ଆସନ୍ତା ପାର୍ବଣ ଏବଂ ଶୀତଋତୁ ସମୟରେ କୋଭିଡ୍‌ ପ୍ରତି ସଚେତନତା ଆବଶ୍ୟକ: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ

 କରୋନା ମହାମାରୀଜନିତ ଜନସ୍ୱାସ୍ଥ୍ୟ ଆହ୍ୱାନର ଭାରତ ଦୃଢ଼ ମୁକାବିଲା କରିବାରେ ସଫଳ

 ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ କୋଭିଡ୍‌ ସଂକ୍ରାନ୍ତ ମନ୍ତ୍ରିସ୍ତରୀୟ ଗୋଷ୍ଠୀର  ବୈଠକ

ନୂଆଦିଲ୍ଲୀ: କରୋନା ମହାମାରୀ ସଂକ୍ରାନ୍ତ ଉଚ୍ଚସ୍ତରୀୟ ମନ୍ତ୍ରିସ୍ତରୀୟ ଗୋଷ୍ଠୀର ଏକବିଂଶ ବୈଠକ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଭିଡିଓ କନ୍‌ଫରେନ୍‌ସିଂ ବ୍ୟବସ୍ଥାରେ ଆୟୋଜିତ ଏହି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ. ଜୟଶଙ୍କର, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ, ଜାହାଜ ଚଳାଚଳ (ସ୍ୱାଧୀନ), ସାର ଓ ରସାୟନ ମନ୍ତ୍ରୀ ମନସୁଖଲାଲ ମାଣ୍ଡଭିୟ, କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ, ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡ. ବିନୋଦ କୁମାର ପଲ ପ୍ରମୁଖ ଏଥିରେ ଯୋଗଦେଇଥିଲେ ।

ବୈଠକ ଆରମ୍ଭରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଦୀର୍ଘକାଳ ଧରି କରୋନା ମହାମାରୀ ବିରୋଧରେ ଲଢେଇ କରୁଥିବା କୋଭିଡ୍‌ ଯୋଦ୍ଧାମାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବା ସହ ସେମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । କରୋନା ଦ୍ୱାରା ସୃଷ୍ଟି ହୋଇଥିବା ଜନସ୍ୱାସ୍ଥ୍ୟ ପ୍ରତି ବଡ଼ ଆହ୍ୱାନର ଦୃଢ଼ ମୁକାବିଲା କରିବାରେ ଭାରତ କିପରି ଉତ୍ସାହଜନକ ସଫଳତା ହାସଲ କରିଛି ସେ ବିଷୟରେ ସେ ସହଯୋଗୀମାନଙ୍କୁ ଅବଗତ କରାଇଥିଲେ । ମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ୬୨,୨୭,୨୯୫ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏହା ସହିତ ଭାରତରେ ରେକର୍ଡ ୮୬.୭୮ ଶତାଂଶ ରୋଗୀ ଆରୋଗ୍ୟ ଲାଭ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ଭାରତରେ କରୋନା ମୃତ୍ୟୁହାର ମାତ୍ର ୧.୫୩ ଶତାଂଶ ରହିଛି; ଯାହା ସମଗ୍ର ବିଶ୍ୱରେ ସର୍ବନିମ୍ନ । ଆହୁରି ମଧ୍ୟ ଆଗରୁ ପ୍ରତି ୩ ଦିନରେ ଥରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ୱିଗୁଣିତ ହେଉଥିବାବେଳେ ସରକାରୀ ପ୍ରୟାସ ଫଳରେ ଏବେ ଏହି ଦ୍ୱିଗୁଣିତ ସମୟ ୭୪.୯ ଦିନକୁ ବୃଦ୍ଧି ପାଇଛି । ମନ୍ତ୍ରୀ କହିଛନ୍ତି ଯେ ଦେଶରେ ଏବେ ୧୯୨୭ଟି ଲ୍ୟାବରେ କରୋନା ରୋଗୀଙ୍କ ଟେଷ୍ଟିଂ କରାଯାଉଛି ଏବଂ ଏହା ସଫଳତାର ସହ ଚାଲିଛି । ଏବେ ଦୈନିକ ୧.୫ ନିୟୁତ ଲୋକଙ୍କ କରୋନା ପରୀକ୍ଷା ପାଇଁ ଦେଶରେ ସୁବିଧା ସୁଯୋଗ ସୃଷ୍ଟି ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପାଖାପାଖି ୧୧ ଲକ୍ଷ କରୋନା ନମୁନା ପରୀକ୍ଷା କରାଯାଇଛି ।

