ସଙ୍ଗରୋଧ କେନ୍ଦ୍ରରେ ଗଣ୍ଡେ ଖାଇବାକୁ ମିଳୁନାହିଁ , ୧୩ ଦିନ ହେଲା କାନ୍ଦୁଛନ୍ତି ଗୋଟିଏ ପରିବାରର ୧୬ ସଦସ୍ୟ

ସଙ୍ଗରୋଧ କେନ୍ଦ୍ରରେ ଖାଇବାକୁ ମିଳୁନାହିଁ; ଖୋଲା ପଡ଼ିଆରେ ଗାଧୋଉଛନ୍ତି ପରିବାରର ମହିଳା

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ସୋରଣ ଗ୍ରାମର ବେଣାଗାଡିଆ ସାହିର ଗିରିଧାରୀ ସାହୁଙ୍କ ୪ ପୁଅଙ୍କ ପରିବାରର ୧୬ ଜଣ ସଦସ୍ୟ ଗଲା ୧୩ ଦିନ ଧରି କାନ୍ଦୁଛନ୍ତି । ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ନାଁ ଖାଇବାକୁ ମିଳୁଛି ନା ଗାଧୋଇବାକୁ ଦିଆଯାଉଛି ପାଣି । ଗୋଟିଏ ଓଳି ହାତରୁ ଖାଇ ସେମାନେ ସଙ୍ଗରୋଧ କେନ୍ଦ୍ରରେ ଅଟକି ରହିଛନ୍ତି । ସରପଞ୍ଚ ସେମାନଙ୍କ ଗୁହାରୀ ଶୁଣିବାକୁ ନାରାଜ, ଆଉ ସଙ୍ଗରୋଧ କେନ୍ଦ୍ରରେ ତତ୍ବାବଧାରକ ଥିବା ବ୍ୟକ୍ତି ଦେଉଛନ୍ତି ଧମକ ।

ଗିରିଧାରୀଙ୍କ ପରିବାର ଲୋକଙ୍କ ସୂଚନା ଅନୁସାରେ ତାଙ୍କ ପରିବାରର  ଜ୍ବାଇଁ ହୃଦରୋଗରେ ପୀଡ଼ିତ ଥିଲେ ଓ ଏମ୍ସରେ ଚିକିତ୍ସିତ ହେବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ  କରୋନା ଯାଞ୍ଚ ବେଳେ ପଜିଟିଭ୍ ବାହାରିବାରୁ ତାଙ୍କ ଶବ ଜ୍ବାଇଁଙ୍କ ଗାଁ ଗଙ୍ଗାଧରପୁର ଗାଁକୁ ପଠା ନ ଯାଇ ଅନ୍ୟତ୍ର ଅନ୍ତିମ ସଂସ୍କାର କରାଗଲା । ଏ ଖବର ପ୍ରଚାରିତ ହେବା ପରେ ମୃତ ଜ୍ବାଇଁଙ୍କୁ ଦେଖିବାକୁ ଯାଇଥିବା ଗିରିଧାରୀ ସାହୁଙ୍କ ପରିବାରକୁ ଗଙ୍ଗାଧରପୁର ଗ୍ରାମବାସୀ କ୍ବାରେଣ୍ଟାଇନ ସେଣ୍ଟରରେ ରହିବାକୁ ବାଧ୍ୟ କଲେ । ମାତ୍ର ସେମାନେ ନିଜ ଗାଁ ରେ କ୍ବାରେଣ୍ଟାଇନ ସେଣ୍ଟରରେ ରହିବା ନିମନ୍ତେ ଚାଲିଆସି ସରପଞ୍ଚଙ୍କୁ ଜଣାଇଥିଲେ ଓ ନିଜ ଗାଁ ସୋରଣରେ ସରକାରୀ କ୍ବାରେଣ୍ଟାଇନରେ ରହିଥିଲେ ।

