ଦେଶରେ ଆରୋଗ୍ୟ ହାର ୪୯.୪୭କୁ ବୃଦ୍ଧି, ସୁସ୍ଥ ହେଲେଣି ୧,୪୭,୧୯୪

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ଆରୋଗ୍ୟ ହାର ବୃଦ୍ଧି ପାଉଛି । ଏହି ଅନୁପାତ ଏବେ ପାଖାପାଖି ୫୦%ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୧୬୬ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧,୪୭,୧୯୪ରେ ପହଞ୍ଚିଛି । ସେହିପରି ଏବେ ବି ବିଭିନ୍ନ ଡ଼ାକ୍ତରଖାନାରେ ୧,୪୧, ୮୪୨ ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧୀନ ରହିଛନ୍ତି । କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଛି ଏହି ସୂଚନା ।

ସୂଚନା ଅନୁସାରେ ଲକଡାଉନ ଆରମ୍ଭରେ ଆକ୍ରାନ୍ତଙ୍କ ସଂଖ୍ୟା ୩.୪ ଦିନରେ ଦ୍ଵିଗୁଣିତ ହେଉଥିବା ବେଳେ ଏବେ ଏହା ୧୭.୪ଦିନରେ ଦ୍ଵିଗୁଣିତ ହେଉଛି । କ୍ୟାବିନେଟ ସଚିବ ସମସ୍ତ ରାଜ୍ୟର ମୁଖ୍ୟଶାସନ ସଚିବ, ସ୍ୱାସ୍ଥ୍ୟ ଓ ନଗର ଉନ୍ନୟନ ସଚିବଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ କଥା ହୋଇଛନ୍ତି । ରାଜ୍ୟଗୁଡିକୁ ଆବଧାଞ୍ଚଳ, ନମୁନା ପରୀକ୍ଷଣ, ସଂସ୍ପର୍ଶରେ ଆସିଥିବା ରୋଗୀଙ୍କୁ ଠାବ, ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତିକରଣ ଓ ସମାଜର ସବୁ ଗୋଷ୍ଠୀ ସହ ସମନ୍ଵୟ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ।

ସଂକ୍ରମଣର କେନ୍ଦ୍ରସ୍ଥଳୀ ପାଲଟିଥିବା ଅଞ୍ଚଳଗୁଡିକ ଉପରେ ସ୍ଵତନ୍ତ୍ର ଧ୍ୟାନଦେଇ କଡା ଆବଧାଞ୍ଚଳ ମାର୍ଗଦର୍ଶିକା ପାଳନ କରିବାକୁ  ସୁନିଶ୍ଚିତ କରିବାକୁ ରାଜ୍ୟଗୁଡିକୁ ପରାମର୍ଶ ଦେଇଛନ୍ତି । ସେମାନଙ୍କୁ ହସ୍ପିଟାଲ ଭିତ୍ତିଭୂମିର ବିକାଶ ସହ ଯେପରି ତାଲିମପ୍ରାପ୍ତ  ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ଆବଶ୍ୟକ ଉପକରଣ ମହଜୁଦ ରହେ ସେଗୁଡିକୁ ଦେଖିବା ପାଇଁ ଅନୁରୋଧ କରାଯାଇଛି ।

କୋଭିଡ-19 ପାଇଁ ପ୍ରତିଷେଧକମୂଳକ ବ୍ୟବସ୍ଥା ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ହୋଇଥବା ବେଳେ ବୟସ୍କ ଓ ଅନ୍ୟାନ୍ୟ ରୋଗ ଇତିହାସ ଥିବା ଲୋକଙ୍କ ପାଇଁ ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ କୁହାଯାଇଛି । ଲକ୍ଷଣ ଅନୁସାରେ ଠିକ ସମୟରେ ଉନ୍ନତ ଚିକିତ୍ସା ପାଇଁ ସୁପାରିସ କରିବା, ଆବଶ୍ୟକ ହେଲେ ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ସହ ଅଧିକ ପରାମର୍ଶ ପାଇଁ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ରାଜ୍ୟଗୁଡିକୁ ଘର ଘର ବୁଲି ସାମାଜିକ ଦୂରତ୍ଵ ଏବଂ କରୋନା ସଂକ୍ରମଣ କାଳରେ ଆବଶ୍ୟକ ନିୟମ ପାଳନ ନେଇ ସଚେତନ କରିବାକୁ ମଧ୍ୟ କୁହାଯାଇଛି

Comments are closed.