ମନ୍ତ୍ରିସ୍ତରୀୟ ଗୋଷ୍ଠୀର ଅଧ୍ୟକ୍ଷ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଆହୁରି କହିଛନ୍ତି ଯେ ଆଗାମୀ ପାର୍ବଣ ସମୟ ଓ ଶୀତଋତୁ ବେଳେ ଆମ ସମସ୍ତଙ୍କୁ ଉପଯୁକ୍ତ କୋଭିଡ୍‌ ନିୟମ କଡାକଡିଭାବେ ପାଳନ କରିବାକୁ ପଡିବ । ଏହି ସମୟରେ ସାମାନ୍ୟ ସତର୍କତା ଅବଲମ୍ବନ ନକଲେ ରୋଗ ବଢିବାର ଆଂଶକା ରହିଛି । ପ୍ରଧାନମନ୍ତ୍ରୀ ଏ ସଂପର୍କରେ ଦେଶବ୍ୟାପୀ ଜନଆନ୍ଦୋଳନ ଆରମ୍ଭ କରି କୋଭିଡ୍‌ ନିୟମ ପାଳନ କରିବା ସହ ରୋଗ ନିୟନ୍ତ୍ରଣରେ ଜନ ସହଯୋଗ ପାଇଁ ନିବେଦନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଅନୁସାରେ ଉତ୍ସବ ପାଳିବା ସହ ରୋଗକୁ ଦୂରେଇ ରଖିବା ପାଇଁ ସମସ୍ତେ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି ।

ଏନ୍‌ସିଡିର ନିର୍ଦେଶକ ଡ. ସୁଜିତକୁମାର ସିଂହ କରୋନା ମହାମାରୀ ନିୟନ୍ତ୍ରଣ କ୍ଷେତ୍ରରେ ଭାରତର ସଫଳତା ସଂପର୍କରେ ଏକ ତଥ୍ୟ ସମ୍ବଳିତ ସବିଶେଷ ରିପୋର୍ଟ ଏଥିରେ ଉପସ୍ଥାପନ କରିଥିଲେ । ସରକାରଙ୍କ ନୀତି ଓ ପଦକ୍ଷେପ ଦ୍ୱାରା ଏହି ସଫଳତା ସମ୍ଭବ ହୋଇଛି ବୋଲି ସେ ଉଲ୍ଲେଖ କରିଥିଲେ । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା, ପ୍ରାଣ ହରାଉଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ବ୍ୟାଧିର ହ୍ରାସ ବୃଦ୍ଧି ଓ ହାର ବିଶ୍ୱ ପରିପ୍ରେକ୍ଷୀରେ ଭାରତର ସ୍ଥିତି ଆଦି ବିଷୟରେ ଏଥିରେ ତଥ୍ୟ ପ୍ରକାଶ କରାଯାଇଛି । ଏହି ତଥ୍ୟ ଅନୁସାରେ ଭାରତରେ ସାମଗ୍ରିକ ଆରୋଗ୍ୟ ଲାଭ ହାର ୮୬.୭୮ ଶତାଂଶ । ସେହିଭଳି ଦାଦର, ନଗର ହାବେଳି, ଡାମନ ଏବଂ ଡିଉରେ ଆରୋଗ୍ୟ ଲାଭ କରୁଥିବା କରୋନା ରୋଗୀଙ୍କ ସଂଖ୍ୟା ସର୍ବାଧିକ ୯୬.୨୫ ଶତାଂଶ । ଏହା ତଳକୁ ଆଣ୍ଡାମାନ ଓ ନିକୋବରରେ ୯୩.୯୮ ଶତାଂଶ ଏବଂ ବିହାରରେ ୯୩.୮୯ ଶତାଂଶ ରୋଗୀ ଆରୋଗ୍ୟ ହେଉଥିବା ଏହି ରିପୋର୍ଟରେ କୁହାଯାଇଛି । ସେହିଭଳି ଏହି ତଥ୍ୟ ଅନୁସାରେ କେରଳରେ ଆରୋଗ୍ୟ ଲାଭ କରୁଥିବା ସଂଖ୍ୟା ସୁବଠୁ କମ୍‌ । ଏବେ ସେଠାରେ ୬୬.୩୧ ଶତାଂଶ ରୋଗୀ ସୁସ୍ଥ ହେଉଛନ୍ତି । କେରଳରେ ଏବେ ଦୈନିକ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଆରୋଗ୍ୟ ହାର କମ୍‌ ରହୁଛି ।

