ପଶ୍ଚିମ ଓଡ଼ିଶା: ୨ ହଜାର ଟପିଲା ଦୈନିକ ସଂକ୍ରମଣ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ସୀମାବର୍ତ୍ତୀ ୭ଟି ଜିଲାରେ କରୋନା ସ୍ଥିତି ଭୟାବହ ହେବାରେ ଲାଗିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସଂକ୍ରମଣକୁ ରୋକ୍ ଲଗାଇବାକୁ ସରକାର ରାତ୍ରିକାଳୀନ କର୍ଫ୍ୟୁ ଓ ସହରାଞ୍ଚଳରେ ଦୁଇଦିନିଆ ସପ୍ତାହାନ୍ତ ସଟ୍‌ଡାଉନ୍‌ ଲାଗୁ କରିଛନ୍ତି। ସୋମବାର ପୁଣି ସୁନ୍ଦରଗଡ଼ ଜିଲାରେ ରାଜ୍ୟର ସର୍ବାଧିକ ୭୨୨ ଜଣ ଚିହ୍ନଟ ହୋଇଛନ୍ତି। ଗତ ୩ ଦିନରେ ପଶ୍ଚିମ ଓଡ଼ିଶାରେ ୫୪୫୫ ଜଣ ସଂକ୍ରମିତ ହେବା ସ୍ଥିତିର ଭୟାବହତାକୁ ବୟାନ କରୁଛି। ରବିବାର ରାଜ୍ୟରେ ଚିହ୍ନଟ ୪୪୪୫ ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ପଶ୍ଚିମ ଓଡ଼ିଶାରୁ ୨୩୨୮ ଜଣ ରହିଛନ୍ତି।
ଗତ କେଇଦିନ ହେବ ସୁନ୍ଦରଗଡ଼ ସବୁ ସମୟରେ ଶୀର୍ଷରେ ରହୁଥିବାବେଳେ ନୂଆପଡ଼ା ଓ କଳାହାଣ୍ଡି ଜିଲାରେ ଆକ୍ରାନ୍ତ ସଂଖ୍ୟା ଅଧିକ ରହୁଛି। ଆଜି କରୋନା ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲାରୁ ୭୨୨ ଜଣ ଚିହ୍ନଟ ହେବା ସହ ନୂଆପଡ଼ାରେ ୪୩୭, କଳାହାଣ୍ଡିରେ ୨୭୩, ସମ୍ବଲପୁରରେ ୨୪୧, ଝାରସୁଗୁଡ଼ାରେ ୨୩୧, ବରଗଡ଼ରେ ୧୭୮, ବଲାଙ୍ଗୀରରେ ୧୬୮, ଦେବଗଡ଼ରେ ୩୫, ସୁବର୍ଣ୍ଣପୁରରେ ୨୨ ଏବଂ ବୌଦ୍ଧରେ ୨୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

 

ରବିବାର ସନ୍ଧ୍ୟା ସୁଦ୍ଧା ସୁନ୍ଦରଗଡ଼ରେ ସର୍ବାଧିକ ସକ୍ରିୟ ୪୩୭୫ ଜଣ ଚିକିତ୍ସାଧୀନ ଥିବାବେଳେ ସମ୍ବଲପୁରରେ ୧୪୦୮, ନୂଆପଡ଼ାରେ ୧୩୭୭, କଳାହାଣ୍ଡିରେ ୧୨୫୫ ଏବଂ ବରଗଡ଼ରେ ୧୨୩୬ ଜଣ ସକ୍ରିୟ ରହିଛନ୍ତି। ପଡ଼ୋଶୀ ଛତିଶଗଡ଼ ଓ ଝାରରଖଣ୍ଡ ରାଜ୍ୟ ସୀମାକୁ ଲାଗି ରହିଥିବା ଓଡ଼ିଶାର ୧୦ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅହେତୁକ ଭାବରେ ବୃଦ୍ଧି ପାଉଛି। ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପଶ୍ଚିମ ଓଡ଼ିଶାର ଏହି ୭ଟି ଜିଲା – ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା ଓ କଳାହାଣ୍ଡିରେ ରାତ୍ରିକାଳୀନ କର୍ଫ୍ୟୁର ସମୟ (କେବଳ ସହରାଞ୍ଚଳରେ) ପରିବର୍ତ୍ତନ କରି ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କରାଯାଇଛି। ସମସ୍ତ ଜିଲା​‌ରେ କରୋନା ସ୍ଥିତି, ପ୍ରସ୍ତୁତି ଓ ଟୀକାକରଣ ଅନୁଧ୍ୟାନ କରିବାକୁ ବରିଷ୍ଠ ଆଇଏଏସ ଅଧିକାରୀ ଜିଲା ପ୍ରଶାସନକୁ ସହଯୋଗ କରିବା ସହ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରସ୍ତୁତ କରାଯାଉଛି।

Comments are closed.