ଓଡ଼ିଶାକୁ କାଳ ବଙ୍ଗର ଦୁଇ ରେଡ୍‌ଜୋନ୍‌ ଜିଲା

ବାଲେଶ୍ୱର: ଏବେ ବେଶି ପରୀକ୍ଷା ହେଉଥିବାରୁ ପଡ଼ୋଶୀ ପଶ୍ଚିମ ବଙ୍ଗରେ କରୋନା ପଜିଟିଭ ସଂଖ୍ୟା କ୍ରମାଗତ ଦ୍ରୁତ ଗତିରେ ବଢ଼ିଚାଲିଛି। ଏଠାରେ ମାର୍ଚ୍ଚ ୩୧ ସୁଦ୍ଧା ପଜିଟିଭ ରୋଗୀ ସଂଖ୍ୟା ୧୯ ଥିବାବେଳେ ମେ ୪ରେ ୧୨୫୯ ଧରିଛି। ଫଳରେ ଏହା ଓଡ଼ିଶା ପାଇଁ ସତର୍କ ଘଣ୍ଟି ହୋଇଛି। କାରଣ ବାଲେଶ୍ୱର ଜିଲାର ହୁଗୁଳା ସୀମା ପାଇଁ ପଶ୍ଚିମ ବଙ୍ଗରୁ ବହୁ ଲୋକ ଓଡ଼ିଶା ଚାଲିଆସିବାରୁ ଏଠାରେ ଜଟିଳ ପରିସ୍ଥିତି ସୃଷ୍ଟି ହେଲା। ଫଳରେ ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲାକୁ ରେଡ ଜୋନରେ ରଖାଯାଇଛି। ଏବେ ଓଡ଼ିଶାରେ ବାହାରୁଥିବା ଅନେକ ପଜିଟିଭ ରୋଗୀଙ୍କର ବଙ୍ଗ ଲିଙ୍କ ରହିଛି। ସରକାର ଓ ପ୍ରଶାସନ ଦୂରଦୃଷ୍ଟି ରଖି ସୀମାକୁ ଏଲଓସି ଭଳି ସଂପୂର୍ଣ୍ଣ ବନ୍ଦ କରାଇଥିଲେ ଏ ପରିସ୍ଥିତି ଆସି ନ ଥାନ୍ତା। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ବାଲେଶ୍ୱର ଜିଲାକୁ ଲାଗିଥିବା ପଡ଼ୋଶୀ ପଶ୍ଚିମ ବଙ୍ଗର ପୂର୍ବ ମେଦିନୀପୁର ଜିଲାକୁ ବି ରେଡ ଜୋନରେ ରଖଯାଇଛି। ଅନ୍ୟ ସୀମାନ୍ତ ଜିଲା ପଶ୍ଚିମ ମେଦିନୀପୁରକୁ କେନ୍ଦ୍ର ରେଡ ଜୋନରେ ରଖିଥିବାବେଳେ ରାଜ୍ୟ ସରକାର ଅରେଞ୍ଜ ଜୋନରେ ରଖିଛନ୍ତି। ମେ ୪ ସୁଦ୍ଧା ପୂର୍ବ ମେଦିନୀପୁରରେ କରୋନା

ପଶ୍ଚିମ ବଙ୍ଗର ଲୋକସଂଖ୍ୟା ଓଡ଼ିଶା ଲୋକସଂଖ୍ୟାର ଦୁଇ ଗୁଣ ହୋଇଥିବାବେଳେ ଏଠାରେ ଦେଶର ତୃତୀୟ ବୃହତ୍ତମ ସହରାଞ୍ଚଳ, ଦେଢ଼ କୋଟି ଲୋକ ରହୁଥିବା କଲକାତା ମହାନଗରୀ ରହିଛି। ମାତ୍ର ମାର୍ଚ୍ଚ, ଏପ୍ରିଲ ୧୫ ମଧ୍ୟରେ କମ ପରୀକ୍ଷା ପାଇଁ କରୋନା ପଜିଟିଭ ସଂଖ୍ୟା କମ ରହିଲା। ଫଳରେ ବହୁ ଓଡ଼ିଆ ଶ୍ରମିକ ଚିନ୍ତିିତ ନ ହୋଇ ବିଭିନ୍ନ ବାଟ ଦେଇ ପଳାଇଆସିଲେ। ଏବେ ବେଶି ପରୀକ୍ଷା ପାଇଁ ପଶ୍ଚିମ ବଙ୍ଗରେ କରୋନା ରୋଗୀ ସଂଖ୍ୟା ଦ୍ରୁତ ଗତିରେ ବଢୁଛି। ପଶ୍ଚିମ ବଙ୍ଗରେ କରୋନା ପଜିଟିଭ ସଂଖ୍ୟା ମାର୍ଚ୍ଚ ୧୭ରେ ୧, ୩୧ରେ ୧୯; ଏପ୍ରିଲ ୨୦ରେ ୩୩୦, ୨୪ରେ ୫୦୬, ୨୯ରେ ୬୯୬; ମେ ୧ରେ ୮୦୧,୨ରେ ୮୭୧, ୩ରେ ୧୧୯୮ ଥିବାବେଳେ ୪ ତାରିଖରେ ୧୨୫୯ ଧରିଛି। ଫଳରେ ସେ ରାଜ୍ୟରେ ବହୁ ଲୋକ ମାର୍ଚ୍ଚ, ଏପ୍ରିଲରେ କରୋନା ସଂକ୍ରମିତ ହୋଇଥିବା ସୁସ୍ପଷ୍ଟ। ଆଉ ଘରକୁ ଫେରିଆସିଥିବା କିଛି ଓଡ଼ିଆ ସେଠାରେ ସଂକ୍ରମିତ ହୋଇଥିବା ଏବେ ପରୀକ୍ଷାରୁ ଜଣାପଡୁଛି।