ଡ. ସୁଜିତକୁମାର ସିଂହ କହିଛନ୍ତି ଯେ ବର୍ତ୍ତମାନ ଋତୁରେ ଇନ୍‌ଫ୍ଲୁଏଞ୍ଜା ଓ ଭେକ୍ଟରବର୍ଣ୍ଣ ରୋଗର ସଂକ୍ରମଣ ଏହାର ସର୍ବୋଚ୍ଚ ସ୍ତରରେ ରହିଛି । ତେବେ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ଅଧିକ ଥିବାରୁ ଇନ୍‌ଫ୍ଲୁଏଞ୍ଜା ରୋଗୀଙ୍କ ସଂଖ୍ୟା କମ୍‌ ରହିଛି । ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜାର ସମୟ ଉପଗତ ହୋଇଥିବାରୁ କରୋନା ପରୀକ୍ଷାବେଳେ ଏକ ସମୟରେ ଇନ୍‌ଫ୍ଲୁଏଞ୍ଜା ପରୀକ୍ଷା ବ୍ୟବସ୍ଥା କରିବାକୁ ସେ ମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି ।

ଆଗାମୀ ପାର୍ବଣ ଋତୁ ଓ ଶୀତକାଳରେ କରୋନା ମହାମାରୀ ଅଧିକ ବ୍ୟାପିବାର ଆଂଶକା ଥିବାରୁ ଏଥିପାଇଁ ସତର୍କ ରହିବା ସହ ଉପଯୁକ୍ତ ସ୍ୱାସ୍ଥ୍ୟ ନୀତି ଅବଲମ୍ବନ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଦେଇଥିବା ପ୍ରସ୍ତାବକୁ ସେ ମଧ୍ୟ ସମର୍ଥନ କରିଛନ୍ତି । କରୋନା ପ୍ରଭାବିତ ବଡ଼ ବଡ଼ ସହରରେ ଏଥିପାଇଁ ବ୍ୟାପକ ଜନସଚେତନା ସୃଷ୍ଟି ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଲୋକମାନେ କରୋନା ପ୍ରତି ସତର୍କ ରହିବା ସହ ସ୍ୱାସ୍ଥ୍ୟ ନୀତି ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ନୀତି ଆୟୋଗର ସ୍ୱାସ୍ଥ୍ୟ ବ୍ୟାପାର ସଦସ୍ୟ ଡ.ବିନୋଦକୁମାର ପାଲ ଏହି ବୈଠକରେ କରୋନା ଟିକା ବିକାଶ ସଂପର୍କରେ ଏକ ସବିଶେଷ ରିପୋର୍ଟ ଉପସ୍ଥାପନ କରିଥିଲେ । ଭାରତ ଏବଂ ବିଶ୍ୱର ଅନ୍ୟାନ୍ୟ ଦେଶରେ ଟିକାର ବିକାଶ, ପରୀକ୍ଷଣ ଏବଂ ସମ୍ଭାବ୍ୟ ଉପଲବ୍ଧତା ସଂପର୍କରେ ସୂଚନା ଦେଇଥିଲେ । ଟିକା ବଜାରକୁ ଆସିଲେ ସମାଜର ସବୁଠୁ ଦୁର୍ବଳ ଓ ଅସୁରକ୍ଷିତ ବର୍ଗର ଲୋକଙ୍କୁ ପ୍ରଥମେ ଏହା ଦେବାର ବ୍ୟବସ୍ଥା କରିବା ସଂକ୍ରାନ୍ତ ଆମେରିକାର ବ୍ୟାଧି ନିୟନ୍ତ୍ରଣ କେନ୍ଦ୍ର ସିଡିସି ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଯେଉଁ ସୁପାରିସ କରିଛନ୍ତି ସେ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । କରୋନାରେ ପ୍ରାଣ ହରାଉଥିବା ଲୋକଙ୍କ ସଂପର୍କରେ ସେ ବୟସ ଓ ଲିଙ୍ଗଗତ ଭିତ୍ତିରେ ଏକ ପରିସଂଖ୍ୟାନ ରିପୋର୍ଟ ବୈଠକରେ ଉପସ୍ଥାପନ କରିବା ସହ ଏଥିରେ କେଉଁ ବର୍ଗର ଲୋକ ଅଧିକ ମୃତ୍ୟୁମୁଖରେ ପଡୁଛନ୍ତି ବା ଜୀବନ ହରାଇବାର ଆଂଶକା ରହିଛି ସେ ବିଷୟରେ ଉଲ୍ଲେଖ କରିଥିଲେ । ଯେଉଁମାନଙ୍କର ଅନ୍ୟାନ୍ୟ ପୁରୁଣା ରୋଗ ରହିଛି ସେହି ବର୍ଗର ଲୋକମାନେ କରୋନା ଦ୍ୱାରା ଅଧିକ ସଂଖ୍ୟାରେ ମୃତ୍ୟୁମୁଖରେ ପଡୁଥିବା ସେ ଉଲ୍ଲେଖ କରିଛନ୍ତି ।

