ଆକ୍ରାନ୍ତଙ୍କୁ ତାଳଦେଇ ବଢ଼ୁଛି ଶଯ୍ୟା, ଆଇସିୟୁ ଓ ଭେଣ୍ଟିଲେଟର

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ତାକୁ ତାଳ ଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ଶଯ୍ୟା ମଧ୍ୟ ବୃଦ୍ଧି କରାଯାଉଛି। ଏପ୍ରିଲ ୨୬ରେ ରାଜ୍ୟରେ ସବୁ ପ୍ରକାର ଶଯ୍ୟାକୁ ମିଶାଇ ୫୮ ହଜାର ୪୫୯ଟି ଶଯ୍ୟା ପ୍ରସ୍ତୁତ କରାଯାଇଥିବା ବେଳେ ଏବେ ଏହି ସଂଖ୍ୟା ୮୮ ହଜାର ୮୮୫ରେ ପହଞ୍ଚିଛି। ଏବେ ରାଜ୍ୟରେ ବିଭିନ୍ନ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ୮୮୯୪ଟି ସାଧାରଣ ଶଯ୍ୟା ଥିବାବେଳେ ଏବେ ଏହା ୯୪୬୧କୁ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ୫୬୭ଟି ସାଧାରଣ ଶଯ୍ୟା ବଢ଼ିଛି। ସେହିପରି ସ୍ୱତନ୍ତ୍ର ଯତ୍ନ କୋଠରି (ଆଇସିୟୁ) ଶଯ୍ୟା ୨୧୭୦ଟି ଥିବା ବେଳେ ଏବେ ଏହି ସଂଖ୍ୟା ୩ ହଜାର ୩୪ରେ ପହଞ୍ଚିଛି। ଇତିମଧ୍ୟରେ ୮୬୪ଟି ଆଇସିୟୁ ଶଯ୍ୟା ବଢ଼ିଥିବା ବେଳେ ଜୀବନ ରକ୍ଷାକାରୀ ଯନ୍ତ୍ର (ଭେଣ୍ଟିଲେଟର) ଶଯ୍ୟା ମଧ୍ୟ ବଢ଼ିଛି। ଏହି ଅବଧି ମଧ୍ୟରେ ୮୫୮ଟି ଭେଣ୍ଟିଲେଟର ସଂଲଗ୍ନ ଶଯ୍ୟା ରହିଥିବା ବେଳେ ଏବେ ୯୬୭ଟି ରହିଛି। ଏହି କ୍ଷେତ୍ରରେ ରାଜ୍ୟରେ ୧୦୯ଟି ଶଯ୍ୟା ବଢ଼ିଛି।

ଏହି ପରିପ୍ରେକ୍ଷୀରେ ରାଜ୍ୟରେ ୫୦୪୮ ଆକ୍ରାନ୍ତ ସାଧାରଣ ଶଯ୍ୟାରେ ରହି ଚିକିତ୍ସିତ ହେଉଥିବା ବେଳେ ୨୩୯୭ ଆକ୍ରାନ୍ତ ଆଇସିୟୁରେ ଏବଂ ୫୫୯ଜଣ ଭେଣ୍ଟିଲେଟରରେ ରହିଛନ୍ତି। ସାଧାରଣ ଶଯ୍ୟା ୫୩.୩୬ ପ୍ରତିଶତ ରୋଗୀଙ୍କ ପାଇଁ ବ୍ୟବହାର ହେଉଥିବା ବେଳେ ‘ଆଇସିୟୁ’ ଶଯ୍ୟା ୭୯ ପ୍ରତିଶତ ଏବଂ ‘ଭେଣ୍ଟିଲେଟର ’ ଶଯ୍ୟା ୫୭.୮୧ ପ୍ରତିଶତ ବ୍ୟବହୃତ ହେଉଛି। ଏହାବାଦ୍‍ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ହୋଇଥିବା ୨୩ହଜାର ୮୦୪ଟି କରୋନା ଯତ୍ନ କେନ୍ଦ୍ର (ସିସିସି)ରେ ଏବେ ୬୦୫୫ ଆକ୍ରାନ୍ତ ରହିଥିବା ବେଳେ ୫୧ହଜାର ୧୫୦ଟି ଅସ୍ଥାୟୀ ମେଡିକାଲ କେନ୍ଦ୍ରରେ ୩୯୦୯ଜଣ ରହିଛନ୍ତି। ରାଜ୍ୟରେ ସମୁଦାୟ ୮୮ ହଜାର ୮୮୫ ଶଯ୍ୟା ଆକ୍ରାନ୍ତଙ୍କ ପାଇଁ ପ୍ରସ୍ତୁତ ହୋଇଥିବାବେଳେ ୧୩ ହଜାର ୫୦୦ ରୋଗୀ ବିଭିନ୍ନ ଶଯ୍ୟାରେ ରହି ଚିକିତ୍ସିତ ହେଉଛନ୍ତି। ରାଜ୍ୟରେ ଏବେ ୭୮ ହଜାର ୧୪୮ ଆକ୍ରାନ୍ତ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି, ଯାହାକି ୮୫ପ୍ରତିଶତରୁ ଊର୍ଦ୍ଧ୍ବ ବୋଲି ବିଭାଗୀୟ ତଥ୍ୟରୁ ଜଣାଯାଇଛି।

ସୂଚନା ଅନୁଯାୟୀ ଆଗାମୀ ଦିନରେ ୮ଟି ଡାକ୍ତରଖାନାରେ ୩୬୮ଟି ସ୍ୱତନ୍ତ୍ର ଯତ୍ନ କୋଠରି (ଆଇସିୟୁ) ଏବଂ ୭୦ଟି ଜୀବନରକ୍ଷାକାରୀ ଯନ୍ତ୍ର (ଭେଣ୍ଟିଲେଟର) ଶଯ୍ୟା ବୃଦ୍ଧି କରାଯିବ। ସେଥିମଧ୍ୟରେ ବରଗଡ଼ ବିକାଶ ଡାକ୍ତରଖାନାରେ ୮୦ଟି ଆଇସିୟୁ ଏବଂ ୭୦ଟି ଭେଣ୍ଟିଲେଟର ଶଯ୍ୟା ହେବାକୁ ଥିବାବେଳେ ସୁନ୍ଦରଗଡ଼ର ଡାକ୍ତରଖାନା ମହାବିଦ୍ୟାଳୟରେ ୫୦ ଆଇସିୟୁ, ରାଉରକେଲା ଆଇଜିଏଚ ମହାବିଦ୍ୟାଳୟରେ ୪୭, ଝାରସୁଗୁଡା ବନ୍ଧବାହkଲରେ ୨୦, କଳାହାଣ୍ଡି ଯାନ୍ତ୍ରିକ ମହାବିଦ୍ୟାଳୟରେ ୧୦, ହାଇଟେକ୍‍ ଡାକ୍ତରଖାନାରେ ୭୦, କିମ୍ସରେ ୫୦ ଏବଂ ଏସସିବିରେ ୪୧ଟି ଆଇସିୟୁ ଶଯ୍ୟା ବୃଦ୍ଧି କରାଯିବ।

Comments are closed.