ମାତ୍ର ସୋରଣ ଗ୍ରାମର କ୍ବାରେଣ୍ଟାଇନ ସେଣ୍ଟରରେ ସେମାନଙ୍କୁ ନାଁ ଶୋଇବାକୁ ପଟି ଖଣ୍ଡେ ଦିଆଯାଇଥିଲା ନା ଖାଇବାକୁ ଗଣ୍ଡେ ମିଳିଥିଲା । ଏପରିକି ଗାଧୋଇବା ପାଇଁ ପାଣି ଟିକେ ମଧ୍ୟ ବ୍ୟବସ୍ଥା କରାଯାଇନଥିଲା । ଯାହା ଫଳରେ କି ଝିଅ ବୋହୂମାନଙ୍କୁ କ୍ୱାରେଣ୍ଟାଇନ ସେଣ୍ଟର ରେ ଥିବା ଖୋଲା ପଡ଼ିଆରେ ୧୩ ଦିନ ଧରି ଗୋଧୋଇବା ପାଇଁ ପଡ଼ିଥିଲା । ଏହି ସମ୍ପର୍କରେ  ଗିରିଧାରୀଙ୍କ ପରିବାର ବାରମ୍ବାର ଗୁହାରୀ କରିଥିଲେ ମଧ୍ୟ ସରପଞ୍ଚ ଏହି କଥାକୁ ବେଖାତିର କରିଥିଲେ। ସେମାନଙ୍କ ନାଁ ପଞ୍ଜିକରଣ ହୋଇ ନ ଥିବାରୁ କିମ୍ବା ସେମାନେ ପ୍ରବାସୀ ହୋଇ ନଥିବାରୁ କୋବିଡ଼-୧୯ ନିୟମ ଅନୁସାରେ ସେମାନଙ୍କ ରହିବା, ଖାଇବା ବା ଅନ୍ୟାନ୍ୟ ସହାୟତା ମିଳିବ ନାହିଁ ବୋଲି କହିଥିଲେ ।

କୌଣସିପ୍ରକାରେ ଗିରିଧାରୀଙ୍କ ପରିବାରର ୪ପୁଅ ଓ ତାଙ୍କର ୧୬ କୁଟୁମ୍ବ ଏଠାରେ ୧୨ ଦିନ ବିତାଇଥିବାବେଳେ କ୍ବାରେଣ୍ଟାଇନ କେନ୍ଦ୍ରରେ କାମ କରୁଥିବା ସାଗର ବେହେରା ନାମକ ଜଣେ ବ୍ୟକ୍ତି ସେମାନଙ୍କୁ ଧମକଚମକ ଦେବା ସହ ଗାଳିଗୁଲଜ କରିଥିବା ଅଭିଯୋଗ କରିଛନ୍ତି ଗିରିଧାରୀଙ୍କ ପରିବାର ।  ତେରଦିନ ବିତିଯାଇଥିଲେ ମଧ୍ୟ ଗିରିଧାରୀଙ୍କ ପରିବାର ନିଜ ହାତରୁ ଖର୍ଚ୍ଚ କରି ଗୋଟେ ଓଳି ଖାଇ ଗୋଟେ ଓଳି ଉପାସ ରହୁଥିଲେ । କିନ୍ତୁ ଏବେ ଗିରିଧାରୀଙ୍କ ପରିବାରର ଲୋକଙ୍କ ପାଖରେ ଖାଇବା ପାଇଁ ଗଣ୍ଡେ ଅଛି ନା ଟଙ୍କା ପଇସା କିଛି ଅଛି । ଏବେ କ୍ୱାରେଣ୍ଟାଇନ ସେଣ୍ଟର ଭିତରେ ତାଙ୍କର ବଞ୍ଚିବା ଅସମ୍ଭବ ହୋଇପଡିଛି । ଏ ସଂପର୍କରେ ସରପଞ୍ଚଙ୍କ ପ୍ରତିକ୍ରିୟା ଲୋଡ଼ାଯିବା ବେଳେ ସେ ଏହି ପରିବାରକୁ କୋଭିଡ୍ ୧୯ର କୌଣସି ସାହାଯ୍ୟ କରିବା ପାଇଁ ଗାଇଡ୍ ଲାଇନ୍ ନାହିଁ ବୋଲି କହିଛନ୍ତି ।

Comments are closed.