ବିପଜ୍ଜନକ ହୋଇପାରେ କରୋନା, ଓଡ଼ିଶାର ସ୍କୋର ୦.୬୮୬

ନୂଆଦିଲ୍ଲୀ: କରୋନା ସଂକ୍ରମଣ, ସ୍ବାସ୍ଥ୍ୟଗତ ସମସ୍ୟା ଓ କରୋନାଜନିତ ଅର୍ଥନୈତିକ ଅସ୍ଥିରତା ଦୃଷ୍ଟିରୁ ମଧ୍ୟପ୍ରଦେଶ ଦେଶର ସବୁଠାରୁ ସ୍ପର୍ଶକାତର ରାଜ୍ୟରେ ପରିଣତ ହୋଇଛି। ସାରା ଦେଶରେ କରୋନା ଯୋଗୁଁ ଯେଉଁ ୧୦ ରାଜ୍ୟକୁ ସ୍ପର୍ଶକାତର ବୋଲି ଚିହ୍ନଟ କରାଯାଇଛି ତାହା ମଧ୍ୟରେ ସ୍ଥାନ ପାଇଛି ଓଡ଼ିଶା, ବିହାର, ମଧ୍ୟପ୍ରଦେଶ, ଦିଲ୍ଲୀ, ତେଲଙ୍ଗାନା, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଗୁଜୁରାଟ ଓ ଓଡ଼ିଶା ପାଇଁ କରୋନା ଅତ୍ୟନ୍ତ ବିପଜ୍ଜନକ ହୋଇପାରେ। ସେହିପରି ସବୁଠାରୁ ସ୍ପର୍ଶକାତର ତଥା ଅସୁରକ୍ଷିତ ଜିଲାର ମାନ୍ୟତା ପାଇଛି ବିହାରର ଦରଭଙ୍ଗା ଓ କଲକତାର ଦକ୍ଷିଣ ୨୪ପ୍ରଗଣା। ସହର ମଧ୍ୟରେ ବେଙ୍ଗାଲୁରୁକୁ ସର୍ବାଧିକ ସ୍ପର୍ଶକାତର ବୋଲି କୁହାଯାଇଛି। ଅନ୍ୟପକ୍ଷରେ ସିକିମ୍ ଦେଶର ସବୁଠାରୁ ସୁରକ୍ଷିତ ରାଜ୍ୟର ମାନ୍ୟତା ପାଇଛି। ସିକିମ୍ ପଛକୁ ରହିଛନ୍ତି ହିମାଚଳ ପ୍ରଦେଶ ଓ ଅରୁଣାଚଳ ପ୍ରଦେଶ।

ଏକ ଆନ୍ତର୍ଜାତିକ ବେସରକାରୀ ସଂସ୍ଥା ଜନସଂଖ୍ୟା ପରିଷଦର ଗବେଷକ ରାଜୀବ ଆଚାର୍ଯ୍ୟ ଓ ତାଙ୍କ ସହଯୋଗୀ ଆକାଶ ପୋରୱାଲଙ୍କ ଦ୍ବାରା ଦେଶରେ କରୋନା ସଂକ୍ରମଣ ସଂକ୍ରାନ୍ତ ରିପୋର୍ଟ ବିଦେଶୀ ଡାକ୍ତରୀ ପତ୍ରିକା ‘‘ଦି ଲାନସେଟ’’ରେ ପାଇଛି। ଏହି ରିପୋର୍ଟରେ ମଧ୍ୟପ୍ରଦେଶ,ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗକୁ କରୋନା ସଂକ୍ରମଣର ହବ୍ ମାନ୍ୟତା ଦିଆଯାଇଛି। କୋଭିଡ-୧୯ ସଂକ୍ରମଣ ସମୟରେ ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟ, ସ୍ବାର୍ଥ ଓ ସାମାଜିକ-ଅର୍ଥନୈତିକ ପ୍ରଭାବକୁ ଆକଳନ କରିବା ନିମନ୍ତେ ହୋଇଥିବା ଗବେଷଣାରେ ଶ୍ରୀ ଆଚାର୍ଯ୍ୟ ଓ ତାଙ୍କ ସହକର୍ମୀ ୫ଟି କ୍ଷେତ୍ର ମହାମାରୀ, ସ୍ବାସ୍ଥ୍ୟ ପ୍ରଣାଳୀ, ଗୃହ ଓ ସ୍ବଚ୍ଛତା, ଜନସଂଖ୍ୟା ଓ ସାମାଜିକ ଅର୍ଥନୈତିକ ଆଦିର ୧୫ ସୂଚକାଙ୍କକୁ ଆଧାର କରିଛନ୍ତି। ରାଜ୍ୟ ତଥା ଜିଲାସ୍ତରରେ ରହିଥିବା ଦୁର୍ବଳତାକୁ ଏଥିରେ ଆଧାର ରଖାଯାଇଛି। ଏହି ତଥ୍ୟ ଶୁକ୍ରବାର ପ୍ରକାଶିତ ହୋଇଛି। ସର୍ବାଧିକ ସୁରକ୍ଷିତ ରାଜ୍ୟକୁ ଶୂନ ଓ ସର୍ବାଧିକ ଅସୁରକ୍ଷିତ ବା ସ୍ପର୍ଶକାତର ରାଜ୍ୟକୁ ୧ ନମ୍ବର ଦିଆଯାଇଛି।

