ଗ୍ରାସିଛି କରୋନା ଭୟ ; ଦିନକରେ ଆସିଲେ ୩୦,୬୧୬

ଫେରିଲେଣି ୨.୮୬ଲକ୍ଷ ପ୍ରବାସୀ, ଅପେକ୍ଷାରେ ଆଉ ୧୩ ଲକ୍ଷ

ଭୁବନେଶ୍ବର : କରୋନା ମହାମାରୀର ଭୟ ସାରା ସମାଜକୁ ଗ୍ରାସିଛି।  ଏହି ପରିପ୍ରେକ୍ଷୀରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସହିତ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ବିଭିନ୍ନ ପ୍ରକାର ଲକ୍ଷଣ ଓ ପ୍ରତିଷେଧକ ନେଇ ଜନସାଧାରଣଙ୍କୁ ବାରମ୍ବାର ସଚେତନ କରାଯାଉଛି।

ଗତକାଲି କେନ୍ଦ୍ରର ମାର୍ଗଦର୍ଶିକା ଅନୁଯାୟୀ ସଙ୍ଗରୋଧ କେନ୍ଦ୍ର ଅବଧି ଖସି ୭ଦିନରେ ପହଞ୍ଚିଥିବାବେଳେ ଜଣେ ସଂକ୍ରମିତ ୧୧ଦିନ ପରେ ଆଉ ଜଣଙ୍କୁ ସଂକ୍ରମିତ କରିପାରିବ ନାହିଁ ବୋଲି କୁହାଯାଇଛି। ହେଲେ ଏସବୁ ଯେମିତି ପ୍ରବାସୀଙ୍କ ମନ ଉପରେ ତିଳେ ହେଲେ  ପ୍ରଭାବ ପକାଉଥିବା ଜଣାପଡୁନାହିଁ। ପ୍ରବାସୀଙ୍କୁ କ​ରୋନା ଭୟ ଏତେ ଗ୍ରାସିଛି ଯେ ସେମାନେ ଏବେ ଜୀବିକା ଛାଡି ନିଜ ଭିଟାମାଟିକୁ ଦୌଡ଼ିବା ଆରମ୍ଭ କରିଛନ୍ତି। ଯାହାଫଳରେ ଆଜି ଗୋଟିଏ ଦିନରେ ସର୍ବାଧିକ ୩୦ହଜାର ୬୧୬ ପ୍ରବାସୀ ଓଡ଼ିଶାକୁ ଫେରିଛନ୍ତି। ଏହାକୁ ନେଇ ସୋମବାର ସୁଦ୍ଧା ୨ଲକ୍ଷ ୮୬ହଜାର ୨୦ଜଣ ପ୍ରବାସୀ ଭିଟାମାଟି ଛୁଇଁ ସାରିଥିବାବେଳେ ଏବେ ବି ଆଉ ପ୍ରାୟ ୧୩ଲକ୍ଷ ପ୍ରବାସୀ ଫେରିବା ପାଇଁ ଦିନ ଗଣୁଥିବା ସରକାରଙ୍କ ପୋର୍ଟାଲ ପଞ୍ଜୀକରଣ ତଥ୍ୟରୁ ଜଣାଯାଇଛି।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁମତି ଆଦେଶକୁ ନେଇ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ କଲକାତା ଭଳି ପଡୋଶୀ ରାଜ୍ୟରେ ଥିବା କେତେକ ପ୍ରବାସୀ ଆଜି ଫେରିବାପାଇଁ ଫ୍ଲାଇଟ ବୁକିଂ କରିଥିଲେ, ହେଲେ ଶେଷ​‌ ମୁହୂର୍ତ୍ତରେ ଘରୋଇ ଫ୍ଲାଇଟ ବାତିଲ ହୋଇଯାଇଥିବାରୁ ସେମାନେ ଫେରି ପାରିନାହାନ୍ତି। ପ୍ରତିଦିନ ପ୍ରବାସୀମାନେ ସରକାରଙ୍କ ବିଭିନ୍ନ ଘୋଷଣାକୁ ଅନାଇଁ ରହିଛନ୍ତି।

ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ ଆଜି ଟ୍ରେନ, ବସ ଓ ଫ୍ଲାଇଟ ସହିତ ବିଭିନ୍ନ ଗାଡି ମୋଟରରେ ୩୦ହଜାର ୬୧୬ଜଣ ପ୍ରବାସୀ ଆସିଛନ୍ତି। ଦିନକୁ ଦିନ ପ୍ରବାସୀଙ୍କ ସଂଖ୍ୟା ଏବେ ବଢ଼ି ଚାଲିବ। ୧୯ତାରିଖ ସୁଦ୍ଧା ରାଜ୍ୟକୁ ୧ଲକ୍ଷ ୯୧ ହଜାର ୯୨୫ଜଣ ପ୍ରବାସୀ ଓଡ଼ିଶାକୁ ଫେରିଥିବା ବେଳେ ଆଜି ଏହି ସଂଖ୍ୟା ୨.୮୬ଲକ୍ଷରେ ପହଞ୍ଚିଛି। ଯାହାକି ମାତ୍ର ୬ଦିନ ମଧ୍ୟରେ ପ୍ରାୟ ୯୫ହଜାର ପ୍ରବାସୀ ଫେରିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟ ସରକାର ୧ମାସ ତଳେ ଓଡ଼ିଶାକୁ ୫ଲକ୍ଷ ପ୍ରବାସୀ ଫେରିବା ନେଇ ଆକଳନ କରିଥିଲେ। ସରକାରଙ୍କ ଆକଳନ ତୁଳନା ଇତିମଧ୍ୟରେ ୫୭ପ୍ରତିଶତ ପ୍ରବାସୀ ଫେରିଥିବାବେଳେ ଏବେ ବି ୧୩ଲକ୍ଷ ଅପେକ୍ଷାରେ ରହିଛନ୍ତି।

ଅନ୍ୟପକ୍ଷରେ ସରକାର ଗ୍ରାମାଞ୍ଚଳସ୍ତରରେ ସଙ୍ଗରୋଧ ସ୍ବାସ୍ଥ୍ୟସେବାକୁ ସଶକ୍ତ କରିବାପାଇଁ ଲାଗି ପଡିଛନ୍ତି। ଇତିମଧ୍ୟରେ ୬୭୯୮ ପଞ୍ଚାୟତରେ ୧୬ହଜାର ୬୨୬ଟି ଅସ୍ଥାୟୀ ଚିକିତ୍ସା ଶିବିର ସ୍ଥାପିତ କରାଯାଇଛି। ସେଥିରେ ୭ଲକ୍ଷ ୩୧ହଜାର ୧୩୩ ଶଯ୍ୟାର ବ୍ୟବସ୍ଥା କରାଯାଇଥିବା ଜଣାଯାଇଛି।

Comments are closed.