କଲବଲ କରୁଛି କରୋନା : ୧୧ଦିନରେ ନେଲା ୫୦ ଜୀବନ

ଭୁବନେଶ୍ବର : ରାଜ୍ୟରେ କରୋନା ମହାମାରୀ ଏବେ କିଛି ଶୁଣୁନାହିଁ। ତିନିମାସ ତଳେ କାଁ ଭାଁ ଗୋଟେ ଦୁଇଟା ଲୋକେ ମହାମାରୀରେ ଆକ୍ରାନ୍ତ ହେଉଥିବା ବେଳେ ଏବେ ଦିନକୁ ଶହ ଶହ ସଂଖ୍ୟାରେ ସଂକ୍ରମିତ ବାହାରୁଛନ୍ତି। ରାଜ୍ୟର ପରିସ୍ଥିତି ଏପରି ହେଲାଣି ଯେ ସଂକ୍ରମଣ ଦିନ କେଇଟାରେ ସବୁ ଅଙ୍କକୁ ଓଲଟପାଲଟ କରିଦେଇଛି। ଜୁଲାଇ ମାସର ଦିନ ୧୧ଟା ନ ଯାଉଣୁ ୫୦ରୁ ଊର୍ଦ୍ଧ୍ବ ମୁଣ୍ଡ ନେଇ ସାରିଲାଣି। ସେହିପରି ୫୨୦୦ ଆକ୍ରାନ୍ତ ବାହାରିଲେଣି। ପୂର୍ବରୁ ଗୋଟିଏ ଆକ୍ରାନ୍ତ ବାହାରିଲେ ତା’ର ଠିକଣା ଖୋଜି ଲୋକେ ତୁଣ୍ଡରେ ଘୋଷି ଦେଉଥିଲେ। ହେଲେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ଆଉ କଳି ହେଉନାହିଁ। ସବୁଠାରୁ ବଡ଼କଥା ହେଲା ଏବେ ସବୁବର୍ଗର ଲୋକେ ସଂକ୍ରମିତ ହୋଇସାରିଲେଣି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ, ଏମିତିକି ଡାକ୍ତର, ପୁଲିସ, ଜବାନ

ପ୍ରଭୃତିଙ୍କୁ କାହାରିକୁ କରୋନା ଛାଡୁନାହିଁ। ଇତିମଧ୍ୟରେ ରାଜ୍ୟରେ ୧୨୦୦ରୁ ଅଧିକ କରୋନା ଯୋଦ୍ଧା ଆକ୍ରାନ୍ତ ହେଲେଣି। ଏଥିମଧ୍ୟରେ ୮୦ରୁ ଊର୍ଦ୍ଧ୍ବ ସରକାରୀ ଓ ବେସରକାରୀ ଡାକ୍ତର ରହିଥିବା ବେଳେ ୮ଜଣ ଓଏଏସ୍, ୩୦୦ରୁ ଊର୍ଦ୍ଧ୍ବ ପୁଲିସ କର୍ମଚାରୀ, ୪୦୦ରୁ ଊର୍ଦ୍ଧ୍ବ ନର୍ସ ଓ ପାରା ମେଡିକାଲ ଷ୍ଟାଫ୍, ସରପଞ୍ଚ, ୱାର୍ଡମ୍ବେର, ୨ଜଣ ବିଧାୟକ ଓ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ରହିଛନ୍ତି। ଏମିତିକି କେତେକ ସାମ୍ବାଦିକ, ଆଇନଜୀବୀ ମଧ୍ୟ ସଂକ୍ରମିତ ହୋଇସାରିଲେଣି। କରୋନାର କଲବଲ ରୂପକୁ ଦେଖି ରାଜ୍ୟ ସରକାର ମଧ୍ୟ ହଡବଡ଼ ହୋଇଗଲେଣି।
