କରୋନା ସଂକ୍ରମିତଙ୍କୁ ଡାକ୍ତରଖାନାରୁ ଛାଡ଼ ପୂର୍ବରୁ ହେଉନି ସ୍ୱାବ୍ ପରୀକ୍ଷା

କଟକ : କରୋନା ସଂକ୍ରମଣ ବଢିବା ସହିତ ସୁସ୍ଥତା ହାର ବଢୁଥିବା ସରକାରୀଭାବେ ସୂଚନା ଦିଆଯାଉଛି। କରୋନା ସଂକ୍ରମିତ ମେଡିକାଲରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ଆଉ ସ୍ୱାବ ପରୀକ୍ଷା କରାଯାଉନାହିଁ। ସେ କରୋନାରୁ ସୁସ୍ଥ ହୋଇଛନ୍ତି କି ନାହିଁ ତାହା ଜଣାପଡୁନାହିଁ। କେବଳ ଡାକ୍ତରଖାନାରେ ୧୦ଦିନ ରହିବା ପରେ ସଂକ୍ରମିତଙ୍କୁ ସୁସ୍ଥ ହୋଇଥିବା ଦର୍ଶାଇ ମେଡିକାଲରୁ ଡିସଚାର୍ଜ(ଛାଡ) କରିଦିଆଯାଉଛି। ସ୍ୱାବ ପରୀକ୍ଷା ହେଉନଥିବାରୁ ସଂକ୍ରମିତ ବ୍ୟକ୍ତି ପୁଣି ଥରେ କରୋନାରେ ସଂକ୍ରମିତ ହେଉଛନ୍ତି। ସଂକ୍ରମଣରୁ ସୁସ୍ଥ ହୋଇ ପୁଣି ସଂକ୍ରମଣ ହେଉଥିବା ବ୍ୟକ୍ତିଙ୍କ ସଂଖ୍ୟାରେ ଦିନକୁ ଦିନ ବଢିଚାଲିଛି। ଏମିତିକି କେତେକ କ୍ଷେତ୍ରରେ ସଂକ୍ରମିତ ଗୁରୁତର ହୋଇ ମୃତ୍ୟୁମୁଖରେ ପଡୁଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ସଂକ୍ରମଣ ରୋକିବାକୁ ସରକାର ତତ୍ପରତା ପ୍ରକାଶ କରିଥିଲେ। ଏମିତିକି ପ୍ରଥମ କରୋନା ସଂକ୍ରମିତଙ୍କୁ ୨୦ଦିନରୁ ଊର୍ଦ୍ଧ୍ବ ସମୟଧରି ମେଡିକାଲରେ ଚିକିତ୍ସା କରାଯିବା ପରେ ସ୍ୱାବ ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା।

ପ୍ରାଥମିକ ପର୍ଯ୍ୟାୟରେ ସଂକ୍ରମିତଙ୍କ ସ୍ୱାବ ରିପୋର୍ଟ ନେଗେଟିଭ ଜଣାପଡ଼ିବା ପରେ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଉଥିଲା। ବର୍ତ୍ତମାନ ଏହି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ବର୍ତ୍ତମାନ କୌଣସି ମେଡିକାଲରେ କିମ୍ବା ହୋମ ଆଇସୋଲେସନରେ ରହୁଥିବା ସଂକ୍ରମିତଙ୍କ ସ୍ୱାବ ପରୀକ୍ଷା କରାଯାଉନାହିଁ। କେବଳ ପ୍ରାଥମିକ ପର୍ଯ୍ୟାୟରେ ସ୍ୱାବ ପରୀକ୍ଷା କରାଯାଉଛି। ଯେଉଁମାନଙ୍କର ପଜିଟିଭ ବାହାରୁଛି, ସେମାନଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ୧୦ଦିନ ପର୍ଯ୍ୟନ୍ତ ହସ୍ପିଟାଲରେ ରଖାଯାଉଛି। ୧୦ଦିନ ପରେ ସ୍ୱାବ ପରୀକ୍ଷା କରାନଯାଇ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରିଦିଆଯାଉଛି।

ସ୍ୱାବ ପରୀକ୍ଷା କରାଯାଉ ନ ଥିବାରୁ ଅନେକ ବ୍ୟକ୍ତି କରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନ ଥିଲେ ମଧ୍ୟ ଡାକ୍ତରଙ୍କ ପରାମର୍ଶକ୍ରମେ ଡାକ୍ତରଖାନାରୁ ଘରକୁ ଫେରୁଛନ୍ତି। କିଛିଦିନ ଘରେ ରହିବା ପରେ ପୁଣି ସଂକ୍ରମିତ ହେଉଛନ୍ତି କିମ୍ବା କରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନ ଥିବାରୁ ପୁଣି କରୋନା କବଳରେ ପଡ଼ି ପ୍ରାଣ ହରାଉଛନ୍ତି। ଯାହାଫଳରେ କରୋନାରୁ ସୁସ୍ଥ ହୋଇ ପୁଣି ସଂକ୍ରମିତ ହେବା ରୋଗୀଙ୍କ ସଂଖ୍ୟା ବଢିଚାଲିଛି। ଏଭଳି ଅନେକ ଉଦାହରଣ ସାମ୍‌ନାକୁ ଆସିଛି। ନିକଟରେ କଟକର ସଞ୍ଜୟ ମିଶ୍ର କରୋନା ସଂକ୍ରମିତ ହୋଇଥିଲେ। ତାଙ୍କୁ ଏକ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୧୦ଦିନ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ତାଙ୍କୁ ଡିସ୍‌ଚାର୍ଜ କରିଦିଆଯାଇଥିଲା। ଡିସ୍‌ଚାର୍ଜ ପୂର୍ବରୁ ତାଙ୍କର ସ୍ୱାବ ପରୀକ୍ଷା କରାଯାଇନଥିଲା। ମେଡିକାଲରୁ ଡିସଚାର୍ଜ ହେବାର ୪ଦିନ ପରେ ସେ ନିଜ ଆଡୁ ଆଉଥରେ ପରିବାର ସହ ସ୍ୱାବ୍‌ ପରୀକ୍ଷା କରାଇଥିଲେ। ତାଙ୍କ ସ୍ୱାବ୍‌ ରିପୋର୍ଟ ପଜିଟିଭ ଆସିଥିଲା।

କେବଳ ଶ୍ରୀ ମିଶ୍ର ନୁହନ୍ତି; ଜଣେ ବରିଷ୍ଠ ପ୍ରଶାସକ ମଧ୍ୟ କରୋନାରେ ସଂକ୍ରମିତ ହୋଇ କଟକର ଏକ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୧୦ଦିନ ଚିକିତ୍ସିତ ହେବା ପରେ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରିଦିଆଯାଇଥିଲା। ଘରକୁ ଫେରିବା ପରେ ପୁଣି ଥରେ ସେ କରୋନା ସଂକ୍ରମିତ ହୋଇଥିଲେ। କୋଭିଡ ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ସେହିପରି ଏସସିବି ଦନ୍ତରୋଗ ମହାବିଦ୍ୟାଳୟର ଜଣେ ସିନିୟର ରେସିଡେନ୍ସ ମଧ୍ୟ କରୋନାରୁ ମୁକୁଳି ପୁଣି ଥରେ କରୋନା ଭୂତାଣୁ ସଂକ୍ରମଣର ଶିକାର ହୋଇଥିଲେ। ଏକାଧିକ ବ୍ୟକ୍ତି ସଂକ୍ରମଣରୁ ଆରୋଗ୍ୟ ଲାଭ କରି ପୁଣି ଥରେ ସଂକ୍ରମିତ ହେଉଛନ୍ତି; କିନ୍ତୁ ସରକାର ମେଡିକାଲରୁ ଡିସ୍‌ଚାର୍ଜ ହେଉଥିବା ବ୍ୟକ୍ତିଙ୍କର ସ୍ୱାବ୍‌ ପରୀକ୍ଷା କଣ ପାଇଁ କରାଯାଉନାହିଁ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମେଡିକାଲରୁ ଡିସଚାର୍ଜ ପୂର୍ବରୁ ସ୍ୱାବ ପରୀକ୍ଷା କରାଗଲେ ପୁନଃ ସଂକ୍ରମଣ ଆଶଙ୍କାକୁ ସହଜରେ ଏଡାଇ ଦେଇ ହେବ ବୋଲି ବହୁ ବିଶେଷଜ୍ଞ ଡାକ୍ତର ମତ ଦେଇଛନ୍ତି।

Comments are closed.