ଆଶ୍ବସ୍ତି: ଓଡ଼ିଶାରେ ସକ୍ରିୟ ସଂକ୍ରମିତଙ୍କଠାରୁ ଅଧିକ ହେଲେଣି ସୁସ୍ଥ

ଭୁବନେଶ୍ବର,୨୭ା୫(ଭୁ.ପ୍ର): ଓଡ଼ିଶାରେ ସଂକ୍ରମଣ ହାରରେ ବୃଦ୍ଧିକୁ ନେଇ ଲାଗି ରହିଥିବା ଚିନ୍ତା ଭିତରେ ଏକ ସନ୍ତୋଷଜନକ ଖବର ଆସିଛି। ରାଜ୍ୟରେ ଆରୋଗ୍ୟ ଲାଭ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା, ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟାକୁ ଅତିକ୍ରମ କରିଛି। ବର୍ତ୍ତମାନ ରାଜ୍ୟରେ ଆଜି ସୁଦ୍ଧା ୭୭୪ ଜଣ ଆକ୍ରାନ୍ତ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୮୧୨ ଜଣ ସଂକ୍ରମିତ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏପର୍ଯ୍ୟନ୍ତ ୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି।
ଜାନୁଆରୀ ମାସରେ କେରଳରେ ଦେଶର ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହେବାର ଠିକ୍ ଏକ ମାସ ପରେ ଅର୍ଥାତ୍ ମାର୍ଚ୍ଚ ୧୬ ତାରିଖ ଦିନ ଓଡ଼ିଶାରେ ଭୁବନେଶ୍ବରରୁ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏପ୍ରିଲ ୨ ତାରିଖରେ ସମୁଦାୟ ୫ ଜଣ ଆକ୍ଟିଭ୍ କେସ୍  ଥିବା ବେଳେ ସେହିଦିନ ପ୍ରଥମ ରୋଗୀ ସୁସ୍ଥ ହୋଇଥିଲେ। ତେବେ ଏପ୍ରିଲ୍ ୩ ତାରିଖ ଦିନ ଏକ ସଙ୍ଗରେ ୧୫ ଜଣ ସଂକ୍ରମିତ ଚିହ୍ନଟ ହେଲେ ଆଉ ଗୋଟିଏ ଦିନ ପରେ ଅର୍ଥାତ୍ ୫ ତାରିଖରେ ଗୋଟିଏ ଦିନରେ ୧୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେହିଦିନ ରାଜ୍ୟରେ ମୋଟ ୩୬ ଜଣ ଆକ୍ଟିଭ୍ କେସ୍ ଥିବା ବେଳେ ମାତ୍ର ଦୁଇଜଣ ଆରୋଗ୍ୟ ଲାଭ କରିଥିଲେ। ତେବେ ଏପ୍ରିଲ ୧୦ ତାରିଖରେ ଏକ ସଙ୍ଗରେ ୧୨ ଜଣ ଡିସଚାର୍ଜ ହୋଇଥିଲେ। ଏହି ସମୟରେ ଚିକିତ୍ସିତ ହେଉଥିବା ସଂକ୍ରମିତଙ୍କ ସଂଖ୍ୟା ଥିଲା ୩୭। ଏହା ପରଠାରୁ ଦୁଇଦିନରେ ଜଣେ ଲେଖାଏଁ ହାରରେ ରୋଗୀ ସୁସ୍ଥ ହେଉଥିଲେ। ଏପ୍ରିଲ୍ ୧୪ ତାରିଖ ଦିନ ରାଜ୍ୟରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୫୦୦ ଡେଇଁ ଥିଲା। ସେହିଦିନ ରାଜ୍ୟରେ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ମାତ୍ର ୧୫୮ ଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇସାରିଥିଲା। ୧୯ ତାରିଖରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ଅତିକ୍ରମ କରିବା ସମୟରେ ଆକ୍ଟିଭ୍ କେସ୍‌ ଓ ସୁସ୍ଥଙ୍କ ସଂଖ୍ୟା ଯଥାକ୍ରମେ ୭୩୯ ଏବଂ ୩୦୭ ରହିଥିଲା। ଏହି ଦିନ ଏକ ସଙ୍ଗରେ ୩୦ ଜଣ ରୋଗୀ ସୁସ୍ଥ ହୋଇ  ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। ଏହା ସତ୍ତ୍ବେ ରାଜ୍ୟରେ ଆକ୍ଟିଭ୍ କେସ୍ ଠାରୁ ସୁସ୍ଥଙ୍କ ସଂଖ୍ୟା ଅଧାରୁ କମ୍ ଥିଲା ଆଉ ୬ ଜଣ ସଂକ୍ରମିତ ଆଖି ବୁଜି ସାରିଥିଲେ।  ତେବେ ଦୁଇଦିନ ପରେ ଏକ ସଙ୍ଗେ ଆଉ ୪୩ ଜଣ ରୋଗୀ ଡିସଚାର୍ଜ ହେଲେ ଏବଂ ୩୭ ଜଣ ନୂଆ ସଂକ୍ରମିତ ଆଡମିଟ୍ ହେଲେ। ଏହା ପର ଠାରୁ କ୍ରମାଗତ ଭାବେ ଆରୋଗ୍ୟ ଲାଭ କରୁଥିବା କରୋନା ରୋଗୀଙ୍କ ସଂଖ୍ୟାରେ ଦ୍ରୁତ ଅଭିବୃଦ୍ଧି ହୋଇଥିଲା। ଫଳ ସ୍ବରୂପ ଆଜି ଆକ୍ଟିଭ୍ କେସ୍ ଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ହୋଇଛି।

Comments are closed.