୧୩ ସହର ସର୍ବାଧିକ କରୋନା କ୍ଷତିଗ୍ରସ୍ତ, ଲାଗୁ ହୋଇପାରେ ଅଧିକ କଟକଣା

ସମାଜ ପୋର୍ଟାଲ ଡେସ୍କ: ଦେଶର ସର୍ବାଧିକ ସଂକ୍ରମିତ ୧୩ଟି ମହାନଗରୀର କୋଭିଡ-୧୯ ସ୍ଥିତି ସମ୍ପର୍କରେ କ୍ୟାବିନେଟ ସଚିବ ରାଜୀବ ଗୌବା ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନେ ଉପସ୍ଥିତ ଥିଲେ। ଦେଶର ପ୍ରାୟ ଶତକଡା ୭୦ ଭାଗ କରୋନା ସଂକ୍ରମଣ ମାମଲା ଏହି ୧୩ଟି ମହାନଗରୀରୁ ଆସିଥିବା ବୈଠକରୁ ସ୍ପଷ୍ଟ ହୋଇଛି ତେଣୁ ଆଗାମୀ ଦିନରେ ସେହି ଅଂଚଳ ପ୍ରତି ଅଧିକ ଦୃଷ୍ଟି ଦିଆଯିବା ସହ ଅଧିକ କଟକଣା ଲାଗୁ କରିବାର ସମ୍ଭାବନା ସୃଷ୍ଟି ହୋଇଛି। ଏହି ୧୩ଟି ମହାନଗରୀ ହେଉଛି ମୁମ୍ଭାଇ, ଚେନ୍ନାଇ, ଦିଲ୍ଲୀ/ନୂଆଦିଲ୍ଲୀ, ଅହମଦାବାଦ, ଥାଣେ, ପୁଣେ, ହାଇଦ୍ରାବାଦ, କୋଲକାତା/ ହାୱଡା, ଇନ୍ଦୋର, ଜୟପୁର, ଯୋଧପୁର, ଚେଙ୍ଗଲପାଟ୍ଟୁ ଏବଂ ଥିରୁଭାଲ୍ଲୁର।

ସମୀକ୍ଷା ବୈଠକରେ ପୌର ମହାନିଗମର କର୍ମଚାରୀ ଓ ଅଧିକାରୀମାନଙ୍କ ଦ୍ଵାରା କୋଭିଡ-୧୯ ପରିଚାଳନାଗତ ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। କେନ୍ଦ୍ର ସରକାର ସହରାଞ୍ଚଳରେ କୋଭିଡ-୧୯ ପରିଚାଳନା ସମ୍ପର୍କିତ ମାର୍ଗଦର୍ଶିକା ଜାରି କରିସାରିଛନ୍ତି। ଏହି ମାର୍ଗଦର୍ଶିକାରେ ହାଇ ରିସ୍କ ଫ୍ୟାକ୍ଟର, ସଂକ୍ରମଣ ହାରର ପୃଷ୍ଟି, ମୃତ୍ୟୁହାର, ଦ୍ଵିଗୁଣିତ ହେବା ହାର ଏବଂ ଏକ ନିୟୁତରେ ନମୁନା ପରୀକ୍ଷା ହାର ଉପରେ ମୁଖ୍ୟତଃ ଗୁରୁତ୍ଵାରୋପ କରାଯାଇଛି।

ଅନ୍ୟ ପକ୍ଷରେ ସ୍ଥାନର ଭୌଗଳିକ ଅବସ୍ଥିତି, ସଂକ୍ରମଣ ମାମଲା, ସଂସ୍ପର୍ଶଗତ ସଂକ୍ରମଣ ଇତ୍ୟାଦିକୁ ବିଚାରକୁ ନେଇ ଆବଧାଞ୍ଚଳ ଘୋଷଣା କରିବା ଉପରେ କେନ୍ଦ୍ର ସରକାର ଗୁରୁତ୍ଵ ଦେଇଛନ୍ତି। ଫଳରେ ସେହିଁ ସବୁ ଅଞ୍ଚଳରେ ଲକଡାଉନ ଜନିତ ନିୟମାବଳିଗୁଡିକୁ କଡାକଡି ପାଳନ କରାଯାଇପାରିବ।

Comments are closed.