ମୂଷାଙ୍କ ଉପରେ ପ୍ରୟୋଗ ହେବ କରୋନା ପ୍ରତିଷେଧକ!

ଆମେରିକାରେ କଟକ ବୈଜ୍ଞାନିକଙ୍କ ଗବେଷଣା

କଟକ : ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ପରିସ୍ଥିତି ଗୁରୁତର ହୋଇଛି। ଏପରିକି ସେଠାରେ ଦୈନିକ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟୁଥିବା ଖବର ଆସୁଛି। କରୋନା କୋଭିଡ୍‌-୧୯କୁ ମୁକାବିଲା କରିବା ପାଇଁ ସେଠାକାର ଡୋନାଲ୍ଡ ଟ୍ରମ୍ପ ସରକାର ପ୍ରତିଷେଧକ ପ୍ରସ୍ତୁତ କରିବା ପାଇଁ ଜୋର୍‌ଦାର ଉଦ୍ୟମ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ କଟକର ବାଙ୍କୀ ବୈଦ୍ୟେଶ୍ବର ବୈଜ୍ଞାନିକ ପ୍ରଫେସର ଅସିତ୍‌ ପଟ୍ଟନାୟକ ତାଙ୍କ ଛାତ୍ର କଲ୍ୟାଣ ନଗରର ବିକାଶ ରଞ୍ଜନ ସାହୁ ଓ ଅନ୍ୟ ଜଣେ ଓଡ଼ିଆ ଛାତ୍ର ପ୍ରତିଷେଧକ ତିଆରିରେ ଲାଗିଛନ୍ତି। ଖୁବ୍‌ଶୀଘ୍ର ସେମାନେ ମୂଷା ଉପରେ ପ୍ରତିଷେଧକ ବ୍ୟବହାର କରିବା ପରେ ଉକ୍ତ ପ୍ରତିଷେଧକ କିଭଳି କାର୍ଯ୍ୟ କରୁଛି ତାହା ଅନୁଧ୍ୟାନ କରିବାକୁ ଯାଉଛନ୍ତି ବୋଲି ଆମେରିକାର ଲିନ୍‌କୋଲନ୍‌ ସହରରେ କରୋନା ଭୂତାଣୁ ଉପରେ ଗବେଷଣା କରୁଥିବା ପ୍ରଫେସର ଡକ୍ଟର ଅସିତ୍‌ ପଟ୍ଟନାୟକ ‘ସମାଜ’କୁ କହିଛନ୍ତି।
କଟକ ଜିଲା ଅନ୍ତର୍ଗତ ବାଙ୍କୀର ବୈଦ୍ୟେଶ୍ବର ଗ୍ରାମର ବୈଜ୍ଞାନିକ ପ୍ରଫେସର ଅସିତ୍‌ ଆମେରିକାର ଲିନ୍‌କୋଲନ୍‌ ସହରରେ ଥିବା ୟୁନିଭର୍ସିଟି ଅଫ ନେବ୍ରସ୍‌କାରେ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି। ନେବ୍ରସ୍‌କା ସେଣ୍ଟର ଫର ଭାଇରୋଲୋଜି ପକ୍ଷରୁ ସେଠାରେ ସ୍ବତନ୍ତ୍ର ଭାବେ କୋଭିଡ୍‌-୧୯ ଭୂତାଣୁ ଉପରେ ଦିନରାତି ଗବେଷଣା କରିବା ସହିତ ପ୍ରାଥମିକ ପର୍ଯ୍ୟାୟରେ ଉପନୀତ ହୋଇଛନ୍ତି। ତାଙ୍କ କହିବା କଥା କରୋନା କୋଭିଡ୍‌ ଭୂତାଣୁ ଉପରେ ଅଧିକ ଗବେଷଣା ହୋଇ ନାହିଁ। ତେଣୁ ଏହାର ପ୍ରତିଷେଧକ ତିଆରି କରିବା ଏବେ ଆମ ପାଇଁ ଆହ୍ବାନ ହୋଇଛି। ଭୂତାଣୁର ଉପରିଭାଗରେ ଥିବା ପ୍ରୋଟିନ୍ ଅଂଶକୁ ନଷ୍ଟ କରିଦିଆଗଲେ ଏହି ଭୂତାଣୁ ବ୍ୟାପିପାରିବ ନାହିଁ।
