ଚଳିତ ମାସରେ ଆସିପାରେ କରୋନା ଔଷଧ

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ ମହାମାରୀର ରୂପ ନେଇଥିବା କୋଭିଡ-୧୯ର ଉପଚାର ଦିଗରେ ଆଶାର ଆଲୋକ ସୃଷ୍ଟି କରିଛି ଆମେରିକା । ଏହାର ଏକ ଫାର୍ମାସ୍ୟୁଟିକାଲ କମ୍ପାନୀ ଗିଲଡ ସାଇନ୍ସେସ୍‍ ଆଇଏନସି ପ୍ରସ୍ତୁତ କରିଥିବା ଔଷଧ ‘ରେମଡେସିଭିର’ର ତୃତୀୟ ପର୍ଯ୍ୟାୟ ଗବେଷଣା ଚଳାଇଛି । ଏହା ସଫଳ ହେଲେ ଏପ୍ରିଲ ସୁଦ୍ଧା ଏହି ଔଷଧ ବଜାରରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି ।
ଅନ୍ୟପଟେ ଚୀନ ଓ ଅନ୍ୟ ରାଷ୍ଟ୍ରଗୁଡିକରେ କୋଭିଡ-୧୯ ରୋଗୀଙ୍କ ଉପରେ କେତେକ ଔଷଧର ପ୍ରଭାବ ସମ୍ବନ୍ଧରେ ବିଶ୍ୱବ୍ୟାପୀ ଏକାଧିକ ପରୀକ୍ଷା ଜାରି ରହିଛି। ଏହାର ପ୍ରାରମ୍ଭିକ ଫଳାଫଳ ରିପୋର୍ଟ ଆସନ୍ତା ସପ୍ତାହ ପ୍ରାରମ୍ଭରେ ପ୍ରକାଶ ପାଇବାର ସମ୍ଭାବନା ରହିଛି। ମାନବ ଓ ପ୍ରାଣୀଙ୍କଠାରେ ପ୍ରୟୋଗାତ୍ମକ ଗବେଷଣା ଓ ବିସ୍ତୃତ ଭୂତାଣୁନିରୋଧୀ କ୍ଷମତାକୁ ବିଚାରକୁ ନେଲେ ଚିକିତ୍ସା ପାଇଁ ‘ରେମଡେସିଭିର’ ସବୁଠାରୁ ବେଶୀ ବ୍ୟବହାରଯୋଗ୍ୟ ବୋଲି ବିଚାର କରାଯାଉଥିବା ଜାନୁଆରୀରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କୁହାଯାଇଥିଲା। ଏହାକୁ ପ୍ରଥମେ ଇବୋଲା ଭୂତାଣୁ ସଂକ୍ରମଣର ଉପଚାର ପାଇଁ ପ୍ରସ୍ତୁତ କରାଯାଇଥିଲା। ପୂର୍ବ କଙ୍ଗୋର ରୋଗୀଙ୍କ ଉପରେ ଏହାକୁ ପରୀକ୍ଷାମୂଳକ ଭାବେ ପ୍ରୟୋଗ କରାଯାଇଥିଲା। ରେମଡିସିଭିର ଏକ ଟିକା ନୁହେଁ।
ତେବେ ଏହି ଔଷଧକୁ ଗିଲଡର ସାଇନ୍ସେସ୍‍ର ବିଶେଷ ନିୟନ୍ତ୍ରଣ ମଧ୍ୟରେ ରଖାଯିବା ଉଚିତ ନୁହେଁ ବୋଲି ମାର୍ଚ୍ଚ ୩୦ରେ ୧୫୦ରୁ ଊର୍ଦ୍ଧ୍ବ କମ୍ପାନୀ ତଥା ବିଭିନ୍ନ ରାଷ୍ଟ୍ରର ଡାକ୍ତର ଓ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ ରେମଡେସିଭିରକୁ ମାର୍ଚ୍ଚ ୨୩ରେ ଏକ ‘ଅର୍ଫାନ ଡ୍ରଗ’ ମାନ୍ୟତା ଦେଇଥିଲା। ସାଧାରଣତଃ ବିରଳ ରୋଗ ଚିହ୍ନଟ, ସେଥିରୁ ସୁରକ୍ଷା ଦେଉଥିବା ଅଥବା ତାହାର ଚିକିତ୍ସା କରୁଥିବା କୌଣସି ଔଷଧକୁ ଏହି ମାନ୍ୟତା ଦିଆଯାଇଥାଏ। ଏଭଳି ଔଷଧ ବାଣିଜ୍ୟିକ ଦୃଷ୍ଟିକୋଣରୁ ବିକଶିତ ହୋଇ ନ ଥିବା ବେଳେ ତାହାର ଉତ୍ପାଦନ ପାଇଁ ସରକାରୀ ସହାୟତା ଆବଶ୍ୟକ ଥିବାରୁ ତାହାକୁ ଏଭଳି ମାନ୍ୟତା ଦିଆଯାଏ।
ଗବେଷଣାର ତୃତୀୟ ପର୍ଯ୍ୟାୟରେ ଔଷଧଟି କେତେ ପ୍ରଭାବଶାଳୀ ତାହା ଜାଣିବା ଲାଗି ଏହାକୁ ଶତାଧିକ ଲୋକଙ୍କଠାରେ ପରୀକ୍ଷାମୂଳକ ଭାବେ ପ୍ରୟୋଗ କରାଯାଇଛି। ଏକ ଆକଳନ ଅନୁସାରେ ତୃତୀୟ ପର୍ଯ୍ୟାୟରେ ପହଁଚିଥିବା ୭୦-୯୦% ଔଷଧ ସଫଳ ହୋଇଛି। ଆମେରିକାରେ ୧,୬୦,୭୦୦ ଜଣ ଲୋକ କରୋନା ସଂକ୍ରମିତ ହୋଇପଡିଥିବା ବେଳେ ଏଫଡିଏ ଏହି ଔଷଧକୁ ଫାଷ୍ଟଟ୍ରାକ ଭିତିରେ ମଞ୍ଜୁରି ପ୍ରଦାନ କରିବ ବୋଲି ଗବେଷକମାନେ ଆଶା ବ୍ୟକ୍ତ କରିଛନ୍ତି।
ଅନ୍ୟପଟେ ବ୍ୟବସାୟିକ ସ୍ତରରେ ଏହା ଉପଲବ୍ଧ ହେବା ପରେ ଭାରତ ଭଳି ରାଷ୍ଟ୍ର ପାଇଁ ଏହାର ମୂଲ୍ୟ କ’ଣ ଧାର୍ଯ୍ୟ କରାଯିବ ତାହା ଏକ ବୃହତ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏକାଧିକ ସ୍ୱେଚ୍ଛାସେବୀ ସଂସ୍ଥା ସେମାନଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ ଗିଲଡ ସାଇନ୍ସେସ୍‍ ୭୦ରୁ ଊର୍ଦ୍ଧ୍ବ ଦେଶରେ ‘ରେମଡେସିଭିର’ର ପ୍ରାଥମିକ ପେଟେଣ୍ଟ ଲାଭ କରିଛି।

Comments are closed.