ବାଲେଶ୍ୱର ଜିଲାର ଜଳେଶ୍ୱର, ଭୋଗରାଇ ବ୍ଲକ ତଥା ମୟୂରଭଞ୍ଜ ଜିଲା ଓ ପଶ୍ଚିମ ବଙ୍ଗ ମଧ୍ୟରେ ସୀମାର ଦୈର୍ଘ୍ୟ ୨୦୨ କିମି। ପଶ୍ଚିମ ବଙ୍ଗର ୯୧ଟି ଗାଁର ସୀମା ବାଲେଶ୍ୱର ଜିଲାକୁ ଲାଗିଥିବାବେଳେ ବାଲେଶ୍ୱର ଜିଲାର ୮୨ଟି ଗାଁର ସୀମା ଲାଗିଛି। ବାଲେଶ୍ୱର ଜିଲା ଓ ବଙ୍ଗ ମଧ୍ୟରେ ୫୨ଟି ଗଳା ବାଟ ଥିବାବେଳେ ସେସବୁକୁ ସିଲ କରାଯାଇଛି। ଏହା ପୂର୍ବରୁ ଲକ ଡାଉନ ଘୋଷଣା ପରେ ପରେ ବହୁ ଲୋକ ବିଭିନ୍ନ ବାଟ ଦେଇ ବଙ୍ଗରୁ ଓଡ଼ିଶା ଚାଲିଆସିଲେ। ପୁଲିସ ମୁତୟନ ଥିଲେ ବି ସେମାନେ କେମିତି ୬୦ ନମ୍ବର ଜାତୀୟ ରାଜପଥ ଦେଇ ଆସିଲେ, ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୀମା ଦୁଇ ପଟର ଅନେକ ଗାଁ ପ୍ରାୟ ଲଗାଲଗି ହୋଇ ରହିଥିବାରୁ ଲକ ଡାଉନ ପୂର୍ବରୁ ଦୁଇ ପଟ ଭିତରେ ଯା’ଆସ ନିୟମିତ କଥା ଥିଲା। ପଶ୍ଚିମ ବଙ୍ଗ ଅଞ୍ଚଳରୁ ବହୁ ଲୋକ ପନିପରିବା, ଔଷଧ, ମାଛ କିଣିବାକୁ ପ୍ରତିଦିନ ଓଡ଼ିଶା ଅଞ୍ଚଳକୁ ଆସୁଥିଲେ। ସେ ଅଞ୍ଚଳର ବହୁ ରୋଗୀ ବି ଓଡ଼ିଶା ବାଟ ଦେଇ କଟକ ଯାଉଥିଲେ। ବୈବାହିକ ସମ୍ପର୍କ ପାଇଁ ଗୋଟିଏ ପଟ ଅଞ୍ଚଳ ଲୋକଙ୍କର ଅନ୍ୟ ପଟେ ବହୁ ବନ୍ଧୁବାନ୍ଧବ ଅଛନ୍ତି। ଏ ଅଞ୍ଚଳର କିଛି ଲୋକ ସେ ଅଞ୍ଚଳରେ ରବି ଧାନ ଚାଷ କରିଥିବାବେଳେ ସେ ଅଞ୍ଚଳର କିଛି ଲୋକ ଏ ଅଞ୍ଚଳରେ ଧାନ ଚାଷ କରିଛନ୍ତି। ଏବେ ରବି ଧାନ ଅମଳର ସମୟ। ତେଣୁ ସୀମା ଉଭୟ ପଟେ ଯାତାୟାତ ଚାଲିବ। ତେବେ ସୀମାରେ ଯାତାୟାତ ସଂପୂର୍ଣ୍ଣ ବନ୍ଦ ରହିବାକୁ ହେଲେ ପୁଲିସ ଓ ପ୍ରଶାସନକୁ ସହାୟତା ପାଇଁ ସୀମାନ୍ତବର୍ତ୍ତୀ ଅଞ୍ଚଳର ସବୁ ଗାଁରେ ନାଗରିକ କମିଟି ଗଠନ ଜରୁରୀ। ଏଥି ନେଇ ସ୍ଥାନୀୟ ବିଧାୟକ, ସମାଜସେବୀ, ଅନ୍ୟ ଜନ ପ୍ରତିନିଧି ଓ ବିଭିନ୍ନ ଦଳର ନେତାଙ୍କୁ ସଂପୃକ୍ତ କରାଯିବା ଆବଶ୍ୟକ। ସେହିପରି ପଶ୍ଚିମ ବଙ୍ଗର କଲକାତା ଓ ଅନ୍ୟ ଦୂର ଦୂରାନ୍ତର ଅଞ୍ଚଳରୁ ଫେରିଥିବା ଲୋକଙ୍କୁ ଠାବ କରାଯିବା ଉଚିତ। ତେଣୁ ସବୁ କଥାକୁ ଗୁରୁତ୍ୱର ସହ ନେଇ ସରକାର ଓ ଜିଲା ପ୍ରଶାସନ ଜରୁରୀ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

Comments are closed.