ଅଯଥା ଭୟଭୀତ ହୁଅନ୍ତୁ ନାହିଁ: ଡିଏମ୍‌ଇଟି

ଭୁବନେଶ୍ୱର: କରୋନାର ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ଲାଗି ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି। ସେ କହିଛନ୍ତି ଯେ, ଯେଉଁମାନେ ବିଦେଶରୁ ଆସୁଛନ୍ତି, ସେମାନଙ୍କ ଉପରେ କଡ଼ା ନଜର ରଖାଯାଇଛି। ସଙ୍ଗରୋଧକୁ ଗୁରୁତ୍ୱ ଦିଆଯାଉଛି। କରୋନାର ନୂଆ ପ୍ରକରଣ ‘ଓମିକ୍ରନ’ ବିରୋଧରେ ଭାରତୀୟ ଟିକା କାମ କରୁଛି। ଏହାକୁ ନେଇ ଭୟଭୀତ ହେବାର କିଛି କାରଣ ନାହିଁ। କେନ୍ଦ୍ର ସରକାରଙ୍କ ସମସ୍ତ ନିୟମାବଳୀ ରାଜ୍ୟ ସରକାର ପାଳନ କରୁଛନ୍ତି। କେନ୍ଦ୍ର ସରକାର ପୋର୍ଟାଲ ଦେଲେ, ଯେଉଁମାନେ ବିଦେଶରୁ ଫେରୁଛନ୍ତି, ସେମାନଙ୍କ ସହ ଯୋଗାଯୋଗ କରିବା ସହଜ ହେବ। ସରକାର ସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି।

ସେହିଭଳି ଶିକ୍ଷାନୁଷ୍ଠାନରେ କରୋନା ନ ବ୍ୟାପିବା ଲାଗି ଜାରି ମାର୍ଗଦର୍ଶିକା ମାନିବାକୁ କୁହାଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ କରୋନା ନିୟମ ପାଳନକୁ କଡ଼ାକଡି କରାଯାଇଛି। ନିୟମ ପାଳନ ନେଇ ନିୟମିତ ଯାଞ୍ଚ କରାଯାଉଛି। ଯେଉଁଠି ଆବଶ୍ୟକ, ସେଠାକୁ ଡାକ୍ତରୀ ଦଳ ପଠାଇବାକୁ ଜିଲା ପ୍ରଶାସନକୁ ନିର୍ଦେଶ ଦିଆଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ଓମିକ୍ରନକୁ ନେଇ ଭୟ କରିବାର କୌଣସି ଆବଶ୍ୟକତା ନାହିଁ ଡିଏମ୍‌ଇଟି ଡା. ରାଧାରମଣ ମହାନ୍ତି କହିଛନ୍ତି। ପୂର୍ବରୁ ଜାରି କରାଯାଇଥିବା କରୋନା ନିୟମାବଳୀକୁ ମାନନ୍ତୁ ଏବଂ ସତର୍କ ରୁହନ୍ତୁ। ଓମିକ୍ରନ ଭୂତାଣୁ ନେଇ ବିମାନବନ୍ଦରରେ ଆସୁଥିବା ଯାତ୍ରୀଙ୍କ ସ୍କ୍ରିନିଂ ଏବଂ ପରୀକ୍ଷଣ କରାଯାଉଛି। ବି‌େ‌ଶଷ କରି ଅନ୍ତର୍ଜାତୀୟ ବିମାନରେ ଆସୁଥିବା ଯାତ୍ରୀଙ୍କ କ୍ଷେତ୍ରରେ ନିୟମ କଡାକଡି କରାଯାଇଛି। ସଂକ୍ରମଣ ନ ଥିବା ଯାତ୍ରୀଙ୍କୁ ଗୃହ ସଙ୍ଗରୋଧରେ ରହିବାକୁ କୁହାଯାଇଛି ବୋଲି ଡିଏମଇଟି କହିଛନ୍ତି। ଏହାରି ଭିତରେ ଯଦି କେହି ସଂକ୍ରମିତ ଚିହ୍ନଟ ହେଉଛନ୍ତି ତେବେ ସେମାନଙ୍କର ନମୁନା ସଂଗ୍ରହ କରି ଜିନମ୍‌ ସିକ୍ୱେନ୍ସିଂ ପାଇଁ ଆଇଏଲଏସ ଭୁବନେଶ୍ୱରକୁ ପଠାଯାଉଛି। ବାହାର ରାଜ୍ୟ ଏବଂ ବିଦେଶରୁ ଆସୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସମ୍ପୃକ୍ତ ଜିଲାମାନଙ୍କୁ ସୂଚନା ଦିଆଯାଉଛି। ଜିଲା ସ୍ତରରେ ସେହି ଲୋକମାନଙ୍କୁ ଜିଲାପାଳଙ୍କ ନେତୃତ୍ବରେ ଅଧିକାରୀମାନେ ତଦାରଖ କରୁଛନ୍ତି। ଏପର୍ଯ୍ୟନ୍ତ ଓଡ଼ିଶାରେ ଓମିକ୍ରନ୍‌ ଭୂତାଣୁ ଚିହ୍ନଟ ହୋଇନାହିଁ। ଟିକା ନେବା ପାଇଁ କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି। ଭୟଭୀତ ନ ହୋଇ ଟିକା ନିଅନ୍ତୁ ବୋଲି ସେ କହିଛନ୍ତି।

Comments are closed.