ଏହି ରିପୋର୍ଟ ଅନୁସାରେ ସିକିମ ୦.୦ ସ୍କୋର ଅର୍ଥାତ୍ ସର୍ବାଧିକ ସୁରକ୍ଷିତ ମାନ୍ୟତା ପାଇଛି। ଏହି କ୍ରମରେ ଅରୁଣାଚଳ ଦ୍ବିତୀୟ ସୁରକ୍ଷିତ (୦.୨୯) ଓ ହିମାଚଳ ପ୍ରଦେଶ (୦.୫୭) ସହ ତୃତୀୟ ସୁରକ୍ଷିତ ରାଜ୍ୟ ଭାବରେ ବିବେଚିତ ହୋଇଛି। ଅନ୍ୟପକ୍ଷରେ ମଧ୍ୟପ୍ରଦେଶ ୧ରୁ ୧ ନମ୍ବର ରଖି ସର୍ବାଧିକ ଅସୁରକ୍ଷିତ ବା ସ୍ପର୍ଶକାତର ରାଜ୍ୟ ବିବେଚିତ ହୋଇଛି। ବିହାର ଦ୍ବିତୀୟ ଅସୁରକ୍ଷିତ (୦.୯୭୧) ଓ ତେଲଙ୍ଗାନା (୦.୯୪୩) ତୃତୀୟ ଅସୁରକ୍ଷିତ ଭାବରେ ଗଣାଯାଇଛି । ପଶ୍ଚିମବଙ୍ଗ ପାଇଛି ୦.୮୨୯ ସ୍କୋର। ଜନଘନତ୍ଵ, ଅନ୍ୟରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ସଂଖ୍ୟା, ଗୃହ ଓ ସ୍ବଚ୍ଛତାରେ ରହିଥିବା ବିଚ୍ୟୁତି ନିମନ୍ତେ ପଶ୍ଚିମବଙ୍ଗ ଅସୁରକ୍ଷିତ ରାଜ୍ୟ ମାନ୍ୟତା ପାଇଛି। ଓଡ଼ିଶାର ସ୍ଥିତି ମଧ୍ୟରେ ବିଶେଷ ଭଲ ନାହିଁ। ଏହି ରିପୋର୍ଟ ଅନୁସାରେ ଓଡ଼ିଶାର ସ୍କୋର ରହିଛି ୦.୬୮୬। ଅନ୍ୟପକ୍ଷରେ କରୋନା ସଂକ୍ରମଣ ରୋକିବାରେ ପଦକ୍ଷେପ ଯୋଗୁଁ ଛତିଶଗଡ଼, କେରଳ ଓ ଗୋଆ ଭଲ ସ୍ଥିତିରେ ଅଛନ୍ତି। ଏହି ତିନି ରାଜ୍ୟ ଏକ ସ୍ତରରେ ରହିଛନ୍ତି। ଏମାନଙ୍କୁ ୦.୩୧୪ ସ୍କୋର ମିଳିଛି। ରିପୋର୍ଟ ଅନୁସାରେ ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ଦୁଇଟି ଜନବହୁଳ ରାଜ୍ୟ; ମାତ୍ର ପଶ୍ଚିମବଙ୍ଗ ଅପେକ୍ଷା ମହାରାଷ୍ଟ୍ରରେ ସ୍ବାସ୍ଥ୍ୟ ସେବା ଅତ୍ୟନ୍ତ ଖରାପ ସ୍ଥିତିରେ ରହିଛି।