ବିଶେଷକରି ଦେଶରେ ଗଞ୍ଜାମ ଜିଲା ଓଡ଼ିଶାକୁ ବଦନାମ କରିବା ଭଳି ସ୍ଥିତିରେ ପହଞ୍ଚାଇଲାଣି। ସରକାର ସବୁ କଳ ବଳ ଲଗାଇଥିଲେ ବି ଗଞ୍ଜାମର ସଂକ୍ରମଣ ଓ ମୃତ୍ୟୁ ହାର ପାଇଁ ଓଡ଼ିଶା ବହୁ ମାନଦଣ୍ଡରେ ପଛରେ ପଡି ଯାଇଛି। କିଛିଦିନ ପୂର୍ବରୁ ସରକାର ଯେଉଁ ଆରୋଗ୍ୟ ହାରକୁ ନେଇ ଖୁସି ଅନୁଭବ କରୁଥିଲେ ଏବେ ସେ ସ୍ଥିତି ଆଉନାହିଁ। ରାଜ୍ୟର ସ୍ଥିତି ସଙ୍ଗିନ ହୋଇ ସାରିଥିବାରୁ ଆରୋଗ୍ୟ ହାର ମଧ୍ୟ ୧୫ଟି ରାଜ୍ୟ ପଛକୁ ଚାଲିଯାଇଛି। ରିକଭରି ହାରରେ ଓଡ଼ିଶା ଏବେ ୧୬ତମ ରାଜ୍ୟ ଭାବେ ପରିଗଣିତ ହେଉଛି। ୮୬.୭୩ ପ୍ରତିଶତ ରଖି ପ୍ରଥମେ ଲଦାଖ ଥିବାବେଳେ ଏହାପରେ ଉତ୍ତରାଖଣ୍ଡ, ଛତିଶଗଡ଼, ଚଣ୍ଡିଗଡ଼, ଦିଲ୍ଲୀ, ରାଜସ୍ଥାନ ତ୍ରିପୁରା, ହରିଆଣା, ମଧ୍ୟପ୍ରଦେଶ ପ୍ରଭୃତି ୧୫ଟି ରାଜ୍ୟ ରହିଛି। ଓଡ଼ିଶାର ଆରୋଗ୍ୟ ହାର ୬୬.୧୩ ପ୍ରତିଶତ ପାଇଁ ୧୬ତମ ସ୍ଥାନରେ ରହିଛି। ଏହି ପରିପ୍ରେକ୍ଷୀରେ ଶନିବାର ୨୯ଟି ଜିଲାରୁ ୫୭୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୬ଜଣଙ୍କ ମୃତ୍ୟୁ ହୋଇଛି। ଆଜିର ଆକ୍ରାନ୍ତଙ୍କୁ ନେଇ ରାଜ୍ୟରେ ସଂଖ୍ୟା ୧୨ ହଜାର ୫୨୬କୁ ଛୁଇଁଛି। ସେଥିମଧ୍ୟରେ ଗଞ୍ଜାମରେ ସର୍ବାଧିକ ୨୧୮ଜଣ ସଂକ୍ରମିତ ହୋଇଥିବାବେଳେ ୨ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଜଣେ ୫୫ବର୍ଷର ବ୍ୟକ୍ତି ଏବଂ ଆଉ ଜଣେ ୭୨ବର୍ଷର ବୃଦ୍ଧ। ଆଜିର ମୃତ୍ୟୁକୁ ନେଇ ଗଞ୍ଜାମରେ କୋଭିଡ଼ ମୃତ୍ୟୁ ସଂଖ୍ୟା ୩୬ରେ ପହଞ୍ଚିଥିବାବେଳେ ଜଣେ କୋଭିଡ଼ ସହ ଅନ୍ୟ ରୋଗପାଇଁ ମୃତ୍ୟୁବରଣ କରିଛନ୍ତି। ସେହିପରି ଆଜିର ଆକ୍ରାନ୍ତକୁ ନେଇ ଜିଲାର ସଂକ୍ରମଣ ସଂଖ୍ୟା ୩୬୩୪ରେ ପହଞ୍ଚିଛି। ଆଜି ପୁରୀର ଜଣେ ୭୦ବର୍ଷର ବୃଦ୍ଧଙ୍କ କରୋନାରେ ମୃତ୍ୟୁ ହୋଇଥିବାବେଳେ କଟକର ଜଣେ ୪୬ବର୍ଷର ବ୍ୟକ୍ତି