ଆରୋଗ୍ୟ ପରେ କରୋନାର ପୁନଃସଂକ୍ରମଣ

ହଂକଂ : କରୋନାରୁ ଆରୋଗ୍ୟ ଲାଭ କରିବାର କିଛି ମାସ ମଧ୍ୟରେ ଏହାର ପୁନଃ ସଂକ୍ରମଣ ହେବା ଭଳି ପ୍ରଥମ ଘଟଣା ଦେଖିବାକୁ ମିଳିଛି ହଂକଂରେ। ଗତ ଏପ୍ରିଲରେ କରୋନାରୁ ଆରୋଗ୍ୟ ଲାଭ କରିଥିବା ଜଣେ ବ୍ୟକ୍ତି ପୁନଃ ସଂକ୍ରମିତ ହୋଇଛନ୍ତି। ୩୩ବର୍ଷର ଉକ୍ତ ବ୍ୟକ୍ତି ଜଣଙ୍କ କରୋନାରୁ ଆରୋଗ୍ୟ ପରେ ୟୁରୋପ ଗସ୍ତରେ ଯାଇଥିଲେ। ୟୁରୋପ ଗସ୍ତରୁ ଫେରିବା ପରେ ସେ ପୁଣି ଥରେ ସଂକ୍ରମିତ ହୋଇଛନ୍ତି। ଆଇଟି ବିଭାଗରେ କାର୍ଯ୍ୟ କରୁଥିବା ଏହି ବ୍ୟକ୍ତି ଜଣଙ୍କର ଦ୍ୱିତୀୟ ସଂକ୍ରମଣ ବେଳେ କୌଣସି ଲକ୍ଷଣ ଦେଖାଯାଇ ନଥିଲା। ପ୍ରଥମ ସଂକ୍ରମଣ ପରେ ଜଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଥିବାବେଳେ ପୁନଃ ସଂକ୍ରମଣ ହେବାର ଆଶଙ୍କା ନଥାଏ। ତେବେ ଦ୍ୱିତୀୟ ଥର ସଂକ୍ରମିତ ହେବା ଗବେଷକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ପ୍ରାକୃତିକ କିମ୍ବା ଟିକା କରଣ ଦ୍ୱାରା ଜଣଙ୍କର ପ୍ରତିରୋଧକ ଶକ୍ତି ବୃଦ୍ଧି କରାଗଲେ ମଧ୍ୟ ଏହାର ପୁନଃ ସଂକ୍ରମଣର ଆଶଙ୍କା ରହିଛି ବୋଲି ଗବେଷକମାନେ କହିଛନ୍ତି। ତେବେ ଏହି ପୁନଃ ସଂକ୍ରମଣ ଅନ୍ୟ ଠାରୁ ବ୍ୟାପୁଛି ନା ଶରୀରରେ ପୁନଃ ସୃଷ୍ଟି ହେଉଛି ତାହା ଜାଣିବା ଲାଗି ଗବେଷକମାନେ ଉଦ୍ୟମ ଆରମ୍ଭ କରିଛନ୍ତି।

Comments are closed.