ସଭ୍ୟ ସମାଜରେ ସଂକୀର୍ଣ୍ଣ ମାନସିକତା ଉଚିତ ନୁହେଁ : ବାଗଚୀ

ଭୁବନେଶ୍ୱର: ଆଜିର ଗତିଶୀଳ ପରିସ୍ଥିତିରେ କିଛି ନା କିଛି ବ୍ୟତିକ୍ରମ ରହିବ। ହେଲେ ଏହାର ଅର୍ଥ ନୁହେଁ ଯେ ପରିସ୍ଥିତିକୁ ଭୟ କରି ମାନବିକତାଠାରୁ ଦୂରେଇ ଯିବା। ଗୋଟିଏ ସଭ୍ୟ ସମାଜରେ ସଂକୀର୍ଣ୍ଣ ମାନସିକତା ରହିବା ଉଚିତ୍‍ ନୁହେଁ ବୋଲି ରାଜ୍ୟ କରୋନା ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି। ବୁଧବାର ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ ସୁରତ ଫେରନ୍ତା ଓ ତାଙ୍କୁ ନେଇ ହେଉଥିବା ସମାଲୋଚନା ଉପରେ ବକ୍ତବ୍ୟ ରଖି କହିଛନ୍ତି ଯେ ପ୍ରବାସୀମାନେ ଓଡ଼ିଶାର ପୁଅ-ଝିଅ ବୋଲି ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିସାରିଛନ୍ତି। ଏହି ପରିପ୍ରେକ୍ଷୀରେ ସେମାନଙ୍କୁ ଘୃଣା ଚକ୍ଷୁରେ ଦେଖିବା ବା ତାଙ୍କ ପ୍ରତି ଅନାଦାର କରିବା ଠିକ୍‍ ନୁହେଁ।

ସେ କହିଛନ୍ତି ଯେ ସରକାରଙ୍କ ସମ୍ବଳ ଉପରେ ଧନୀ-ଗରିବ ସମସ୍ତଙ୍କ ହକ୍‍ ରହିଛି। ଓଡ଼ିଶା ପୁଅ ଯେଉଁଠାରେ ଥିଲେ ବି ସରକାରଙ୍କର। ତେଣୁ ଆଜିର ପରିସ୍ଥିତିରେ ସେମାନଙ୍କ ପ୍ରତି ସହୃଦୟତା ଦେଖାଇବାର ଆବଶ୍ୟକତା ରହିଛି। ବର୍ତମାନ ଓଡ଼ିଶା ଚତୁର୍ଥ ପର୍ୟ୍ୟାୟରେ ପ୍ରବେଶ କରୁଛି। ପ୍ରଥମେ ବିଦେଶ ଫେରନ୍ତା ଓ ଏହାପରେ ନିଜାମୁଦ୍ଦିନ, ପଶ୍ଚିମବଙ୍ଗ ଏବଂ ଏବେ ପ୍ରବାସୀମାନଙ୍କ ପାଇଁ କରୋନା ଆକ୍ରାନ୍ତ ରାଜ୍ୟରେ ବଢ଼ିବ। ଏହାର ଅର୍ଥ ନୁହେଁ ଯେ ପ୍ରବାସୀ ଓଡ଼ିଆମାନଙ୍କୁ ହତାଦାର କରିବା। ତେବେ ଇତିମଧ୍ୟରେ ରାଜ୍ୟକୁ ୩୫ହଜାର ୫୪୦ଜଣ ପ୍ରବାସୀ ବିଭିନ୍ନ ରାଜ୍ୟରୁ ବିଭିନ୍ନ ଗାଡିରେ ଫେରିଛନ୍ତି। ଏମ୍ସର ଗୋଟିଏ ଡାକ୍ତରୀ ଟିମ୍‍ ବଲାଙ୍ଗୀର ପଠାଯାଇଥିବାବେଳେ ସ୍ୱାସ୍ଥ୍ୟବିଭାଗ ଏବଂ ଆରଏମଆରସିର ମିଳିତ ଟିମ୍‍ ଗଞ୍ଜାମ ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି। ପ୍ରବାସୀମାନଙ୍କ ଯେଭଳି କୌଣସି ଅସୁବିଧା ନହୁଏ ତାକୁ ଦୃଷ୍ଟିରେ ରଖି ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଗ୍ରାମାଞ୍ଚଳରେ ଗୃହ ସଂଗରୋଧକୁ ବାଧ୍ୟତାମୂଳକ କରାଯାଇଛି।

ଏହି ଅବସରରେ ପଞ୍ଚାୟତିରାଜ ସଚିବ ଡି କେ ସିଂହ କହିଛନ୍ତି ଯେ ବର୍ତମାନ ରାଜ୍ୟର ୬୭୯୮ଟି ପଞ୍ଚାୟତରେ ୧୨ହଜାର ଅସ୍ଥାୟୀ ମେଡିକାଲ ଶିବିର କରାଯାଇଛି। ଏହାବାଦ୍‍ ୫ଲକ୍ଷ ଶଯ୍ୟା ପ୍ରସ୍ତୁତ ରହିଛି। ପ୍ରବାସୀମାନଙ୍କ ରହିବା ଖାଇବା ଏବଂ ସ୍ୱାସ୍ଥ୍ୟସେବା ପାଇଁ ସରକାର ସବୁ ପ୍ରକାର ପ୍ରସ୍ତୁତ ରହିଛନ୍ତି। ପ୍ରତ୍ୟେକ ପ୍ରବାସୀଙ୍କ ସଙ୍ଗରୋଧ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଜଣଙ୍କା ପିଛା ସ୍ୱତନ୍ତ୍ର ବାଲଟି, ମଗ ଓ ଆନୁଷଙ୍ଗିକ ଜିନିଷପତ୍ର ଠିକଣା କରାଯାଇଛି। ଏହାବାଦ୍‍ ତଦାରଖ ପାଇଁ ପଞ୍ଚାତରେ ୫ଜଣିଆ କମିଟି ଗଠନ ହେବା ସହିତ ବିଡ଼ିଓଙ୍କସ୍ତରରେ ଷ୍ଟିଅରିଂ କମିଟି ଗଠନ କରାଯାଇଛି। ପ୍ରତ୍ୟେକ ସ୍ୱାସ୍ଥ୍ୟକର୍ମୀ ଓ ଖାଦ୍ୟ ଯୋଗାଣକାରୀଙ୍କୁ ପିପିଇ ପୋଷାକ ଯୋଗାଇ ଦିଆଯାଇଛି। ମହିଳା ଓ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟର ବ୍ୟବସ୍ଥା କରାଯାଇଛି। ଯେଉଁଠାରେ ଶୌଚାଳୟ ନଥିଲା ସେଠାରେ ନିର୍ମାଣ କରାଯାଇଛି। ପ୍ରବାସୀମାନେ ଏବେ ହୋଟେଲ ରହିବା ଭଳି ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି ବୋଲି ଶ୍ରୀ ସିଂହ କହିଛନ୍ତି।

Comments are closed.