ଭିମସାର କୋଭିଡ ହସପିଟାଲ : କରୋନା ରୋଗୀ ମୃତ୍ୟୁ​ରେ ଲାଗୁନି ବିରାମ

ବୁର୍ଲା : ବୁର୍ଲାସ୍ଥିତ ଭିମସାର କୋଭିଡ ହସପିଟାଲରେ ରୋଗୀ ମୃତ୍ୟୁ​ରେ ବିରାମ ଲାଗୁନାହିଁ। ପୁଣି ଗୁରୁବାର ୭ ଜଣ କରୋନା ସଂକ୍ରମିତଙ୍କ ଚିକିତ୍ସାଧୀନ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ବଲାଙ୍ଗିରର ଦୁଇଜଣ ୭୫ ବର୍ଷିୟ ଏବଂ ୭୨ ବର୍ଷିୟ ବୃଦ୍ଧ, ଛତିଶଗଡ଼ର ଦୁଇଜଣ ୪୦ ବର୍ଷିୟ ଯୁବକ ଏବଂ ୪୩ ବର୍ଷିୟା ମହିଳା, ସମ୍ବଲପୁରର ଜଣେ ୮୦ ବର୍ଷିୟା ବୃଦ୍ଧା, ସୁନ୍ଦରଗଡ଼ର ଜଣେ ୫୦ ବର୍ଷିୟ ପୁରୁଷ ଏବଂ ଝାରସୁଗୁଡ଼ାର ଜଣେ ୬୮ ବର୍ଷିୟ ବୃଦ୍ଧ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ସେପଟେ ଗତବର୍ଷ ଅକ୍ଟୋବର ମାସରୁ ବୁର୍ଲା ଭିମସାର କୋଭିଡ ହସପିଟାଲରେ ଚିକିତ୍ସା ବ୍ୟବସ୍ଥା ଆରମ୍ଭ ହୋଇଥିଲା। ସେହିଦିନଠାରୁ ଆଜି ସୁଦ୍ଧା ଭିମସାରର କୋଭିଡ ହସପିଟାଲରେ ମୃତ୍ୟୁସଂଖ୍ୟା ୨୮୮ରେ ପହଞ୍ଚି ସାରିଲାଣି।

ବର୍ତ୍ତମାନ ୧୩୫ରୁ ଊର୍ଦ୍ଧ୍ବରୋଗୀ ଚିକିତ୍ସାଧିନ ରହିଥିବା ଜଣାପଡ଼ିଛି। ସୂଚନା ଥାଉକି, ଗତକାଲି ଭିମସାର କୋଭିଡ ହସପିଟାଲରେ ୪ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବାବେଳେ ଗତ ବୁଧବାର ୮ ଜଣ, ମଙ୍ଗଳବାର ୫ ଜଣ, ସୋମବାର ୫ ଜଣ, ରବିବାର ୬ ଜଣ, ୧୦ ତାରିଖ ୨ ଜଣ, ୯ ତାରିଖ ୪ ଜଣ ଏବଂ ଗତ ୮ ତାରିଖ ୨ ଜଣ କରୋନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ଗତ ୮ ଦିନରେ ୪୩ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିସାରିଛି ଯାହାକି ଚିନ୍ତାର ବିଷୟ। ପୁଣି ଭିମସାରରେ ଶଯ୍ୟା ସଂଖ୍ୟା ବୃଦ୍ଧି କରି ୫୨୫ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ କରାଯିବାକୁ ସରକାରଙ୍କ ତରଫରୁ ନିର୍ଦ୍ଦେଶନାମା ଜାରି ହୋଇଛି।

Comments are closed.