ଏବଂ ଭୁବନେଶ୍ବରର ଜଣେ ୫୬ବର୍ଷର ମହିଳାଙ୍କ କରୋନାରେ ମୃତ୍ୟୁ ହୋଇଛି। ଏହାବାଦ୍ ରାଜ୍ୟରେ ଆଉ ଜଣେ ବ୍ୟକ୍ତିଙ୍କ କରୋନା ସହ ଅନ୍ୟ ରୋଗପାଇଁ ମୃତ୍ୟୁ ହୋଇଛି। ଆଜି ସୁଦ୍ଧା କରୋନା ମୃତ୍ୟୁ ସଂଖ୍ୟା ୬୧ରେ ପହଞ୍ଚିଥିବାବେଳେ ୧୮ଜଣ କରୋନା ସହ ଅନ୍ୟ ଜଟିଳ ରୋଗ ପାଇଁ ମୃତ୍ୟୁ ହୋଇଛି।
ଆଜି ଚିହ୍ନଟ ହୋଇଛନ୍ତି ୫୭୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩୮୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ବାହାରିଥିବାବେଳେ ୧୮୬ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଆଜି ଆକ୍ରାନ୍ତଙ୍କ ମଧ୍ୟରେ କଟକରୁ ୪୬ଜଣ ଥିବାବେଳେ ସୁନ୍ଦରଗଡରୁ ୪୪, ଯାଜପୁରରୁ ୪୦, ଖୋର୍ଦ୍ଧା ଓ ନୟାଗଡରୁ ୩୭ଲେଖାଏଁ, ଝାରସୁଗୁଡାରୁ ୩୧, ଗଜପତିରୁ ୨୫, ଜଗତସିଂପୁରରୁ ୧୬, ପୁରୀରୁ ୧୫, କେନ୍ଦୁଝରରୁ ୧୪, କୋରାପୁଟ ଓ ଅନୁଗୋଳରୁ ୧୧ଲେଖାଏଁ, ମୟୂରଭଞ୍ଜ ୧୦, କେନ୍ଦ୍ରାପଡାରୁ ୬,ବାଲେଶ୍ୱର ଓ ବୌଦ୍ଧରୁ ୩ଲେଖାଏଁ, ଭଦ୍ରକରୁ ୨ ଏବଂ ସମ୍ବଲପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଅନ୍ୟପକ୍ଷରେ ଆଜି ୩୮୮ଜଣ ଆରୋଗ୍ୟ ଲାଭ କରିବା ପରେ ସୁସ୍ଥଙ୍କ ସଂଖ୍ୟା ୮୩୬୦ରେ ପହଞ୍ଚିଛି। ଆଜି ସୁସ୍ଥଙ୍କ ମଧ୍ୟରେ ସର୍ବାଧିକ ଗଞ୍ଜାମର ୧୮୭ଜଣ ରହିଥିବାବେଳେ ଖୋର୍ଦ୍ଧାରୁ ୩୭, କେନ୍ଦୁଝରରୁ ୩୧, ଯାଜପୁରରୁ ୨୭, କଟକରୁ ୨୬, ନୟାଗଡରୁ ୧୮, ପୁରୀରୁ ୧୬, ସମ୍ବଲପୁରରୁ ୧୪, ବାଲେଶ୍ବରରୁ ୧୧, ଅନୁଗୋଳରୁ ୮, କେନ୍ଦ୍ରାପଡାରୁ ୬, ଗଜପତି ଓ ଝାରସୁଗୁଡାରୁ ୨ଜଣ ଲେଖାଏଁ, ବରଗଡ଼, ଭଦ୍ରକ, ଦେବଗଡ଼ରୁ ଜଣେ ଲେଖାଏ୍ୟ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Comments are closed.