ବଡ଼ସାହି ବ୍ଲକରେ ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ୫୦ଛୁଇଁଲା

ବଡ଼ସାହି : ମୟୂରଭଞ୍ଜ ଜିଲା, ବଡ଼ସାହି ବ୍ଲକରେ କରୋନା ସଂକ୍ରମଣରେ ସ୍ଥାନୀୟ ଆକ୍ରାନ୍ତଙ୍କ ସଖ୍ୟା ୫୦ଛୁଇଁଛି। ଦୁଇଦିନରେ ମାଣତ୍ରୀ, ମାନଗୋବିନ୍ଦପୁର ଓ କେନ୍ଦୁଡିହ ପଞ୍ଚାୟତରୁ ୪ଜଣ ସ୍ଥାନୀୟ ଆକ୍ରାନ୍ତଙ୍କୁ ଚିହ୍ନଟ ପରେ ସମସ୍ତଙ୍କୁ ଜିଲା କୋଭିଡ଼ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଏହି ୪ଜଣ ଚିହ୍ନଟ ପରେ ବଡ଼ସାହି ବ୍ଲକରେ ୨୦ଟି ପଞ୍ଚାୟତରୁ ମୋଟ କୋରାନା ଆକ୍ରାନ୍ତଙ୍କ ସଂଖ୍ୟା ୫୭ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରେ ୧୪ଜଣ କରୋନା ଯୋଦ୍ଧାଙ୍କୁ ମିଶାଇ ୫୦ଜଣ ସ୍ଥାନୀୟ ଆକ୍ରାନ୍ତ ଓ ୮ଜଣ ଟିଏମସିରୁ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ବ୍ଲକର ସାନକେରକୋ ପଞ୍ଚାୟତରୁ ସର୍ବାଧିକ ୯ଜଣ ଥିବା ବେଳେ ବଡ଼ସାହିରୁ ୮ଜଣ, ପ୍ରତାପପୁର, ନାଉପାଳ, ଖାନୁଆ, ମାଣତ୍ରୀ ଓ କେନ୍ଦୁଡ଼ିହାରୁ ୩ଜଣ ଲେଖାଏଁ, ବଳଭଦ୍ରପୁର ଓ ପୂର୍ଣ୍ଣଚନ୍ଦ୍ରପୁର ପଞ୍ଚାୟତରୁ ୨ଜଣ ଲେଖାଏଁ ଏବଂ ଯଦୁନାଥପୁର, ପଟିସାରୀ, ତାଳପଦା, ଦେଉଳିଆ, ମାଧପୁର, ଜାରକାଣୀ ଓ ମାନଗୋବିନ୍ଦପୁର ପଞ୍ଚାୟତରୁ ଜଣେ ଲେଖାଏଁ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ଅପରପକ୍ଷରେ ଭୀମିଦାରୁ ୩ଜଣ, ମାନଗୋବିନ୍ଦପୁରରୁ ୨ଜଣ, ଛେଳିଆ(କ), ଯୋଗୀନୂଆଗାଁ ଓ ପାଉଁଶିଆ ପଞ୍ଚାୟତରୁ ଜଣେ ଲେଖାଏଁ ମିଶି ୮ଜଣ ଟିଏମସିରୁ ଚିହ୍ନଟ ଆକ୍ରାନ୍ତ ରହିଛନ୍ତି।
ମାଣତ୍ରୀରୁ ଶୁକ୍ରବାର ପ୍ରଥମ ଚିହ୍ନଟ ସ୍ଥାନୀୟ ଆକ୍ରାନ୍ତ ଯୁବକଙ୍କ ସଂସ୍ପର୍ଶରେ ଆସିଥିବା ୬ଜଣ ନିଜର ନମୁନା ପରୀକ୍ଷା କରାଇଥିବା ବେଳେ ୨ଜଣଙ୍କର ପଜିଟିଭ ରିପୋର୍ଟ ଆସିଥିବାରୁ ସେମାନଙ୍କୁ ବ୍ଲକ କୋଭିଡ଼ ଟିମ ନେଇଯାଇଛନ୍ତି। ଉଭୟଙ୍କର ବୟସ ୩୦ବର୍ଷ ଓ ଘର ଗୋଟିଏ ସାହିରେ। ଏହି ଦୁଇ ଯୁବକ ଖାଦ୍ୟ ସୁରକ୍ଷା ଯୋଜନାର ସାମଗ୍ରୀ ବଣ୍ଟନରେ ପଞ୍ଚାୟତ ଯୋଗାଣ ସହାୟକଙ୍କୁ ସାହାଯ୍ୟ କରିଥାନ୍ତି। ଯୋଗାଣ ସହାୟକ ଜଣଙ୍କ ପ୍ରଥମ ଆକ୍ରାନ୍ତ ଯୁବକଙ୍କ ସମ୍ପର୍କୀୟ ହୋଇଥିବାରୁ ସରପଞ୍ଚ ମହାଦେବା ସିଂଙ୍କ ନିର୍ଦେଶରେ ସମସ୍ତେ ସଙ୍ଗରୋଧରେ ଥିଲେ। ଯୋଗାଣ ସହାୟକଙ୍କ ସହିତ ୪ଜଣ ହାଇରିସ୍କ ଚିହ୍ନଟଙ୍କ ରିପୋର୍ଟ ନେଗେଟିଭ ଆସିଛି। ଶନିବାର ଠାରୁ ମାଣତ୍ରୀ ପଞ୍ଚାୟତ ମଙ୍ଗଳବାର ପର୍ଯନ୍ତ ସଟଡ଼ାଉନ ରହିଥିବା ବେଳେ ବୁଧବାର ଠାରୁ ସ୍ୱାଭାବିକ ହୋଇଛି। ତେବେ ବଜାରରେ ଥିବା କେତେକ ଦୋକାନୀ ସାମାଜିକ ଦୂରତା ନିୟମ ଉଲଘଂନ କରୁଥିବାରୁ ବୈଶିଙ୍ଗା ପୁଲିସର ଦୃଷ୍ଟି ଆକର୍ଷଣ କରାଯାଇଛି। ନିୟମ କଡ଼ାକଡ଼ି କରିବା ପାଇଁ ସରପଞ୍ଚ ବିଡ଼ିଓଙ୍କୁ ମଧ୍ୟ ଅବଗତ କରିଛନ୍ତି। ଅନ୍ୟପକ୍ଷରେ ମାନଗୋବିନ୍ଦପୁର କୁଞ୍ଚିବଣିଆ ଗ୍ରାମର ଜଣେ ୨୨ବର୍ଷର ଯୁବକ ଥଣ୍ଡା ଜନିତ ଅସୁସ୍ଥତା ପାଇଁ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ସାଙ୍ଗକୁ ସ୍ୱାବ ନମୁନା କୋଭିଡ଼ ପରୀକ୍ଷା ପାଇଁ ଦେଇଥିଲେ। ରିପୋର୍ଟ ଆସିବା ପରେ ମଙ୍ଗଳବାର ପୂର୍ବାହ୍ଣରେ ତାଙ୍କୁ ବ୍ଲକ କୋଭିଡ଼ ଟିମ ନେବାକୁ କୁଞ୍ଚିବଣିଆ ଗାଁରେ ପହଞ୍ଚିଥିଲେ। ତେବେ ସେ ଦରବାରପୁର ସାହିରେ ଥିବାରୁ ଟିମ ଆସି ନେଇଯାଇଥିଲେ। ବର୍ତ୍ତମାନ ଉଭୟ ଗ୍ରାମରେ ସଂକ୍ରମିତ ଜଣଙ୍କ ଚଳପ୍ରଚଳ କରିଥିବାରୁ ବିଶୋଧନ ସାଙ୍ଗକୁ କଣ୍ଟାକ୍ଟ ଡ୍ରେସିଂରେ ସଂସ୍ପର୍ଶିତଙ୍କୁ ନମୁନା ପରୀକ୍ଷା ରିପୋର୍ଟ ଆସିବା ପର୍ଯ୍ୟନ୍ତ ସଙ୍ଗରୋଧରେ ରହିବାକୁ କୁହାଯାଇଛି। ସେହିପରି ବୁଧବାର ବଡ଼ସାହିରେ ଆଣ୍ଟିଜେନ ପରୀକ୍ଷାରେ ମେଣ୍ଢାମୁଣ୍ଡିଆ ଗ୍ରାମର ୬୫ବର୍ଷର ବୃଦ୍ଧ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ତାଙ୍କୁ ଜିଲା କୋଭିଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ପରେ କଣ୍ଟାକ୍ଟ ଟ୍ରେସିଂଙ୍କର ନମୁନା ପରୀକ୍ଷା ବିଳମ୍ବ ହେଉଥିବାରୁ ତାକୁ ତ୍ୱରାନ୍ନିତ କରିବାକୁ ବଡ଼ସାହି ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଦାବି କରାଯାଇଛି।

Comments are closed.