ଦେଶରେ ଗୋଟିଏ ଦିନରେ ୬୯ ହଜାର ୮୭୪ ସଂକ୍ରମିତ ଚିହ୍ନଟ

- ଆରୋଗ୍ୟ ହାର ୭୪.୬୯%କୁ ବୃଦ୍ଧି

ଦେଶରେ ଗୋଟିଏ ଦିନରେ ୬୯ ହଜାର ୮୭୪ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨୯ ଲକ୍ଷ ୭୫ ହଜାର ୭୦୨କୁ ବୃଦ୍ଧି ପାଇଛି। ତେବେ କରୋନା ଆରୋଗ୍ୟ ହାର ୭୪.୬୯ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୬୩ ହଜାର ୬୩୧ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିବା ପରେ ନିଜ ନିଜ ଘରକୁ ଫେରିଛନ୍ତି। ଏଥି ସହିତ ଆଜି ସୁଦ୍ଧା ଦେଶରେ ଏହି ସଂକ୍ରମଣରୁ ୨୨ ଲକ୍ଷ ୨୨ ହଜାର ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି।

ଏବେ ଦେଶରେ ଥିବା ବିଭିନ୍ନ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲରେ ୬ ଲକ୍ଷ ୯୭ ହଜାର ୩୩୦ ଜଣ ସକ୍ରିୟ ଚିକିତ୍ସାଧୀନ ଅଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୯୪୫ ଜଣ ସଂକ୍ରମିତଙ୍କ ମୃତ୍ୟୁ ସହ ମୋଟ ମୃତ୍ୟୁ ସଂଖ୍ୟା ୫୫ ହଜାର ୭୯୪ରେ ପହଂଚିଛି।

ଅପରପକ୍ଷରେ ଦେଶରେ କରୋନା ଜନିତ ମୃତ୍ୟୁ ହାର ମଧ୍ୟ ହ୍ରାସ ପାଇଛି। ଏବେ ଏହି ହାର ୧.୮୭ ପ୍ରତିଶତ ରହିଛି। ଗୋଟିଏ ଦିନରେ ୧୦ ଲକ୍ଷ କରୋନା ନମୁନା ପରୀକ୍ଷା ସହ ଭାରତ ରେକର୍ଡ କରିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଥିବା ବିଭିନ୍ନ ସରକାରୀ ଓ ଘରୋଇ ପରୀକ୍ଷାଗାରରେ ୧୦ ଲକ୍ଷ ୨୩ ହଜାର ୮୩୬ଟି କରୋନା ନମୁନା ପରୀକ୍ଷା କରାଯାଇଛି। ଫଳରେ ଆଜି ସୁଦ୍ଧା ଦେଶରେ ୨ କୋଟି ୪୪ ଲକ୍ଷ କରୋନା ନମୁନା ପରୀକ୍ଷା କରାଯାଇ ପାରିଛି।

ଇତି ମଧ୍ୟରେ ମହାରାଷ୍ଟ୍ରରେ ୧ ଲକ୍ଷ ୬୯ ହଜାର ୮୩୩ଟି ସକ୍ରିୟ ମାମଲା ଥିବାବେଳେ ୪ ଲକ୍ଷ ୮୦ ହଜାର ୧୧୪ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏହି ସଂକ୍ରମଣରେ ରାଜ୍ୟରେ ୨୧ ହଜାର ୯୯୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତାମିଲନାଡୁରେ ୫୩ ହଜାର ୭୧୦ଟି ସକ୍ରିୟ ମାମଲା ଥିବାବେଳେ ୩ ଲକ୍ଷ ୧୩ ହଜାର ୨୮୦ ଜଣ ରୋଗୀଙ୍କୁ ଚିକିତ୍ସା ପରେ ଛାଡି ଦିଆଯାଇଛି।ରାଜ୍ୟରେ ୬ ହଜାର ୪୨୦ ଜଣଙ୍କ ମୃତ୍ୟୁ ହୋଇଛି।

କରୋନା ସଂକ୍ରମଣ ଦୃଷ୍ଟିରୁ ୮୯ ହଜାର ୩୮୯ଟି ସକ୍ରିୟ ମାମଲା ସହ ଆନ୍ଧ୍ରପ୍ରଦେଶ ତୃତୀୟ ସ୍ଥାନରେ ରହିଛି। ସେଠାରେ ୨ ଲକ୍ଷ ୫୨ ହଜାର ୬୩୮ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ୩ ହଜାର ୧୮୯ ଜଣ ମୃତ୍ୟୁବରଣ କରିଛନ୍ତି। ସେହିପରି ଦିଲ୍ଲୀରେ ୧୧ ହଜାର ୫୯୪ଟି ସକ୍ରିୟ ମାମଲା ଥିବାବେଳେ ୧ ଲକ୍ଷ ୪୪ ହଜାର ୧୩୮ ଜଣ ଆରୋଗ୍ୟ ଲାଭ କରିଛନ୍ତି।

Comments are closed.