ଅନ୍ୟପକ୍ଷରେ ବିହାର, ପଶ୍ଚିମବଙ୍ଗ, ଆସାମ ଏବଂ ଓଡ଼ିଶାରେ କୋଭିଡ୍‍ ସଂକ୍ରମଣ ବୃଦ୍ଧି ପାଉଛି। ତେଣୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ସାନି ପଦକ୍ଷେପମାନ ନେବାକୁ ଏହିସବୁ ରାଜ୍ୟକୁ କହିଛି। ସଂକ୍ରମଣ ରୋକିବା, ପର୍ଯ୍ୟବେକ୍ଷଣ ଓ କଣ୍ଟେନ୍‍ମେଣ୍ଟ ଜୋନ୍‍ ଏବଂ ବଫର ଜୋନ୍‍ଗୁଡ଼ିକରେ ନମୁନା ପରୀକ୍ଷା ଆଦି ଉପରେ ଅଧିକ ଧ୍ୟାନ ଦେବାକୁ ମନ୍ତ୍ରଣାଳୟ ଏହି ରାଜ୍ୟଗୁଡ଼ିକୁ କହିଛି। ଏହାଦ୍ୱାରା ସଂକ୍ରମିତ ଲୋକମାନଙ୍କୁ ଆଗୁଆ ଚିହ୍ନଟ କରାଯାଇ ସେମାନଙ୍କର ଚିକିତ୍ସା କରାଯାଇ ପାରିବ।

ସଂପୃକ୍ତ ରାଜ୍ୟଗୁଡ଼ିକର ସ୍ୱାସ୍ଥ୍ୟ ବିଭାଗ, ମୁଖ୍ୟ ସଚିବ ଓ ସ୍ୱାସ୍ଥ୍ୟ ବିଭାଗ ସଚିବମାନଙ୍କ ପାଖକୁ ଚିଠି ଲେଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ୍‍ କହିଛନ୍ତି, ନୂଆକରି ଭୂତାଣୁରେ ସଂକ୍ରମିତ ହେଉଥିବା ଲୋକମାନଙ୍କର ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ୭୨ ଘଣ୍ଟା ଭିତରେ ସେମାନଙ୍କୁ ଯେପରି ପୃଥକୀକରଣ କେନ୍ଦ୍ରରେ ରଖାଯାଇ ପାରିବ ତାହାକୁ ସେହି ରାଜ୍ୟମାନେ ନିଶ୍ଚିତ କରିବାକୁ ହେବ। କଣ୍ଟେନ୍‍ମେଣ୍ଟ ଜୋନ୍‍ ଓ ବଫର ଜୋନ୍‍ଗୁଡ଼ିକୁ ଚିହ୍ନଟ କରିବା ଲାଗି ସଂକ୍ରମିତ ବ୍ୟକ୍ତି ଓ ସେମାନଙ୍କ ସଂସ୍ପର୍ଶ ଆସିଥିବା ବ୍ୟକ୍ତିମାନଙ୍କ ବିଷୟରେ ପୁଙ୍ଖାନୁପୁଙ୍ଖ ତଥ୍ୟ ସଂଗ୍ରହ ପ୍ରତି ଏହି ଚିଠିରେ ଗୁରୁତ୍ୱାରୋପ କରାଯାଇଛି।

Comments are closed.