ପୃଥିବୀର ୧୨ ଦେଶକୁ ଏଯାଏ ଛୁଇଁ ପାରିନାହିଁ କରୋନା

କରୋନା ଭୂତାଣୁ ବିଶ୍ବର ୧୮୮ଟି ଦେଶରେ ଆତଙ୍କ ସୃଷ୍ଟି କରିଛି । ବିିଭିନ୍ନ ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇଛି । ଲକ୍ଷଲକ୍ଷ ଲୋକ ମୃତ୍ୟୁବରଣ କରିଛନ୍ତି । ୨୦୧୯ ଡ଼ିସେମ୍ବର ମାସରେ ଚୀନରୁ ବାହାରିଥିବା ଏହି ଭୂତାଣୁ ମାତ୍ର ୬ ମାସ ମଧ୍ୟରେ ବିଶ୍ବକୁ ଏକ ପ୍ରକାର ପଙ୍ଗୁ କରି ଦେଇଛି । ହେଲେ ପୃଥିବୀରେ ଏମିତି କିଛି ଦେଶ ଅଛି ଯେଉଁ ଦେଶକୁ ଏଯାଏ କରୋନା ଡ଼ରାଇ ପାରିନାହିଁ । ଏହି ଦେଶରେ ନା କରୋନା ସଂକ୍ରମଣ ହୋଇଛି ନା କରୋନା ମୃତ୍ୟୁ । କରୋନା ନିମନ୍ତେ ପୃଥିବୀର ଏହି ୧୨ ଦେଶ ବାଟ କିଳି ଦେଇଛନ୍ତି ।

ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ବର୍ତମାନ ସୁଦ୍ଧା ସାରା ବିଶ୍ବରେ ୧୩ ମିଲିୟନରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ବିଶ୍ୱରେ ମୃତ୍ୟୁ ସଂଖ୍ୟା ପାଖାପାଖି ୬ ଲକ୍ଷରେ ପହଞ୍ଚି ସାରିଲାଣି । ତେବେ ୭ ନିୟୁତରୁ ଅଧିକ ଲୋକ କରୋନାରୁ ମୁକ୍ତି ପାଇ ସାରିଲେଣି । କରୋନା ନିମନ୍ତେ କୌଣସି ଔଷଧ ବାହାରିନାହିଁ, ପ୍ରତିଷେଧକ ଉଦ୍ଭାବନ ହୋଇନାହିଁ । ଏହି ସ୍ଥିତିରେ ମାସ୍କ ପିନ୍ଧିବା, ଶାରୀରିକ ଦୂରତା ବଜାୟ ରଖିବା ଏବଂ ଅତି ଜରୁରୀ ନ ହେଲେ ଘରୁ ନ ବାହାରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଉଛି ।

ମାତ୍ର ବିଶ୍ବର ସେହି ୧୨ଟି ଦେଶ ଯେଉଁମାନେ କରୋନାକୁ ଖାତିର କରି ନାହାନ୍ତି ଓ ଅତ୍ୟନ୍ତ ସ୍ବାଭାବିକ ଭାବରେ ସେମାନଙ୍କର ଜୀବନଯାତ୍ରା ଅବ୍ୟାହତ ରହିଛି । ହଁ ହୋଇପାରେ ଦେଶଗୁଡ଼ିକ ଛୋଟ, ସେମାନଙ୍କ ଅର୍ଥନୀତି ଅତ୍ୟନ୍ତ ନଗଣ୍ୟ । ସେମାନଙ୍କର ଜୀବନଧାରଣର ମାନ ୟୁରୋପୀୟ ବା ଆମେରିକୀୟ ଦେଶ ପରି ନୁହେଁ । ତଥାପି ସେମାନେ ସୁସ୍ଥ ଓ କରୋନା ସଂକ୍ରମଣ ନ ହେବାର ସୁଖରେ ସୁଖୀ । ଏହି ଦେଶରୁ ଗୋଟିଏ ବି କରୋନା ସଂକ୍ରମଣ ରିପୋର୍ଟ ଆସିନାହିଁ ।

ତେବେ ଦେଶରେ କରୋନା ପ୍ରବେଶ କରିନଥିବା ନେଇ ଉତ୍ତରକୋରିଆ ବାରମ୍ବାର ଦାବି କରୁଥିବା ସତ୍ବେ ଏହାକୁ ଅନେକ ବିଶ୍ବାସ କରୁନାହାନ୍ତି । ଉତ୍ତରକୋରିଆରେ କିମ୍ ସରକାର ​‌ତାଙ୍କ ଦେଶ କରୋନା ମୁକ୍ତ ବୋଲି କହିଚାଲିଛନ୍ତି । ଦେଶରେ ଗୋଟିଏ ବି କରୋନା ମାମଲା ନାହିଁ ବୋଲି ଦାବି କରୁଛନ୍ତି । ମାତ୍ର ଅନ୍ୟପକ୍ଷରେ କିମ୍ ସରକାର କରୋନା ସଂକ୍ରାନ୍ତ ତଥ୍ୟ ଗୋପନ ରଖୁଛି ବୋଲି କିଛି ସ୍ବାସ୍ଥ୍ୟ ସମୀକ୍ଷକ ମତ ଦେଇଛନ୍ତି ।

କରୋନା ମୁକ୍ତ ବିଶ୍ବର ୧୨ ଦେଶ

୧. କିରିବାଟି, ୨. ମାର୍ଶଲ ଦ୍ୱୀପପୁଞ୍ଜ, ୩. ମାଇକ୍ରୋନେସିଆ, ୪. ନାଉରୁ, ୫. ଉତ୍ତର କୋରିଆ, ୬. ପାଲାଉ, ୭. ସାମୋଆ, ୮. ଶଲୋମନ ଦ୍ୱୀପପୁଞ୍ଜ, ୯. ଟୋଙ୍ଗୋ, ୧୦.ତୁର୍କମେନିସ୍ତାନ, ୧୧. ତୁଭାଲୁ, ୧୨, ଭାନୁୟୁଟୁ 

 

Comments
Loading...