ଇ-ଭିନ୍‌ ନେଟୱାର୍କକୁ ସୁସଂହତ ଓ ଦୃଢ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । କରୋନା ଟିକାର ଉପଲବ୍ଧତା, ଏହାର ମହଜୁଦ, ତାପମାତ୍ର ରକ୍ଷା, ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହାକୁ ପହଞ୍ଚାଇବା ପାଇଁ ଜିଓଟ୍ୟାଗ ବ୍ୟବସ୍ଥା ଆଦିକୁ ସୁନିଶ୍ଚିତ କରିବା ନିମନ୍ତେ ଇ-ଭିନ୍‌ ନେଟୱାର୍କକୁ ପୁନଃଉଦ୍ୟେଶିତ କରାଯିବ । ଏଥିପାଇଁ ଏକ ଡ୍ୟାସବୋର୍ଡ ପ୍ରସ୍ତୁତ କରାଯାଉଛି । ଏହା ଫଳରେ ବଜାରକୁ ଟିକା ଆସିଗଲେ ଏହାର ଭଣ୍ଡାରଣ ଓ ପ୍ରେରଣ ଆଦି କାର୍ୟ୍ୟ ସୁରୁଖୁରୁରେ ସଂପାଦିତ ହୋଇପାରିବ । ସେ ମଧ୍ୟ ଆହୁରି କହିଥିଲେ ଯେ ସ୍ୱାସ୍ଥ୍ୟକର୍ମୀମାନଙ୍କ ତାଲିକା ପ୍ରସ୍ତୁତି କାର୍ୟ୍ୟ ଚଳିତ ମାସ ଶେଷ କିମ୍ବା ଆସନ୍ତା ମାସ ଆରମ୍ଭ ପ୍ରଥମ ଭାଗରେ ଶେଷ ହେବ । ସେହିଭଳି ସମ୍ମୁଖ ଧାଡିର ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଚିହ୍ନଟ କାର୍ୟ୍ୟ ମଧ୍ୟ ଆଗେଇ ଚାଲିଛି । ଏଥିପାଇଁ ଉଦ୍ଦିଷ୍ଟ ଡିଜିଟାଲ ପ୍ଲାଟଫର୍ମକୁ ବଦଳାଯାଉଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ କହିଥିଲେ ଯେ ଦେଶରେ କରୋନା ପଜିଟିଭ ହାରକୁ ୫ ଶତାଂଶରୁ କମ୍‌ ରଖିବାକୁ ହେଲେ ଟେଷ୍ଟିଂ ବ୍ୟବସ୍ଥାକୁ ଅଧିକ ବ୍ୟାପକ ଓ ସଘନ କରିବାକୁ ପଡିବ । ଏହା ଫଳରେ ମୃତ୍ୟୁହାର ୧ ଶତାଂଶରୁ ତଳେ ରହିବା ସମ୍ଭବ ହେବ । ତେବେ ଏଥିପାଇଁ କୋଭିଡ୍‌ ନୀତି ନିୟମକୁ କଠୋରଭାବେ ପାଳନ କରିବାକୁ ପଡିବ । ଲୋକଙ୍କ ଅଭ୍ୟାସରେ ପରିବର୍ତ୍ତନ ନହେଲେ ଏ କ୍ଷେତ୍ରରେ ସଫଳତା ଅଧିକ ମିଳିବ ନାହିଁ । କେରଳ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ରାଜସ୍ଥାନ ଓ ଛତିଶଗଡ ଆଦି ରାଜ୍ୟରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ସେସବୁ ରାଜ୍ୟର ଲୋକେ ଅଧିକ ସତର୍କ ରହି କରୋନା ନିୟମ ପାଳନ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।

ବୈଠକରେ ବେସାମରିକ ଉଡାଣ ସଚିବ ପ୍ରଦୀପ ସିଂହ ଖରୋଲା, ବୟନ ସଚିବ ଶ୍ରୀ ରବି କପୁର, ଫାର୍ମାସ୍ୟୁଟିକାଲ ସଚିବ ଏସ୍‌. ଅପର୍ଣ୍ଣା, ଆଇସିଏମ୍‌ଆର ଡିଜି ଡ. ବଳରାମ ଭାର୍ଗବ, ଡିଜିସିଏ ଶ୍ରୀ ଅରୁଣ କୁମାର, ଡିଜିଏଫ୍‌ଟି ଶ୍ରୀ ଅମିତ ଯାଦବ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଭାଗ ନେଇଥିଲେ ।

Comments are closed.