ଗଳାବାଟରେ ଫେରୁଛନ୍ତି ପ୍ରବାସୀ – ମୁକୁଳା ସମୁଦ୍ରପଥ, ହୁଗୁଳା ସ୍ଥଳପଥ

ଛତ୍ରପୁର/ଗୋପାଳପୁର: କରୋନାର ଦ୍ୱିତୀୟ ଲହର ଦିନକୁ ଦିନ ଅଧିକ ଭୟଙ୍କର ହେବାରେ ଲାଗିଛି। ଏବେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଦେଖାଦେଇଥିବା ନୂତନ ଲକ୍ଷଣଜନିତ ଭୂତାଣୁ ଗଞ୍ଜାମ ଜିଲାର ଚିନ୍ତା ବଢାଇଛି। ଦୁଇ ପ‌େ‌ଡ଼ାଶୀ ରାଜ୍ୟରେ କରୋନାର ନୂଆ ଲକ୍ଷଣ ଚିହ୍ନଟ ପରେ ଓଡ଼ିଶା ସରକାର ଗଞ୍ଜାମ, ଗଜପତି ଜିଲାପାଳଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି। କିନ୍ତୁ ଗଞ୍ଜାମ ଜିଲାର ସମୁଦ୍ରପଥ ମୁକୁଳା ପଡିଥିବାରୁ ଏହି ରାସ୍ତା ଦେଇ ଆନ୍ଧ୍ରରୁ ପ୍ରବାସୀ ଏଠାକୁ ଜଳପଥରେ ଆସିବା ଆଶଙ୍କା କରାଯାଉଛି। ସେହିପରି ଓଡ଼ିଶା ସୀମା ଗିରିସୋଲାରେ ଯାଞ୍ଚ କଡ଼ାକଡ଼ି ସତ୍ତ୍ବେ ବହୁ ପ୍ରବାସୀ ଗଳାବାଟ ଦେଇ ଓଡ଼ିଶାରେ ପ୍ରବେଶ କରୁଥିବାରୁ ଗଞ୍ଜାମ ଜିଲା ପାଇଁ ମୁଣ୍ଡବ୍ୟଥା ସୃଷ୍ଟି କରିଛି।

ଗଞ୍ଜାମ ପୁଲିସ ଜିଲାରେ ଆର୍ଯ୍ୟପଲ୍ଲୀ ଠାରେ ୨୦୦୯ ଏବଂ ବ୍ରହ୍ମପୁର ପୁଲିସ ଜିଲାର ପାତିସୁନପୁରଠାରେ ୨୦୧୪ରେ ଦୁଇଟି ସାମୁଦ୍ରିକ ଥାନା ପ୍ରତିଷ୍ଠା ହୋଇଥିଲା। ଦୁଇ ସାମୁଦ୍ରିକ ଥାନାରେ ଆବଶ୍ୟକତାଠାରୁ କମ କର୍ମଚାରୀ ନିଯୁକ୍ତି ପାଇଛନ୍ତି। ଆର୍ଯ୍ୟପଲ୍ଲୀ ଥାନାରେ କର୍ମଚାରୀ ଅଭାବରୁ ପାଟ୍ରୋଲିଂ ହୋଇପାରୁନଥିବାରୁ ସମୁଦ୍ରପଥ ମୁକୁଳା ପଡିଛି। ଜଳପଥ ଦେଇ ଆନ୍ଧ୍ରରୁ ଡଙ୍ଗା ଯୋଗେ ଗଞ୍ଜାମ ଜିଲାକୁ ଆସିବା ଅତି ସହଜ ହୋଇଥାଏ। ଜଳପଥ ଦେଇ ପ୍ରବାସୀ ଓଡ଼ିଶା ଆସିବା ସମ୍ଭାବନା ରହିଥିବା ସେଠାକାର ଗ୍ରାମବାସୀ କହିଛନ୍ତି।

ଗତବର୍ଷ କରୋନା ପ୍ରକୋପ ସମୟରେ ୩୪ ଜଣ ପ୍ରବାସୀ ଏକ ଡଙ୍ଗା କିଣି ଚେନ୍ନଇରୁ ଆର୍ଯ୍ୟପଲ୍ଲୀ ଆସିଥିଲେ। ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ପ୍ରୟାଗୀ ଠାରୁ ଆରମ୍ଭ କରି ହରିପୁର ପର୍ଯ୍ୟନ୍ତ ପ୍ରାୟ ୫୪ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି। ତେଣୁ ସମୁଦ୍ରତଟ ସୁରକ୍ଷା ପାଇଁ ପାଟ୍ରୋଲିଂକୁ ଅଧିକ ଜୋରଦାର କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ସମୁଦ୍ର ପଥ ମୁକୁଳା ସମ୍ପର୍କରେ ଗଞ୍ଜାମ ଏସପି ବିଜ୍ରେଶ କୁମାର ରାଏଙ୍କୁ ପଚାରିବାରେ ଆମେ ସଜାଗ ରହିଛୁ ବୋଲି କହିଛନ୍ତି। ସାମୁଦ୍ରିକ ଥାନା ଅଧିକାରୀଙ୍କୁ ଏଥିପ୍ରତି ଧ୍ୟାନ ଦେବାକୁ ନିର୍ଦେଶ ଦିଆଯାଇଥିବା କହିଛନ୍ତି। କେହି ଡଙ୍ଗା ମାଧ୍ୟମରେ ଏଠାକୁ ଆସିବାର ସୂଚନା ପାଇଲେ ତତ୍କାଳ ପୁଲିସକୁ ଜଣାଇବାକୁ ଗ୍ରାମବାସୀଙ୍କୁ କୁହାଯାଇଥିବା ଏସ୍‌ପି କହିଛନ୍ତି।

