ଘରେ କ୍ୱାରେଣ୍ଟାଇନ୍‌ରେ ରହି ପାଇପାରିବେ କରୋନା ଚିକିତ୍ସା, ସରକାର ଯୋଗାଇଦେବେ ଫାଭିପିରାଭିର୍‌ ଔଷଧ

ଭୁବନେଶ୍ୱର: ରାଜ୍ୟର କରୋନା ଆକ୍ରାନ୍ତଙ୍କ ପାଇଁ ଖୁସି ଖବର। ଏଣିକି ଘରେ କ୍ୱାରାଣ୍ଟାଇନ୍‌ରେ ରହି ସେମାନେ କରୋନା ଚିକିତ୍ସା ପାଇପାରିବେ। ଘରେ ରହି ସେବନ କରିପାରିବେ କରୋନା ଆକ୍ରାନ୍ତଙ୍କ ପାଇଁ ଦିଆଯାଉଥିବା ଫାଭିପିରାଭିର ଔଷଧ । ଯାହାକି କରୋନା ପାଇଁ ଏହା ଏକ ରାମବାଣ ସଦୃଶ ବୋଲି କୁହାଯାଉଛି। ଯଦି କରୋନା ଆକ୍ରାନ୍ତ ହେବାର ପ୍ରାଥମିକ ସ୍ତରରେ ଏହି ଔଷଧ ସେବନ କରାଯାଏ ତେବେ ଖୁବଶୀଘ୍ର ଏହା କରୋନାରୁ ରୋଗୀଙ୍କୁ ମୁକ୍ତ କରିଥାଏ । ଲକ୍ଷଣ ଦେଖାଯାଉଥିଲେ ଏହା ଲକ୍ଷଣକୁ କମାଇବାରେ ମଧ୍ୟ ସହାୟକ ହୋଇଥାଏ । ଫାଭିପିରାଭିର ହେଉଛି ଏକ ଆଣ୍ଟି ଭାଇରାଲ ଡ୍ରଗ୍ସ ଏବଂ ଏହି ଔଷଧ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରିବା ପାଇଁ ରାଜ୍ୟ ସରକାର ଯୋଗାଇ ଦେବେ ବୋଲି ଘୋଷଣା କରିଛନ୍ତି।
ଅପରପକ୍ଷରେ ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ କରୋନା ସହ ଲଢ଼େଇ କରିବା ପାଇଁ ପ୍ରସ୍ତୁତ ହୋଇଥିବା ଏହି ଔଷଧ ସମସ୍ତଙ୍କ ପାଇଁ ଉପଲବ୍ଧ ନୁହେଁ । ସବୁ ପ୍ରକାର ରୋଗୀ ଏହି ଔଷଧ ଖାଇପାରିବେ ନାହିଁ । ଯଦି ଖାଇବେ ତେବେ ଡାକ୍ତରଙ୍କ ପରାମର୍ଶ ନେଇ ଖାଇପାରିବେ । ଏହି ଔଷଧ ସେବନ କରିବା ପାଇଁ ଅନେକ ବାରଣ ରହିଛି । ଡାକ୍ତରଙ୍କ ପରାମର୍ଶ ପରେ ଲକ୍ଷଣ ଯୁକ୍ତ ପଜିଟିଭ୍‌ ବ୍ୟକ୍ତି ଏହି ଔଷଧ ଖାଇପାରିବେ ବୋଲି କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ଇଣ୍ଟରନାଲ ମେଡିସିନ ବିଭାଗ ମୁଖ୍ୟ ଡ.ଜୟନ୍ତ ପଣ୍ଡା ସୂଚନା ଦେଇଛନ୍ତି। ଯେଉଁ ରୋଗୀମାନଙ୍କ ଲିଭର କିମ୍ବା କିଡ୍‌ନୀ ସମସ୍ୟା ରହିଛି ସେମାନେ ଏହି ଔଷଧ ସେବନ କରିପାରିବେ ନାହିଁ । ସେହିପରି ବାତ ରୋଗୀ, କିମ୍ବା ଟିବି ମେଡିସନ୍‌ ଖାଉଥିବା ରୋଗୀ ଏହି ଔଷଧ ଖାଇପାରିବେ ନାହିଁ । ଗର୍ଭବତୀ ଓ ଶିଶୁମାନଙ୍କୁ ମଧ୍ୟ ଏହି ଔଷଧ ଖାଇବାକୁ ବାରଣ କରାଯାଇଛି । ଖାଲି ସେତିକି ନୁହେଁ ଏହି ଔଷଧ ଖାଇବା ସମୟରେ ନିଶାଦ୍ରବ୍ୟ ସେବନ କରିବାକୁ ମନା କରାଯାଇଛି । ଲକ୍ଷଣ ନଥିବା ରୋଗୀଙ୍କୁ ଏହି ଔଷଧ ଦିଆଯାଏ ନାହିଁ । ଏପରିକି ସ୍ତନ୍ୟପାନ କରାଉଥିବା ମହିଳାମାନେ ମଧ୍ୟ ଏହି ଔଷଧ ଖାଇପାରିବେ ନାହିଁ ବୋଲି ସେ କହିଛନ୍ତି।