ସେହିପରି ରୋଗ ପ୍ରତିରୋଧକ ଶକ୍ତି କମ୍ ରହିଲେ ଭୂତାଣୁ ସଂକ୍ରମଣ ବଢ଼ିଥାଏ; ତେଣୁ ରୋଗୀ ମଧ୍ୟରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଁ ପ୍ରତିଷେଧ ତିଆରି କରାଯାଉଛି। ତିନିଟି ପର୍ଯ୍ୟାୟରେ ଏକ ପ୍ରତିଷେଧକ ପ୍ରସ୍ତୁତ କରାଯିବ। ସିଧାସଳଖ ପ୍ରତିଷେଧକ ମାନବ ଶରୀରରେ ପ୍ରୟୋଗ ଦ୍ବାରା କ୍ଷତିହେବାର ଆଶଙ୍କାକୁ ବଢ଼ାଇ ଦେଇଥାଏ। କେତେକ କମ୍ପାନୀ ବି ଏହାକୁ ପ୍ରସ୍ତୁତ କରି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି; କିନ୍ତୁ ପ୍ରକୃତ ପକ୍ଷେ ତିନିଟି ପର୍ଯ୍ୟାୟ ଦେଇ ପ୍ରତିଷେଧକ ତିଆରି କଲେ ମାନବ ଉପରେ ଏହା ଠିକ୍‌ ଭାବେ କାର୍ଯ୍ୟ କରିଥାଏ ଓ କୌଣସି ଭୟ ରହି ନ ଥାଏ। ପ୍ରଥମ ପର୍ଯ୍ୟାୟରେ ପ୍ରତିଷେଧକ ନିର୍ମାଣ ହେବା ପରେ ମୂଷାଙ୍କ ଉପରେ ପ୍ରୟୋଗ କରାଯିବ। ଯାହାକି ଆମେ ଉକ୍ତ ପ୍ରଚେଷ୍ଟାରେ ଲାଗିଛୁ। ମୂଷାଙ୍କ ଉପରେ ପ୍ରୟୋଗ କରି ଦେଖିବୁ ଯେ କରୋନା କୋଭିଡ୍‌-୧୯ ପ୍ରତିଷେଧକ କିଭଳି ଭାବେ କାର୍ଯ୍ୟ କରୁଛି; ଯଦି ଏଥିରେ ଆମେ ସଫଳ ହେଲୁ ତେବେ ଦ୍ବିତୀୟ ପର୍ଯ୍ୟାୟକୁ ଯିବୁ। ଉକ୍ତ ପର୍ଯ୍ୟାୟରେ ପ୍ରତିଷେଧକ ପ୍ରସ୍ତୁତରେ କିଛି ଅସୁବିଧା ଥିଲେ ଉକ୍ତ ତ୍ରୁଟିକୁ ସୁଧାରିବା ସହିତ ଏଫଡିଆଇ ତାହାକୁ ଯାଞ୍ଚ କରି ସ୍ବୀକୃତି ଦେଲେ ତାହା ତୃତୀୟ ପର୍ଯ୍ୟାୟରେ ମାନବ ରୋଗୀ ଉପରେ ବ୍ୟବହୃତ ହୋଇପାରିବ। ସେ କହିଛନ୍ତି ଯେ ଆମେରିକାରେ ସ୍ଥିତି ଭୟଙ୍କର ହୋଇଛି।
ଭାରତ ଏବଂ ଓଡ଼ିଶା ସରକାର ଲକ୍‌ଡାଉନ ପଦକ୍ଷେପ ଉଲ୍ଲେଖନୀୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ପଦକ୍ଷେପ ନେଇଥିବା ଆମେ ଏଠାରେ ରହି ଜାଣିବାକୁ ପାଉଛୁ। ଓଡ଼ିଶାବାସୀଙ୍କୁ ମୋର ଅନୁରୋଧ ଯେ ବର୍ତ୍ତମାନ ସ୍ଥିତିରେ ସାମାଜିକ ଦୂରତା, ମାସ୍କ ପରିଧାନ କରନ୍ତୁ। ଘରୁ କମ୍‌ ବାହାରନ୍ତୁ। ଲକ୍‌ଡାଉନ ନ ମାନିବା ଯୋଗୁ ଆମେରିକାରେ ପରିସ୍ଥିତି ଭୟାବହ ହୋଇଛି। ଖୁବ୍‌ କମ ଦିନରେ ପ୍ରତିଷେଧକ ପ୍ରସ୍ତୁତ ହୋଇଯିବ ବୋଲି ସେ ଆଶା ରଖିଛନ୍ତି।
ସୂଚନାଯୋଗ୍ୟ ଯେ, ପ୍ରଫେସର ଡ. ପଟ୍ଟନାୟକ ବିଭିନ୍ନ ଭୂତାଣୁ ଉପରେ ଗବେଷଣା କରି ସଫଳ ହୋଇଛନ୍ତି। ବିଭିନ୍ନ ଦେଶରୁ ସେ ତାଙ୍କ ସେବା ପାଇଁ ପୁରସ୍କୃତ ହୋଇଛନ୍ତି। ସେ ହେଉଛନ୍ତି ପୁରୀର ପୂର୍ବତନ ଜିଲାପାଳ ସୁଦାମ ଚରଣ ପଟ୍ଟନାୟକ ଓ ଶାନ୍ତିଲତା ପଟ୍ଟନାୟକଙ୍କ ବଡ଼ ଜ୍ବାଇଁ।

Comments are closed.