କର୍ମଚାରୀଙ୍କୁ କରୋନା: ରାଜସ୍ୱ ପର୍ଷଦ ମୁଖ୍ୟଶାଖା କାର୍ଯ୍ୟାଳୟ ୩ଦିନ ପାଇଁ ବନ୍ଦ

କଟକ: ରାଜସ୍ୱ ପର୍ଷଦ(ମୁଖ୍ୟଶାଖା)ରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହେବାରେ ରାଜସ୍ୱ ପର୍ଷଦ ସଚିବଙ୍କ ନିର୍ଦେଶକ୍ରମେ ଅଗଷ୍ଟ ୨୪ରୁ ୨୬ ପର୍ଯ୍ୟନ୍ତ ୩ ଦିନ(୭୨ଘଣ୍ଟା) ପାଇଁ ରାଜସ୍ୱ ପର୍ଷଦ ମୁଖ୍ୟ କାର୍ଯ୍ୟାଳୟକୁ ବନ୍ଦ ରଖାଯାଇଛି। ସେହିପରି ରାଜସ୍ୱ ପର୍ଷଦ ଅଧୀନସ୍ଥ ବନ୍ଦୋବସ୍ତ ଓ ଚକବନ୍ଦୀ ନିର୍ଦେଶାଳୟରେ ନିକଟରେ ଅନୁଷ୍ଠିତ ବୈଠକରେ ପୁରୀ ଜିଲାର ଜନୈକ ଉପଜିଲାପାଳ ଯୋଗଦେଇଥିବାବେଳେ ୨୩ତାରିଖରେ ତାଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ୋଇଥିଲା। ଏହି ବୈଠକରେ ନିର୍ଦେଶକଙ୍କ ସମେତ ଉଭୟ ନିର୍ଦେଶାଳୟର ବହୁ ଅଧିକାରୀ ଓ କର୍ମଚାରୀ ଉପସ୍ଥିତି ଥିବାରୁ ସୁରକ୍ଷା ଦୃଷ୍ଟିରୁ ଭୂ-ଅଭିଲେଖ ବନ୍ଦୋବସ୍ତ ଓ ଚକବନ୍ଦୀ ନିର୍ଦେଶକଙ୍କ ନିର୍ଦେଶକ୍ରମେ ବନ୍ଦୋବସ୍ତ ଓ ଚକବନ୍ଦୀ ଶାଖାକୁ ୨୪ତାରିଖରୁ ୩ଦିନ ପାଇଁ ବନ୍ଦ ରଖାଯାଇଛି। ଏହି ସମୟ ମଧ୍ୟରେ ରାଜସ୍ୱ ପର୍ଷଦର ସମ୍ପୃକ୍ତ ଶାଖାଗୁଡ଼ିକର କର୍ମଚାରୀ ଓ ଅଧିକାରୀମାନଙ୍କୁ ଅଫିସ ନ ଆସି ଘରେ ରହି କାର୍ଯ୍ୟ କରିବାକୁ ଏବଂ ଆବଶ୍ୟକ ଅନୁଯାୟୀ ଟେଲିଫୋନ୍ରେ ଉପଲବ୍ଧ ରହିବାକୁ ନିର୍ଦେଶ ଦିଆଯାଇଛି। କଟକ ମହାନଗର ନିଗମ ପକ୍ଷରୁ ସମଗ୍ର ରାଜ୍ୱ ପର୍ଷଦ କାର୍ଯ୍ୟାଳୟ(ରାଜସ୍ୱ ଭବନ) ଏବଂ ଏହାର ପରିସରକୁ ଆଜି ପୂର୍ବାହ୍ନରେ ସାନିଟାଇଜ୍ କରାଯାଇଛି।