ରାଜ୍ୟରେ ହ୍ରାସ ପାଉଛି କରୋନା ଗ୍ରାଫ୍‌: ଦ୍ବିତୀୟ ଲହରି ଆଶଙ୍କା ନାହିଁ, ଫେବୃଆରୀ ପର୍ଯ୍ୟନ୍ତ ସତର୍କ ରହିବାକୁ ପଡ଼ିବ: ଡାକ୍ତର ଜୟନ୍ତ ପଣ୍ଡା

ଭୁବନେଶ୍ବର:ରାଜ୍ୟରେ କରୋନାର ଦ୍ବିତୀୟ ଲହରି ଆଶଙ୍କା ନାହିଁ। ଶୀତଦିନରେ ଯେଉଁ ବଡ଼ ବିପଦ ଆଶଙ୍କା କରିଥିଲୁ, ଭାବୁଛୁ ତାହା ହେବନାହିଁ। ଏବେ ରାଜ୍ୟରେ କରୋନା ଗ୍ରାଫ୍ ଢେର ହ୍ରାସ ପାଇବାରେ ଲାଗିଛି। ଅନ୍ୟରାଜ୍ୟ ଅପେକ୍ଷା ଓଡ଼ିଶା​‌େ​‌ର କରୋନା ସଂକ୍ରମଣକୁ ଯଥେଷ୍ଟ ନିୟନ୍ତ୍ରଣ କରାଯାଇପାରିଛି। ତେବେ ଟୀକା ନ ଆସିବା ପର୍ଯ୍ୟନ୍ତ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ। ଅତି କମ୍‌ରେ ଫେବୃଆରୀ ପର୍ଯ୍ୟନ୍ତ ସମସ୍ତେ ସତର୍କ ରହିବା ଦରକାର। କିଛି ସପ୍ତାହ ମଧ୍ୟରେ ଟୀକା ମିଳିଯିବ ବୋଲି ଆଶା କରାଯାଉଛି। ଏଇ ମାସରେ ହିଁ ବୋଧେ ଆମେ ଆମ ଲୋକଙ୍କୁ ଟୀକା ଦେଇପାରିବା ବୋଲି କଟକ ଏସ୍‌ସିବି ମେଡିକାଲ କଲେଜର ୱେବସାଇଟ୍‌ ଉନ୍ମୋଚନ ଅବସରରେ ମେଡ଼ିସିନ୍‌ ବିଭାଗ ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡାଙ୍କ ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବୈଷୟିକ କମିଟି ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି ଯେ ମହାମାରୀ କରୋନାର ଦ୍ୱିତୀୟ ଲହରି ଆଶଙ୍କା ଓଡ଼ିଶାରେ ନାହିଁ। ରାଜ୍ୟରେ କରୋନା ଗ୍ରାଫ୍‌ ଢେର ହ୍ରାସ ପାଇଛି।

 

କରୋନାକୁ ହରାଇବା ପାଇଁ ସାଧାରଣ ଲୋକେ ଓ କରୋନା ଯୋଦ୍ଧା ବହୁ ତ୍ୟାଗ କରିଛନ୍ତି। ତେବେ ଶୀତ ଦିନ ଡିସେମ୍ୱର ମାସରେ କରୋନାର ଦ୍ୱିତୀୟ ଲହରି ଆସିବ ବୋଲି ଆଶଙ୍କା କରାଯାଉଥିଲା, ତାହା ଆଉ ଆସିନପାରେ। ଏହା ସତ୍ତ୍ବେ ଫେବ୍ରୁଆରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ ବୋଲି ଡାକ୍ତର ଜୟନ୍ତ ପଣ୍ଡା ପ୍ରକାଶ କରିଛନ୍ତି।
ସୂଚନା ଯୋଗ୍ୟ ଯେ ରାଜ୍ୟରେ ଆଜି ୫ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ଏବଂ ଏହାସହିତ କରୋନାଜନିତ ମୃତ୍ୟୁସଂଖ୍ୟା ୧୭୬୫କୁ ବୃଦ୍ଧି ପାଇଛି। ଆଜି ଖୋର୍ଦ୍ଧା ଜିଲାରୁ ୨ଜଣ, ଜଗତସିଂହପୁର,ନୟାଗଡ଼ ଓ ପୁରୀ ଜିଲାକୁ ଜଣେ ଲେଖାଏଁ କରୋନାରେ ପ୍ରାଣ ହରାଇଛନ୍ତି। ରାଜ୍ୟରେ ଆଜି ମୋଟ ୪୦୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୩୪ଜଣ କ୍ୱାରେଣ୍ଟାଇନ କେସ୍‌ ହୋଇଥିବାବେଳେ ୧୭୫ଜଣ ଲୋକାଲ୍ କେସ୍ ଚିହ୍ନଟ ହୋଇଛି। ଏହାସହିତ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୩ଲକ୍ଷ ୨୦ହଜାର ୮୦୩ ରହିଥିବାବେଳେ ସେମାନଙ୍କ ମଧ୍ୟରୁ ୩ଲକ୍ଷ ୧୪ହଜାର ୬୬୫ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୩୨୦ଜଣ ଚିକିତ୍ସିତ ହେଉଛନ୍ତି।

Comments are closed.