ତିନି ଦିନର ନବଜାତକୁ ଡାକ୍ତରଖାନାରେ ଛାଡି କରୋନା ସଂକ୍ରମିତ ମା’ ଫେରାର

ନୂଆଦିଲ୍ଲୀ : ମାତ୍ର ତିନି ଦିନର ନବଜାତ ଶିଶୁ କନ୍ୟାକୁ ଡାକ୍ତରଖାନାରେ ଛାଡି କରୋନା ସଂକ୍ରମିତ ମା’ ଫେରାର ହୋଇଛି। ଏହି ଘଟଣା ଉତ୍ତର ଦିଲ୍ଲୀର ହିନ୍ଦୁ ରାଓ ହସ୍ପିଟାଲରେ ଘଟିଛି। ମହିଳା ଜଣକ ଫେରାର ହେବା ପରେ ଡାକ୍ତରଖାନା ପ୍ରଶାସନ ଓ ପୁଲିସ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଫେରାର ମହିଳାଙ୍କ ଠାରୁ କରୋନା ସଂକ୍ରମଣ ହେବାର ଆଶଙ୍କା ରହିଛି। ସବଜି ମାଣ୍ଡି ପୁଲିସ ମାମଲା ରୁଜୁ କରି ମହିଳାଙ୍କୁ ଖୋଜାଖୋଜି କରୁଛି। ନବଜାତକୁ ଡାକ୍ତରଖାନାର ନର୍ସରୀ ୱାର୍ଡରେ ରଖାଯାଇଛି। ଡାକ୍ତର ଏବଂ ଅନ୍ୟ କର୍ମଚାରୀମାନେ ଶିଶୁର ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି।
ଅନ୍ୟପକ୍ଷରେ ମହିଳା ସନ୍ଧାନରେ ପୁଲିସ ପାଇଁ ଏକ ଭିନ୍ନ ଚ୍ୟାଲେଞ୍ଜ ରହିଛି। କାରଣ ମହିଳା ଜଣକ କରୋନା ସଂକ୍ରମିତ। ଏପରି ପରିସ୍ଥିତିରେ ଯଦି ପୁଲିସ ତାଙ୍କୁ ଖୋଜି ବାହାର କରେ ତେବେ ସେ ତାଙ୍କୁ ସିଧାସଳଖ ଧରିପାରିବ ନାହିଁ। ହସ୍ପିଟାଲରେ ଭର୍ତ୍ତି ହେବା ସମୟରେ ମହିଳା ଜଣକ ଦେଇଥିବା ଫୋନ୍ ନମ୍ବର ମଧ୍ୟ କ୍ରମାଗତ ଭାବେ ବନ୍ଦ ରହିଛି।
ପୁଲିସ ସୂଚନାନୁସାରେ, ଅଗଷ୍ଟ ୧୧ ରେ ଆସିଫା ଖାଟୁନ ନାମକ ଜଣେ ମହିଳା ଏବଂ ତାଙ୍କ ନବଜାତ ଶିଶୁ କନ୍ୟାକୁ ହିନ୍ଦୁ ରାଓ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମହିଳା ଜଣକ କସ୍ତୁରବା ଗାନ୍ଧୀ ଡାକ୍ତରଖାନାରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ, କିନ୍ତୁ ମହିଳାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବାରୁ ଉଭୟଙ୍କୁ ହିନ୍ଦୁ ରାଓ ଡାକ୍ତରଖାନାକୁ ପଠାଯାଇଥିଲା। ଶିଶୁଟି ନର୍ସରୀ ୱାର୍ଡରେ ଥିବାବେଳେ ମା’ ଆସିଫାଙ୍କୁ କରୋନା ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଅଗଷ୍ଟ ୧୨ ରାତିରେ ସେ ଶିଶୁକନ୍ୟାକୁ ଛାଡି ଫେରାର ହୋଇ ଯାଇଛନ୍ତି।