ଆନ୍ଧ୍ର ଓ ତେଲେଙ୍ଗାନାରୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କୁ କଡାକଡି ଯାଞ୍ଚ ସହ ୧୪ ଦିନିଆ ସଙ୍ଗରୋଧରେ ରହିବାକୁ ନିର୍ଦେଶ ଜାରି ପରେ ଓଡିଶା ଓ ଆନ୍ଧ୍ରପ୍ରଦେଶ ସୀମାର ଗିରିସୋଲାଠାରେ ତନଖି ଫାଟକ ବସାଯାଇ ଯାଞ୍ଚ କଡ଼ାକଡ଼ି କରାଯାଇଛି। କିନ୍ତୁ କିଛି ଅମାନିଆ ଗଳାବାଟ ଦେଇ ଓଡିଶାରେ ପ୍ରବେଶ କରିବା ସହ ସୀମା ତନଖି ଫାଟକରେ ପଞ୍ଜୀକରଣ କରୁନଥିବାରୁ ନାନା ସମସ୍ୟା ଦେଖାଦେଇଛି। ଫାଟକରେ ନିୟୋଜିତ କର୍ମଚାରୀ ଆନ୍ଧ୍ରପ୍ରଦେଶ ପଟୁ ଆସୁଥିବା ସବୁ ବସ ଓ ଗାଡ଼ିକୁ ଅଟକାଇ ଯାଞ୍ଚ କରିବା ସହ ସମସ୍ତଙ୍କୁ ପଞ୍ଜୀକରଣ କରୁଛନ୍ତି। କିନ୍ତୁ ଆନ୍ଧ୍ର ସମେତ ଅନ୍ୟ ରାଜ୍ୟରୁ ଆସୁଥିବା ପ୍ରବାସୀଙ୍କୁ କିଛି ବସ୍‌ ସୀମା ପୂର୍ବରୁ ଓହ୍ଲାଇ ଦେଉଛନ୍ତି। ଫଳରେ ଅନେକ ପ୍ରବାସୀ ଚାଲିଚାଲି ଗିରିସୋଲା ରାସ୍ତା ପାର୍‌ ହୋଇ ସେଠାରୁ ଅଟୋ, ଟ୍ରକ ଓ ଅନ୍ୟ ରାଜ୍ୟର ବସ ଯୋଗେ ନିଜ ନିଜ ଅଞ୍ଚଳକୁ ଚାଲି ଯାଉଥିବା ଦେଖିବାକୁ ମିଳିଛି।

ଓଡିଶାକୁ ସଂଯୋଗ କରୁଥିବା ବଳରାମପୁର ତନଖି ଫାଟକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଥିବାବେଳେ ଆନ୍ଧ୍ରପ୍ରଦେଶରୁ ଓଡ଼ିଶା ପ୍ରବେଶ ନିମନ୍ତେ ଇଚ୍ଛାପୁରଠାରୁ ପ୍ରାୟ ୪ରୁ ୫ଟି ଗଳାବାଟ ଥିବାରୁ ଅନେକ ପ୍ରବାସୀ ସେହି ରାସ୍ତା ଯୋଇ ଯାତାୟାତା କରୁଛନ୍ତି। ଇଚ୍ଛାପୁର-କାବିଟି ରାସ୍ତା ଦେଇ ପାତିସୁନାପୁର ରାସ୍ତରେ ସୁରଳ ଛକ, ସୁବାଣୀ ଛକ ଠାରୁ ଝାଟିପଦର ଦେଇ ଗୋଳନ୍ଥରା, ପୁସ୍ତପୁର ଠାରୁ ଚିକିଟିଘାଟି ଦେଇ କନିଷି ଓ ଚିକିଟି ଘାଟି ଦେଇ ପ୍ରବାସୀମାନେ ଓଡିଶାରେ ପ୍ରବେଶ କରୁଥିବାରୁ ଏହା ଉଦବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ଚାଲିଚାଲି ଯାଉଥିବା ପ୍ରବାସୀଙ୍କ ନିମନ୍ତେ ପ୍ରଶାସନ ପକ୍ଷରୁ ପରିବହନର‌ବ୍ୟବସ୍ଥା କରିବାକୁ ଅନେକ ପ୍ରବାସୀ ଅନୁରୋଧ କରିଛନ୍ତି। ବୁଧବାର ସନ୍ଧ୍ୟା ସୁଦ୍ଧା ବିଭିନ୍ନ ବସ ଯୋଗେ ୫୪ ଜଣ ପ୍ରବାସୀ ଓଡ଼ିଶାକୁ ଆସିଥିବା ବେଳେ ଏମାନଙ୍କ ମଧ୍ୟରୁ ୧୮ ଜଣ ଗଞ୍ଜାମ ବାସିନ୍ଦା ବେଲେି ଅତିରିକ୍ତ ପରିବହନ ଅଧିକାରୀ କେ.ଭେଙ୍କଟଶ ସୂଚନା ଦେଇଛନ୍ତି।

Comments are closed.