ଅମାନିଆଙ୍କୁ ବଳ ନାହିଁ: ଭିସୁଟରୁ ଜନବସତିକୁ ବ୍ୟାପୁଛି କରୋନା, ସଂକ୍ରମିତ ସଂଖ୍ୟା ୧୦କୁ ବୃଦ୍ଧି

ବୁର୍ଲା: ଭିସୁଟରେ କରୋନା ସଂକ୍ରମଣ ବଢ଼ୁଛି। ତା’ ସହିତ ଭିସୁଟରୁ ବୁର୍ଲା ଜନବସତି ଆଡ଼କୁ ସଂକ୍ରମଣ ବ୍ୟାପୁଛି। କରୋନା ଭୂତାଣୁ ଭୁସିଟ କ୍ୟାମ୍ପସରୁ ବାହାରି ବୁର୍ଲାର ୩ଟି ବସତିରେ ନିଜ ଉପସ୍ଥିତି ଜାହିର କଲାଣି। ସିଭିଲ ବିଭାଗର ଅଧ୍ୟାପିକା ଓ ତାଙ୍କ ସ୍ବାମୀଙ୍କ ସଂସ୍ପର୍ଶରେ ଆସି ପ୍ରଥମେ ୫ ଜଣ ସଂକ୍ରମିତ ହେଲା ପରେ ସେମାନଙ୍କ ସଂସ୍ପର୍ଶରେ ଆସି ଆଉ ୪ ଜଣ ସଙ୍କ୍ରମିତ ବାହାରିଲେଣି। ସରକାରୀ ସୂତ୍ର ଅନୁସାରେ ଅଧ୍ୟାପିକାଙ୍କୁ ମିଶାଇ ଆଜି ସୁଦ୍ଧା ୧୦ ଜଣ କର୍ମଚାରୀ କରୋନା ସଙ୍କ୍ରମିତ ହେଲେଣି। ଏମାନଙ୍କ ମଧ୍ୟରୁ ଜଣେ ସହରରେ ଖୋଲାଖୋଲି ବୁଲୁଥିବା ଓ କ୍ରିକେଟ ଖେଳୁଥିବା ଦେଖାଯିବାରୁ ତାଙ୍କୁ କାଲି ରାତିଅଧିଆ ଉଠାଇ ନିଆଯାଇଛି। ପରିସ୍ଥିତି ଧିରେ ଧିରେ ଜଟିଳ ହେଉଥିବା ଦେଖି ୮ଟି ପୃଥକ ଦଳଙ୍କୁ କଣ୍ଟାକ୍ଟ ଟ୍ରେସିଂ ଖୋଜା ଚାଲିଛି।
ସିଭିଲ ବିଭାଗର କରୋନା ଆକ୍ରାନ୍ତ ଅଧ୍ୟାପିକାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଘରେ ସଙ୍ଗରୋଧରେ ରହିବାକୁ ତାଗିଦ କରାଯାଇଥିଲା। କିନ୍ତୁ କେହି ତାକୁ ପାଳନ କରି ନଥିବା ଅଭିଯୋଗ ହୋଇଛି। ଯେଉଁ ନୂଆ ୪ ଜଣ ଠିକା କର୍ମଚାରୀ ନୂଆ ସଂକ୍ରମିତ ବାହାରିଛନ୍ତି ସେମାନଙ୍କ ମଧ୍ୟରେ ଜଣେ ମହିଳା କିରାଣୀ (୨୯), ଜଣେ ସୁରକ୍ଷା କର୍ମଚାରୀ (୩୮), ଜଣେ ଇଲେକ୍ଟ୍ରିସିଆନ (୩୩) ଓ ଜଣେ ଏସି ମେକାନିକ (୩୩) ଅଛନ୍ତି। ଇଲେକ୍ଟ୍ରିସିଆନ ଓ ଏ.ସି ମେକାନିକ ‌କରୋନା ସଂକ୍ରମିତ ଅଧ୍ୟାପିକାଙ୍କ କ୍ବାର୍ଟର୍ସର ଏ.ସି ସଜାଡ଼ିବାକୁ ଯାଇଥିଲେ। ସୁରକ୍ଷା କର୍ମଚାରୀ କଲୋନୀ ବ୍ୟାରେକରେ ରହୁଥିଲେ। ସେ ମଧ୍ୟ ଅଧ୍ୟାପିତାଙ୍କ ଘରକୁ ଯିବା ଆସିବା କରୁଥିଲେ। ସୋମବାର ରାତିରେ ଇଲେକ୍ଟ୍ରିସିଆନଙ୍କୁ ଭକ୍ତି ମଣ୍ଡପ, ମହିଳା କିରାଣୀଙ୍କୁ ଗୁରୁଦ୍ବାରା ଓ ଏସି ମେକାନିକଙ୍କୁ ଗୋପବନ୍ଧୁ ଛକ ଘରୁ ରାତାରାତି ଉଠାଇ ନେଇ ସମ୍ବଲପୁର କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଇଲେକ୍ଟ୍ରିସିଆନଙ୍କ ସଂସ୍ପର୍ଶରେ ଆସିଥିବା ତାଙ୍କ କେତେକ ସାଙ୍ଗ ସ୍ବେଚ୍ଛାକୃତ ଭାବେ ନିଜ ସ୍ୱାବ ଓ ରକ୍ତ ନମୁନା ପରୀକ୍ଷା ପାଇଁ ଦେଇଛନ୍ତି। ସୁରକ୍ଷା କର୍ମଚାରୀ ସଂକ୍ରମିତ ହେବା ପରେ ତାଙ୍କ ସହ ସେହି ବ୍ୟାରେକରେ ରହୁଥିବା ୭/୮ ଜଣ ସହକର୍ମୀ ମଧ୍ୟ ସ୍ବତଃ ସନ୍ଦେହ ପରିସରକୁ ଆସି ଯାଇଛନ୍ତି।
ଭିସୁଟରୁ ସଂକ୍ରମଣ ଚାରି ଆଡ଼କୁ ବ୍ୟାପୁଥିବାରୁ ଲୋକଙ୍କ ମଧ୍ୟରେ ଭୟର ବାାତାବରଣ ସୃଷ୍ଟି ହୋଇଛି। ଅଧିକ ସଂକ୍ରମଣକୁ ରୋକିବା ପାଇଁ ମହାନଗର ନିଗମ କେବଳ ବୁର୍ଲାର ୮ଟି ଜାଗାରେ କଣ୍ଟ୍ରାକ୍ଟ ଟ୍ରେସିଂ ଚାଲିଛି। ବସନ୍ତ ବିହାର, ତେଲୁଗୁପଡ଼ା, କିର୍ବା, ଭକ୍ତି ମଣ୍ଡପ, ଗୁରୁଦ୍ବାରା, ଗୋପବନ୍ଧୁ ଛକ, କଣ୍ଟ୍ରାକ୍ଟର୍ସ କଲୋନୀ, ନ୍ୟୁ କଲୋନୀ, ବୋର୍ଡ କଲୋନୀରେ ସଂକ୍ରମିତ ବ୍ୟକ୍ତିମାନଙ୍କ ସଂପର୍କୀୟ ଓ ସଂସ୍ପର୍ଶରେ ଅାସିଥିବା ବ୍ୟକ୍ତିମାନଙ୍କୁ ଖୋଜା ଚାଲିଛି। ଏହା ପୂର୍ବରୁ ଭିସୁଟ ଆକାଉଣ୍ଟ୍‌ସ ବିଭାଗର ଜଣେ ଅବସରପ୍ରାପ୍ତ କିରାଣୀ, ଏଷ୍ଟାବ୍ଲିସମେଣ୍ଟ ବିଭାଗର ବରିଷ୍ଠ କିରାଣୀ, ସିଭିଲ ବିଭାଗର ପ୍ରଫେସର, ଇଟିସି ବିଭାଗର ସହଯୋଗୀ ପ୍ରଫେସର ଓ ଅଧ୍ୟାପିକାଙ୍କ ଚାକରାଣୀ କରୋନା ସଂକ୍ରମିତ ହୋଇ ସାରିଛନ୍ତି। ଭିସୁଟରୁ ସାମାଜିକ ସଂକ୍ରମଣ ବ୍ୟାପୁଥିବାରୁ ଏହି ବିଶ୍ବବିଦ୍ୟାଳୟକୁ ୧୩ ତାରିଖ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। ଗୋପବନ୍ଧୁ ଛକ ନିକଟରେ ରହୁଥିବା ସଂକ୍ରମିତ ଇଲେକ୍ଟ୍ରିସିଆନ ଘରେ ଓ ବାହାରେ ଅନେକ ଲୋକଙ୍କ ସହିତ ଖୋଲାଖୋଲି ମିଶିଛନ୍ତି। ସେ ବୁର୍ଲାରେ ଅବାଧରେ ବୁଲାବୁଲି କରିବା ସହିତ ସାଙ୍ଗମାନଙ୍କ ସହିତ ମିଶି କ୍ରିକେଟ ମଧ୍ୟ ଖେଳିଛନ୍ତି। ଏହା ବୁର୍ଲା ସହରବାସୀଙ୍କ ପାଇଁ ବଡ଼ ବିପଦର କାରଣ ପାଲଟିଛି। ତା ସହିତ ବୁର୍ଲା ପିସି ବ୍ରିଜ ଛକରୁ ଫାଣ୍ଡି ଛକ, ୱାନ୍‌ଆର୍‌ କଲୋନୀ, ମହତାବ ନଗର, ବସନ୍ତ ବିହାର, ପାଣିଟାଙ୍କି ପଡ଼ା, ଚିପିଲିମା କର୍ଡୋଲା ଅଞ୍ଚଳରେ ୧୪୪ ଧାରା ବଳବତ୍ତର ଅଛି।

Comments are closed.