ବାଟରୁ ଓହ୍ଲାଇଲେ ନିଆଯିବ ଆଇନଗତ ପଦକ୍ଷେପ:ସଞ୍ଜୟ ସିଂହ

ଭୁବନେଶ୍ୱର: ରାଜ୍ୟରେ ଥିବା ଅତିଥି ଶ୍ରମିକଙ୍କୁ ସ୍ବରାଜ୍ୟ ପ୍ରତ୍ୟାବର୍ତ୍ତନ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଇ-ପାସ୍ ସିଷ୍ଟମ ଆରମ୍ଭ ହୋଇଛି। ଏଣିକି ଯେଉଁ ଅତିଥି ଶ୍ରମିକ ତାଙ୍କ ରାଜ୍ୟକୁ ଫେରିବାକୁ ଚାହିଁବେ ସେମାନେ ସରକାରଙ୍କ କୋଭିଡ-୧୯ ପୋର୍ଟାଲରେ ପଞ୍ଜୀକରଣ କରି ଇ-ପାସ ପାଇପାରିବେ ବୋଲି ସୂଚନା ଓ ଲୋକ ସମ୍ପର୍କ ସଚିବ ସଞ୍ଜୟ ସିଂହ କହିଛନ୍ତି।

ଗୁରୁବାର ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହ କହିଛନ୍ତି ଯେ ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ଆସୁଥିବା ବସରୁ କେତେକ ବ୍ୟକ୍ତି ବାଟରେ ମନଇଚ୍ଛା ଓହ୍ଲାଉଛନ୍ତି। ଏହାଦ୍ବାରା ସଂପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ଖବର ରଖିବାରେ ସମସ୍ୟା ଉପୁଜୁଛି ଏବଂ ସେମାନଙ୍କୁ ନେଇ ବିଭିନ୍ନ ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ଦେଖାଦେଉଛି। ଏଣିକି ଯେଉଁ ବସ୍ ବାଟରେ କୌଣସି ବ୍ୟକ୍ତିଙ୍କୁ ଛାଡିବ ଏହାକୁ ଅପରାଧ ଭାବେ ଧରାଯାଇ ସଂପୃକ୍ତ ବସ୍ ଚାଳକ ଏବଂ କଣ୍ଡକ୍ଟରଙ୍କ ବିରୋଧରେ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ। ସେ କହିଛନ୍ତି ଯେ ଆଜି ଗଞ୍ଜାମରେ ୨୪ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲା ‘ରେଡ୍ ଜୋନ’କୁ ଯାଇଥିବାବେଳେ ଜଗତସିଂହପୁର ଓ ମୟୂରଭଞ୍ଜ ‘ଅରେଞ୍ଜ ଜୋନ’କୁ ଯାଇଛି। ଆଜି ୪୨୨୫ଜଣ ପ୍ରବାସୀ ଓଡ଼ିଶାରେ ପହଞ୍ଚିଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ୩୯ହଜାର ୭୬୫ପ୍ରବାସୀ ଓଡ଼ିଶାରେ ପହଞ୍ଚିଲେଣି।

Comments are closed.