ଆଇଆଇଟି କାନପୁର ପ୍ରଫେସରଙ୍କ ଆକଳନ, ଜାନୁଆରୀରେ ଶିଖର ଛୁଇଁବ ତୃତୀୟ ଲହର

କାନପୁର: କରୋନାର ନୂଆ ପ୍ରଜାତିର ଭୂତାଣୁ ଆସିଲେ ଦେଶରେ ତୃତୀୟ ଲହର ଆସିବ ବୋଲି ଯେଉଁ ପୂର୍ବାନୁମାନ କରାଯାଇଥିଲା ତାହା ଏବେ ବାସ୍ତବ ରୂପ ନେବାକୁ ଯାଉଛି। ଦେଶକୁ ଏବେ କରୋନାର ନୂଆ ପ୍ରଜାତିର ଭୂତାଣୁ ଓମିକ୍ରନ ଆସିଥିବାରୁ ଏହା ତୃତୀୟ ଲହର ଆଣିବାକୁ ଯାଉଛି। ଏପରିସ୍ଥିତିରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) କାନପୁରର ପ୍ରଫେସର ମନିନ୍ଦ୍ର ଅଗ୍ରୱାଲ କହିଛନ୍ତି ୨୦୨୨ ଜାନୁଆରୀରେ ଦେଶରେ କରୋନାର ତୃତୀୟ ଲହର ଶିଖର ଛୁଇଁବ। ଦେଶରେ ଓମିକ୍ରନ ଭୂତାଣୁ ସଂକ୍ରମିତ ଚିହ୍ନଟ ହେବା ପରେ ଏହାର ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି।

ରବିବାର ସୁଦ୍ଧା ଏହି ସଂକ୍ରମିତଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। ଏହା ସହିତ ବିଭିନ୍ନ ରାଜ୍ୟରେ ବିଦେଶୀ ଫେରନ୍ତା ନାଗରିକ କରୋନା ସଂକ୍ରମିତ ହୋଇଥିବାବେଳେ ସେମାନଙ୍କ ଜିନୋମ ସିେକ୍ବନ୍ସ ପରୀକ୍ଷା ପାଇଁ ପଠାଯାଇଛି। ଜିନୋମ ସିେକ୍ବନ୍ସ ପରୀକ୍ଷା ରିପୋର୍ଟ ଆସିବା ପରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବ। ସେହିପରି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଅନେକ ପଜିଟିଭ ଚିହ୍ନଟ ହୋଇଛନ୍ତି। ଓମିକ୍ରନର ପ୍ରଜାତି ଭୂତାଣୁର ସଂକ୍ରମଣ ବେଗ ଅଧିକ ହୋଇଥିବାରୁ ଏହା ତୃତୀୟ ଆଣିବା ନିଶ୍ଚିତ ହୋଇଛି। ତେବେ ଏହି ପ୍ରଜାତି ଭୂତାଣୁ ସଂକ୍ରମିତଙ୍କ ଠାରେ ସେପରି ଲକ୍ଷଣ ପ୍ରକାଶ ପାଉ ନାହିଁ କି ଏହା ପୂର୍ବ ପ୍ରଜାତିର ଭୂତାଣୁ ଭଳି ଘାତକ ନୁହେଁ। ତେଣୁ ଏଥିପାଇଁ ଆତଙ୍କିତ ନ ହୋଇ କରୋନା ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

ରବିବାର କର୍ଣ୍ଣାଟକର ଚିକାମାଗାଲୁରୁରେ ଏକ ଆବାସିକ ବିଦ୍ୟାଳୟର ୪୦ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି। ସେହିପରି କର୍ଣ୍ଣାଟକରେ ନିଖୋଜ ଥିବା ୧୦ଜଣ ଦକ୍ଷିଣ ଆଫ୍ରିକା ଫେରନ୍ତାଙ୍କୁ ବେଙ୍ଗାଲୁରୁରେ ଠାବ କରାଯାଇଛି। ବୃହତ ବେଙ୍ଗାଲୁରୁ ମହାନଗର ପାଳିକା (ବିବିଏମପି) ଅଧିକାରୀମାନେ ଏହି ଦକ୍ଷିଣ ଆଫ୍ରିକା ଫେରନ୍ତାଙ୍କୁ ଚିହ୍ନଟ କରିଛନ୍ତି। କର୍ଣ୍ଣାଟକରେ ଦୁଇଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ପରେ ଏହି ଦକ୍ଷିଣ ଆଫ୍ରିକା ଫେରନ୍ତାଙ୍କୁ ଖୋଜା ଯାଇଥିଲା। ନଭେମ୍ବର ୨୦ରେ ୧୦ଜଣ ନାଗରିକ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ। ଦକ୍ଷିଣ ଆଫ୍ରିକାରେ ପ୍ରଥମ କରି କରୋନା ନୂଆ ପ୍ରଜାତି ଭୂତାଣୁ ଠାବ ହୋଇଥିଲା। ରବିବାର କନ୍ୟାକୁମାରୀରେ ଜଣେ ବିଦେଶୀ ଫେରନ୍ତା କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏହି ନାଗରିକ ଜଣଙ୍କ ସିଙ୍ଗାପୁରରୁ ଫେରିଥିବାବେଳେ ମଦୁରାଇ ବିମାନବନ୍ଦରରେ ତାଙ୍କ ସ୍ବାବ ପରୀକ୍ଷା ସମୟରେ ପଜିଟିଭ୍ ଥିବା ଜଣାପଡିଛି। ତାଙ୍କୁ ଏବେ ଆସାରିପାଲାମ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ଓମିକ୍ରନ ପ୍ରଜାତିରେ ସଂକ୍ରମିତଙ୍କ କି ନାହିଁ ଚିହ୍ନଟ ପାଇଁ ନମୁନାର ଜିମୋନ ସିେକ୍ବନ୍ସ ପାଇଁ ପଠାଯାଇଛି। ଜାମ୍ମୁ-କାଶ୍ମୀର ସରକାର ବିଦେଶ ଯାତ୍ରା ଇତିହାସର ତଥ୍ୟ ଲୁଚାଇବା କ୍ଷେତ୍ରରେ ୨୦ହଜାର ଟଙ୍କାର ଜୋରିମାନା ଦଣ୍ଡବିଧାନ କରିଛନ୍ତି।

Comments are closed.