ରାଜ୍ୟରେ ଆଜି ଚିହ୍ନଟ ସମସ୍ତ ୨୬ ଜଣ ଆକ୍ରାନ୍ତ ସୁରତ ଫେରନ୍ତା

ଭୁବନେଶ୍ଵର : ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରଥମେ ନିଜାମୁଦ୍ଦିନ, ତାପରେ ପଶ୍ଚିମବଙ୍ଗ ଆଉ ବର୍ତ୍ତମାନ ସୁରତ ଫେରନ୍ତା ରାଜ୍ୟ ସରକାରଙ୍କ ଚିନ୍ତା ବଢାଉଛନ୍ତି । ଏହାରି ମଧ୍ୟରେ ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୨୬ ଜଣ ଆକ୍ରାନ୍ତଙ୍କ ବିଷୟରେ ତଥ୍ୟ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁସାରେ ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ସମସ୍ତ ୨୬ ଜଣ ଆକ୍ରାନ୍ତ ସୁରତ ଫେରନ୍ତା । ଏହି ୨୬ ଜଣ ସମସ୍ତେ ପୁରୁଷ ହୋଇଥିବା ବେଳେ ଏମାନେ ସୁରତରୁ ଫେରି କ୍ବାରେଣ୍ଟାଇନରେ ରହିଥିଲେ ।


ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୨୬ ଜଣଙ୍କ ମଧ୍ୟରେ ଗଞ୍ଜାମ ଜିଲାର ୧୯ ଆକ୍ରାନ୍ତ ରହିଛନ୍ତି । ଏମାନଙ୍କ ବୟସ ଯଥାକ୍ରମେ ୨୬, ୪୫, ୨୧, ୩୮, ୪୦,୩୩, ୪୫., ୩୧, ୨୩, ୪୭, ୩୫,୨୪, ୩୦, ୧୮, ୨୯, ୫୭, ୩୮, ୩୧, ଏବଂ ୫୮ ବର୍ଷ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ଆଜି କେନ୍ଦ୍ରାପଡା ଜିଲାରୁ ଚିହ୍ନଟ ହୋଇଛନ୍ତି ୫ ଜଣ ଆକ୍ରାନ୍ତ । ଏମାନେ ସମସ୍ତେ ପୁରୁଷ ହୋଇଥିବା ବେଳେ ଗତ ୩ ତାରିଖରେ ସୁରତରୁ ଫେରି କ୍ବାରେଣ୍ଟାଇନରେ ରହିଥିଲେ । ଏମାନଙ୍କ ବୟସ ଯଥାକ୍ରମେ ୩୨, ୩୩, ୨୭, ୩୫ ଓ ୩୧ ବର୍ଷ ହୋଇଥିବା ବେଳେ ଭଦ୍ରକରୁ ଆଜି ଚିହ୍ନଟ ହୋଇଥିବା ଦୁଇ କରୋନା ଆକ୍ରାନ୍ତଙ୍କ ବୟସ ୨୧ ଓ ୪୧ ବର୍ଷ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୮ଟି ଜିଲାରେ କରୋନା ଭାଇରସ ପହଞ୍ଚିଛି । ଯାଜପୁର ଜିଲ୍ଲାରେ ସର୍ବାଧିକ ୫୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ୫୦ ଜଣ, ଗଂଜାମ ଜିଲ୍ଲାରେ ୪୭ ଜଣ, ବାଲେଶ୍ୱର ଜିଲ୍ଲାରେ ୨୭ ଜଣ, ଭଦ୍ରକ ଜିଲ୍ଲାରେ ୨୩ ଜଣ, ସୁନ୍ଦରଗଡ଼ ଜିଲ୍ଲାରେ ୧୨ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରେ ୮ ଜଣ, ଜଗତ୍‌ସିଂହପୁର ଜିଲ୍ଲାରେ ୫ ଜଣ, ମୟୂରଭଂଜ ଜିଲ୍ଲାରେ ୪ ଜଣ, କଳାହାଣ୍ଡି, ବଲାଙ୍ଗୀର, ଝାରସୁଗୁଡ଼ା, କେନ୍ଦୁଝର, କଟକ ଜିଲ୍ଲାରେ ୨ ଜଣ ଲେଖାଏଁ, ଢେଙ୍କାନାଳ, ପୁରୀ, କୋରାପୁଟ ଓ ଦେବଗଡ଼ ଜିଲ୍ଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments are closed.