ଓଡ଼ିଶାରେ ପ୍ରଥମ ପର୍ୟ୍ୟାୟରେ କଟକ, ଭୁବନେଶ୍ୱର ଓ ପୁରୀରେ କରୋନା ରୋଗୀଙ୍କୁ ଏହି ଔଷଧ ଖାଇବାକୁ ରାଜ୍ୟ ସରକାର ଯୋଗାଇଦେବେ। ସଠିକ୍‌ ମାତ୍ରାରେ ଔଷଧ ସେବନ କଲେ ଏହା କରୋନା ଲକ୍ଷଣ କମାଇବାରେ ସହାୟକ ହୋଇପାରିବ। ପ୍ରତ୍ୟେକ ଫାଭିପିରାଭିର୍ ଟାବ୍‌ଲେଟ୍‌ ଦୁଇ ଶହ ମିଳିଗ୍ରାମ୍‌ ଯୁକ୍ତ । ତେଣୁ ଆବଶ୍ୟକ ଅନୁସାରେ ଏହାକୁ ଖାଇବାକୁ ହେବ । ଯଦି ରୋଗୀଙ୍କୁ ୧୮୦୦ ମିଲିଗ୍ରାମ୍‌ ଔଷଧ ଆବଶ୍ୟକ ତେବେ ତାଙ୍କୁ ୯ଟି ବଟିକା ଖାଇବାକୁ ପଡ଼ିବ । ଦିନକୁ ଦୁଇ ଥର ଲେଖାଏଁ ୭ ଦିନ ଖାଇବାକୁ ପଡ଼ିବ । ଔଷଧକୁ ଭାଙ୍ଗିବେ ନାହି କି ଚୋବାଇବେ ନାହିଁ । ଏହାକୁ ଗୋଟା ଗିଳିବାକୁ ପଡ଼ିବ । ତେବେ ସବୁଠାରୁ ବଡ଼ କଥା ହେଲା ଔଷଧ ବ୍ୟବହାର ପାଇଁ ରୋଗୀଙ୍କଠାରୁ ଅନୁମତି ନିଆଯିବ । କାରଣ ରୋଗ ନୂଆ ଔଷଧ ବି ନୂଆ । ଏହି ଔଷଧ ସେବନ ଦ୍ୱାରା ବିଶେଷ କିଛି ସାଇଡ୍‌ ଇଫେକ୍ଟ ରହିବ ନାହିଁ । ତେବେ କରୋନା ଆକ୍ରାନ୍ତ ରୋଗୀ ପୂର୍ବରୁ ନିୟମିତ ଖାଉଥବା ଔଷଧ ଯେପରିକି ଗ୍ୟାଷ୍ଟ୍ରିକ ଔଷଧ, ମଧୁମେହ, ଉଚ୍ଚରକ୍ତଚାପ, ହୃଦରୋଗ ଔଷଧ ଆଦି ଖାଇପାରିବେ ବୋଲି ଡାକ୍ତର ପଣ୍ଡା ପ୍ରକାଶ କରିଛନ୍ତି।
ଏନେଇ ପୂର୍ବରୁ ଏସଓପି ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ସମସ୍ତ ଜିଲ୍ଲାପାଳ, ମ୍ୟୁନିସପାଲ କମିଶନ ଓ ସିଡିଏମଓଙ୍କୁ ଚିଠି ଲେଖି କୁହାଯାଇଛି ଯେ ଘରେ କ୍ବାରେଣ୍ଟାଇନ୍‌ରେ ଥିବା କରୋନା ଆକ୍ରାନ୍ତ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ନେଇ ଫାଭିପିରାଭିର୍‌ ଖାଇ ପାରିବେ। ଏଥିପାଇଁ ରୋଗୀଙ୍କୁ ଆବଶ୍ୟକ ସୂଚନା ରାପିଡ ରେସପନ୍ସ ଟିମ୍ ଯୋଗାଇ ଦେବ ବୋଲି କୁହାଯାଇଛି।

Comments are closed.