ଦେଶରେ ହ୍ରାସ ପାଉଛି କରୋନା ଜନିତ ମୃତ୍ୟୁ, ସୁସ୍ଥ ହେଲେଣି ୭୧ ଲକ୍ଷରୁ ଅଧିକ

ଦେଶରେ କରୋନା ଜନିତ ମୃତ୍ୟୁ ହାର କରୋନା ହ୍ରାସ ପାଇ ୧.୫ ପ୍ରତିଶତରେ ପହଂଚିଛି। କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ସରକାରଙ୍କ ମିଳିତ ଉଦ୍ୟମ ଯୋଗୁଁ ଏହି ସଫଳତା ମିଳିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି। ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଗତକାଲି ଗୋଟିଏ ଦିନରେ ସାରା ଦେଶରେ ୪୮୦ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ସାରା ବିଶ୍ୱରେ କରୋନା ମୃତ୍ୟୁ ହାର ତୁଳନାରେ ଭାରତର କରୋନା ମୃତ୍ୟୁ ହାର ସବୁଠାରୁ କମ ରହିଛି।

କୋଭିଡ ମୁକାବିଲା କ୍ଷେତ୍ରରେ ସମୟାନୁଭିତ୍ତିକ ପଦକ୍ଷେପ ଓ ୨୨୧୮ଟି ସ୍ୱତନ୍ତ୍ର କୋଭିଡ ଡାକ୍ତରଖାନା ଦ୍ୱାରା ଯୋଗାଇ ଦିଆଯାଉଥିବା ଚିକିତ୍ସା ସେବା କରୋନା ଜନିତ ମୃତ୍ୟୁ ହାର ହ୍ରାସ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମନ୍ତ୍ରାଳୟ କହିଛି। ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ମୃତ୍ୟୁ ହାର ଏକ ପ୍ରତିଶତରୁ କମ ହୋଇପାରିଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୯ ହଜାର ୧୦୫ ଜଣ ସଂକ୍ରମିତ ସୁସ୍ଥ ହେବା ପରେ ମୋଟ ସୁସ୍ଥ ସଂଖ୍ୟା ୭୧ ଲକ୍ଷ ୩୭ ହଜାର ୨୨୮ରେ ପହଂଚିଛି। ଦେଶରେ ଆରୋଗ୍ୟ ହାର ୯୦.୨୩ ପ୍ରତିଶତକୁ ବୃଦ୍ଧି ପାଇଛି।

ସେହିପରି ସକ୍ରିୟ ମାମଲା ହ୍ରାସ ପାଇ ସମୁଦାୟ ସଂକ୍ରମଣର ମାତ୍ର ୮.୨୬ ପ୍ରତିଶତ ରହିଛି। ଏବେ ଦେଶରେ ୬ ଲକ୍ଷ ୫୩ ହଜାର ୭୧୭ ଜଣ ସକ୍ରିୟ ଚିକିତ୍ସାଧୀନ ଅଛନ୍ତି। ମନ୍ତ୍ରାଳୟ ସୂଚନା ଅନୁଯାୟୀ, ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରୁ ୭୮ ପ୍ରତିଶତ ନୂଆ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। କର୍ଣ୍ଣାଟକରେ ସର୍ବାଧିକ ୧୦ ହଜାରରୁ ଅଧିକ ନୂଆ ରୋଗୀ ସୁସ୍ଥ ହୋଇଥିବା ବେଳେ କେରଳରେ ୭ ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ଦେଶରେ ୪୫ ହଜାର ୧୪୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Comments are closed.