଣକାରୀ ଗାଡିମାନେ ସୁବିଧା ରାସ୍ତା ବୋଲି ବାଛି ନେଇଛନ୍ତି। ତେବେ ଏସବୁ ଟାଉନ ଥାନା ପୁଲିସ, ପ୍ରଶାସନ ତଥା ଆରଟିଓଙ୍କ ଠାରେ ଖବର ଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଗାଁରୁ ସହରକୁ ଶ୍ରମିକମାନଙ୍କୁ ନେବା ଆଣିବା ପାଇଁ କିଛି ଠିକା ସଂସ୍ଥା ସହ ବଡ ଧରଣରର ଡିଲ ଥିବା ବେଳେ ଏହାକୁ ସୁରକ୍ଷା ଦେଉଛି ନିଜେ ପୁଲିସ ଓ ସଂପୃକ୍ତ ବିଭାଗର ଅଧିକାରୀ। କରୋନା କାଳରେ ଲୋକଙ୍କ ଜୀବନକୁ ବାଜି ଲଗେଇ ଏଭି ବିପଦ ଜନକ କାମ କରୁଥିବା ଲୋକଙ୍କ ବିରୋଧରେ ଆଇନ ଆନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯାଉ। ଜିଲାପାଳ ତଥା ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଏଥି ପ୍ରତି ଦୃଷ୍ଟି ଦେବାକୁ ସଚେତନ ମହଲରେ ଦାବି ହେଉଛି।

Comments are closed.